ଭୁବନେଶ୍ୱର ୧୬/୧୨(ଡା.ଶୁଭେନ୍ଦୁ ନାରାୟଣ ମିଶ୍ର): କେତେକ ପିଲା ଛୋଟ ବେଳୁ ଛୋଟଛୋଟ କଥାରେ ଖୁବ୍‌ ରାଗିଯାଆନ୍ତି । ସେମାନେ ପରିବାର ଲୋକଙ୍କ ସହ ଭଲରେ  କଥାବାର୍ତ୍ତା କରନ୍ତି ନାହିଁ, ଚିଡ୍‌ଚିଡ଼ା ବ୍ୟବହାର କରନ୍ତି । କିଛି  ନୂଆ ଜିନିଷ ପାଇବା ଲୋଭରେ ପିଲା ଏପରି ବ୍ୟବହାର  କରିଥାଏ । ଏହିପରି ପିଲାଙ୍କ ରାଗିବା ପଛର କାରଣ  ବ୍ୟାବହାରିକ, ମାନସିକ ତଥା ଶାରୀରିକ ମଧ୍ୟ ହୋଇପାରେ । ଅନେକ ସମୟରେ ଅଭିଭାବକ ପିଲାଙ୍କ ରାଗକୁ ଜିଦି ବୋଲି ଧରି ନେଇ ଅବହେଳା କରିଥାନ୍ତି । ଭଲ ଅଭିଭାବକ ଭାବେ  ଆପଣ ଏମିତି କରିବା ଉଚିତ ନୁହେଁ । ଏହା ପିଲାର ସ୍ୱାସ୍ଥ୍ୟ  ଓ ମନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ତେଣୁ  ପ୍ରଥମେ ରାଗିବା ପଛର କାରଣ ବୁଝିବାକୁ ଚେଷ୍ଟା କରନ୍ତୁ ।

ପିଲାଙ୍କ ରାଗର କାରଣ 

ପିଲାମାନେ ଅଭିଭାବକଙ୍କ ଉପରେ ନିଜ ଇଚ୍ଛା ଜାହିର  କରିବା ପାଇଁ ଅନେକ ପ୍ରକାର ବାହାନା ଖୋଜିଥାନ୍ତି ।  ସେଥିପାଇଁ କେବେ କେବେ ରାଗିବା ସହ ନ ଖାଇବାର  ଧମକ ଦେଇଥାନ୍ତି । ସେମାନେ ଭାବନ୍ତି ଏପରି କରିବା  ଦ୍ୱାରା ଅଭିଭାବକ ସେମାନଙ୍କ ଜିଦ୍‌ ମାନି ନେବେ । କେବେ କେବେ ପିଲା ରାଗିଯାଇ ଘରେ ବିଭିନ୍ନ ଜିନିଷ  ଭଙ୍ଗାରୁଜା କରେ ଏବଂ ସ୍କୁଲ ଯାଏନି । ଅନେକ  ସମୟରେ ଦେଖାଯାଏ ଘର ପରିବର୍ତ୍ତନ କଲେ ନୂଆ  ଜାଗାକୁ ଯାଇ ପ୍ରଥମେ ନୂଆ ସାଙ୍ଗସାଥୀ କରିବା କଷ୍ଟକର  ହୋଇଥାଏ । ଏହି ସ୍ଥିତିରେ ପିଲା ଉଦାସ ରହିବା ସହ ବାପା-ମା’ଙ୍କ ଉପରେ ରାଗେ । ନୂଆ ଜାଗାରେ ଖାପ  ଖୁଆଇ ଚଳିବା ପରେ ପୁଣି ସ୍ୱାଭାବିକ ହୋଇଯାଏ । ଏହା ବ୍ୟତୀତ ବୟସ ବଢ଼ିବା ସହ ଅନେକ ସମୟରେ  ପିଲାଙ୍କ ସ୍ୱଭାବରେ ପରିବର୍ତ୍ତନ ସାଙ୍ଗସାଥୀ, ପରିବେଶ ଓ  ପାରିପାଶ୍ୱିର୍କ ପରିସ୍ଥିତି ଯୋଗୁ ହୋଇଥାଏ । ବିପରୀତ ପରିସ୍ଥିତି  ଯୋଗୁ ସେମାନଙ୍କ ସ୍ୱଭାବରେ ଜିଦି ଓ ରାଗ ଆସିଥାଏ । ପୁଣି  କେତେକ କ୍ଷେତ୍ରରେ ପରିବାରରେ ବରିଷ୍ଠ ସଦସ୍ୟମାନଙ୍କ ଝଗଡ଼ାଝାଟି ଦେଖି କିଛି ପିଲା ଝଗଡ଼ା ଶିଖିଥାନ୍ତି ।   

