ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସ୍ୱାଧୀନତା ଦିବସରେ ଅନେକ ପୌର ସଂସ୍ଥା କଂସେଇଖାନା ବନ୍ଦ କରିବାକୁ ଏବଂ ମାଂସ ବିକ୍ରୟ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଶାସକ ଦଳ ଗୁଡ଼ିକ ଏହାକୁ ଯଥାର୍ଥ ଦର୍ଶାଉଥିବା ବେଳେ ବିରୋଧୀ ଦଳଗୁଡ଼ିକ ଏହାକୁ ଲୋକଙ୍କ ଖାଦ୍ୟ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହୁଛନ୍ତି । ଏହି ସମୟରେ, ଶିବସେନା (UBT) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ବତ ସମସ୍ତ ନିରାମିଷୀଙ୍କୁ ନପୁଂସକ ବୋଲି କହିଛନ୍ତି, ଯାହା ବିବାଦକୁ ଆହୁରି ଦୃଢିଭୂତ କରିଛି। ବିଜେପି ରାଓ୍ବତଙ୍କୁ ଟାର୍ଗେଟ କରିଛି ଏବଂ ଏହି ବକ୍ତବ୍ୟ ପାଇଁ ତାଙ୍କ ଠାରୁ କ୍ଷମା ମାଗିଛି।
ସଞ୍ଜୟ ରାଓ୍ବତ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ଟାର୍ଗେଟ କରିବା ସମୟରେ ଲୋକଙ୍କ ଖାଦ୍ୟ ସ୍ୱାଧୀନତା ଛଡ଼ାଇ ନେବାର ଅଭିଯୋଗ ଆଣି କହିଥିଲେ ଯେ,'ସରକାର ଲୋକଙ୍କୁ ନନ୍-ଭେଜ୍ ଖାଇବାରୁ କିପରି ରୋକିପାରିବେ ? ଏପରି କଟକଣା କାହିଁକି ଲଗାଯାଉଛି ? ସେମାନେ କ'ଣ ଲୋକଙ୍କୁ ନପୁଂସକ କରିବାକୁ ଚାହୁଁଛନ୍ତି ?'
ତେବେ ଫଡନଭିସ ରାଓ୍ବତଙ୍କ ବକ୍ତବ୍ୟର ଜବାବ ଦେଇ କହିଥିଲେ ଯେ, କିଛି ଲୋକ ଏବେ ନିରାମିଷୀଙ୍କୁ ନପୁଂସକ କହୁଛନ୍ତି। ଏହି ମୂର୍ଖତା ବନ୍ଦ ହେବା ଉଚିତ। ପ୍ରତ୍ୟେକ ବ୍ୟକ୍ତି କ'ଣ ଖାଇବ ଏବଂ କ'ଣ ଖାଇବ ନାହିଁ ତାହା ନିଷ୍ପତ୍ତି ନେବାର ଅଧିକାର ଅଛି। ସମ୍ବିଧାନ ସମସ୍ତଙ୍କୁ ବଞ୍ଚିବାର ଅଧିକାର ଦେଇଛି।'
ସେହିଭଳି ବିଜେପି ମିଡିଆ ସେଲ୍ ମୁଖ୍ୟ ନବନାଥ ବାନ୍ ଗୁରୁବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଓ୍ବତଙ୍କ ଠାରୁ ନିଃସର୍ତ୍ତ କ୍ଷମା ମାଗିଛନ୍ତି ।