ସ୍କୁଲରେ କିଛି ପିଲା ଅନ୍ୟ ପିଲାଙ୍କୁ କମେଣ୍ଟ୍‌  କରିବା କିମ୍ବା ହଇରାଣ କରିବା ଦ୍ୱାରା ସେମାନେ ଘରକୁ  ଆସି ନିଜର ରାଗ ପ୍ରକାଶ କରିଥାନ୍ତି । ସେହିପରି ପରୀକ୍ଷା  ବା ସ୍କୁଲ ଟାସ୍କ କରି ନପାରିଲେ ମଧ୍ୟ ରାଗ ପ୍ରକାଶ  କରିଥାନ୍ତି। ଏହାବ୍ୟତୀତ ପିଲାଙ୍କଠାରୁ ଅଭିଭାବକଙ୍କ  ଆଶା ଅଧିକ ରହିଥିଲେ ଏବଂ ତାହା ପୂରଣ ହୋଇ  ନପାରିଲେ ସେମାନେ ହତାଶ ଅନୁଭବ କରନ୍ତି ଓ ରାଗନ୍ତି ।  

ସ୍ନାୟୁଗତ ସମସ୍ୟା: ଅନେକ ସମୟରେ ସ୍ନାୟୁଜନିତ  ଅସନ୍ତୁଳନ କାରଣରୁ ପିଲାଙ୍କ ଭିତରେ ରାଗ ଆସିଥାଏ ।  କିନ୍ତୁ ଅଭିଭାବକ ପିଲାଙ୍କ ଏହି ସମସ୍ୟାକୁ ବୁଝିପାରି  ନଥାନ୍ତି । ପୁଣି ଏଭଳି ପିଲାଙ୍କ ରାଗର କାରଣ ଅଟିଜିମ୍‌,  ଏସ୍ପଗର୍‌ ସିଣ୍ଡ୍ରୋମ୍‌ ଓ ଟୋରେଟ୍‌ ସିଣ୍ଡ୍ରୋମ୍‌ ଆଦି  ମଧ୍ୟ ହୋଇପାରେ । ଏଭଳି ସମସ୍ୟା ଥିଲେ ପିଲାର  ମୁଣ୍ଡରେ ଯନ୍ତ୍ରଣା ହେବା ସହ ମନ ଅଥୟ ହୋଇଥାଏ । 

ବଂଶାନୁକ୍ରମିକ: କେତେକ କ୍ଷେତ୍ରରେ ଅଭିଭାବକ  ଯଦି ଅଧିକ କ୍ରୋଧୀ ସ୍ୱଭାବର ହୋଇଥାନ୍ତି, ସେମାନଙ୍କ  ପିଲାମାନେ ମଧ୍ୟ ରାଗୀ ହୋଇପାରନ୍ତି । ସେହି ପିଲାମାନେ  ପ୍ରତିଟି ଛୋଟ ଛୋଟ କଥାରେ କ୍ରୋଧ ପ୍ରକାଶ କରିଥାନ୍ତି ।  ବାପାମା’ ଜଣେ କେହି ରାଗୀ ହୋଇଥିଲେ ପିଲାମାନେ ସେହି  ଗୁଣକୁ ବଂଶାନୁକ୍ରମିକ ଭାବେ ଗ୍ରହଣ କରିଥାଇ ପାରନ୍ତି ।  

 ନିୟନ୍ତ୍ରଣ କରିବେ କିପରି

> ଅଭିଭାବକଙ୍କୁ ପ୍ରଥମେ ପିଲାଙ୍କ ରାଗର କାରଣ  ଖୋଜିବାକୁ ପଡ଼ିବ । ପରେ ତା’ ବ୍ୟବହାରକୁ  ସୁହାଇବା ଭଳି ଅନୁରୂପ ବ୍ୟବହାର କରିବେ।  ଯେମିତିକି ଯଦି ପିଲାଟି କୌଣସି ଜିନିଷକୁ ନେଇ  ଜିଦ୍‌ କରୁଛି ତାକୁ ସ୍ନେହରେ ବୁଝାଇବାକୁ ଚେଷ୍ଟା  କରିବେ ।  

> ଯଦି ପିଲାଟି ବିନା କାରଣରେ ରାଗିଥାଏ, ତେବେ  କିଛି ସମୟ ପାଇଁ ତାକୁ ଏକା ଛାଡ଼ି ଦିଅନ୍ତୁ ।  

> ଯଦି ଘର ପରିବର୍ତ୍ତନ ବା ସାଙ୍ଗମାନଙ୍କଠାରୁ  ଦୂରେଇବା ଯୋଗୁ ପିଲାଟି ରାଗୁଥାଏ ବା ଜିଦ୍‌  କରୁଥାଏ, ତେବେ ପିଲାଟିକୁ ଟିକେ ଅଧିକ ସ୍ନେହ  ଦେବା ସହ ନୂଆ ସାଙ୍ଗ କରିବାରେ ସାହାଯ୍ୟ କରନ୍ତୁ ।  

> ପିଲାଙ୍କୁ କେବେ ବି ମାରନ୍ତୁ ନାହିଁ । ମାରିବା ଦ୍ୱାରା ସେ  ଅଧିକ ଚିଡ୍‌ଚିଡ଼ା ହୋଇପାରେ ।  ଯଦି ପିଲାକୁ କୌଣସି ରୋଗ ଥାଏ, ତେବେ ତୁରନ୍ତ  ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାନ୍ତୁ ।  

> କେତେକ ମାନସିକ ରୋଗ ଯେମିତି ଅଟିଜିମ୍‌,  ଏଡିଏସ୍‌ଟି, ଆଙ୍ଗ୍‌ଜାଇଟି ଡିଜ୍‌ଅର୍ଡର ଓ ଲର୍ଣ୍ଣିଂ  ଡିଜ୍‌ଅର୍ଡର ପରି ସମସ୍ୟା କିମ୍ବା ହର୍‌ମୋନାଲ୍‌  ପରିବର୍ତ୍ତନ ପାଇଁ ପିଲାଙ୍କ ଭିତରେ ରାଗ ଆସିଥାଏ ।  ସେଥିରେ ବିଭିନ୍ନ ଆଗ୍ରେସିଭ୍‌ ଭିଡିଓ ଗେମ୍‌ ଦେଖିବା  ଦ୍ୱାରା ସେମାନଙ୍କ ଭିତରେ କ୍ରୋଧଭାବ ବଢ଼ିଚାଲେ ।  ପିଲାଙ୍କଠାରୁ ମୋବାଇଲ୍‌ ନେଇଗଲେ ସେମାନେ  ଏକାଗ୍ରତା ହରାଇ ନିଜ ରାଗ ଜାହିର କରିବାକୁ ଯାଇ  ଘରର ବିଭିନ୍ନ ଜିନିଷପତ୍ର ଫିଙ୍ଗାଫୋପଡ଼ା କରିଥାନ୍ତି ।  ଏହି ସ୍ଥିତିରେ ପିଲାକୁ ତୁରନ୍ତ ଡାକ୍ତରଙ୍କ ପାଖକୁ  ନେବା ଦରକାର ।