ଦୁବାଇ,୨୦/୦୯: ଚଳିତ ଏସିଆ କପ୍ରେ ଶନିବାର ସୁପର-୪ ରାଉଣ୍ଡ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କା ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ଏହି ରାଉଣ୍ଡ୍ରେ ପ୍ରବେଶ କରିଥିବା ୪ଟି ଯାକ ଦଳ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ରାଉଣ୍ଡ ରବିନ ଭିତ୍ତିରେ ପରସ୍ପରକୁ ଭେଟିବେ । ପଏଣ୍ଟ ତାଲିକାର ଶ୍ରେଷ୍ଠ ୨ ଦଳ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ ।
ଗ୍ରୁପ୍ ପର୍ଯ୍ୟାୟରେ ବାଂଲାଦେଶ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟି ସାରିଛନ୍ତି । ଶ୍ରୀଲଙ୍କା ଉକ୍ତ ମ୍ୟାଚ୍କୁ ୬ ୱିକେଟ୍ରେ ଜିତିଥିଲା । ଏଥର ବାଂଲାଦେଶ ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଆବୁଧାବି ପିଚ ସ୍ପିନରଙ୍କୁ ବେଶ ସହାୟତା କରୁଛି । ଏଠାରେ ସ୍ପିନରମାନେ ପିଚ୍ର ଫାଇଦା ଉଠାଇବାରେ ସଫଳ ହୋଇଛନ୍ତି । ଶନିବାର ମଧ୍ୟ ସ୍ପିନରମାନେ ଫଳାଫଳ ନିର୍ଦ୍ଧାରଣ କରିବା ଆଶା କରାଯାଉଛି । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ଉଭୟ ଦଳ ମଧ୍ୟରେ ଶ୍ରୀଲଙ୍କା ଅଧିକ ଶକ୍ତିଶାଳୀ ଓ ସନ୍ତୁଳିତ ମନେ ହେଉଛି । ଗ୍ରୁପ୍ ପର୍ଯ୍ୟାୟରେ ଦଳ ୩ଟି ଯାକ ମ୍ୟାଚ ଜିତି ମନୋବଳ ଦୃଢ଼ ରଖିଛି । ବାଂଲାଦେଶ ବିଳମ୍ବରେ ହେଉ ପଛେ ଲୟକୁ ଫେରିଛି । ବୋଲିଂ ବିଭାଗ ଶକ୍ତିଶାଳୀ ରହିଛନ୍ତି । କେବଳ ବ୍ୟାଟିଂ ବିଭାଗର ଛୋଟ ମୋଟ ତ୍ରୁଟିକୁ ସୁଧାରିଲେ ଶ୍ରୀଲଙ୍କାକୁ ହରାଇବା କଷ୍ଟକର ହେବ ନାହିଁ ।
କୁଶଳ ମେଣ୍ଡିସଙ୍କ ଉପରେ ନଜର ରହିବ । ସେ ଗତ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ବିଜୟୀ ପାଳି ଖେଳିଥିଲେ । ଓପନର ପଥୁମ ନିଶଙ୍କା ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି । ଅଲରାଉଣ୍ଡର ୱାନିଣ୍ଡୁ ହସରଙ୍ଗାଙ୍କ ବୋଲିଂ ଉପରେ ମଧ୍ୟ ଦଳ ନିର୍ଭର କରିବ । ସେହିପରି ଲିଟନ ଦାସ ବାଂଲାଦେଶ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବେ। ଚଳିତ ବର୍ଷ ସେ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ସର୍ବାଧିକ ୫୧୩ ରନ ସଂଗ୍ରହ କରିସାରିଛନ୍ତି ।
ଦୁବାଇ ପିଚ୍ ସ୍ପିନରଙ୍କୁ ବେଶ୍ ସହାୟତା କରୁଛି । ଉଭୟ ଦଳରେ କୁଶଳୀ ସ୍ପିନର ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ରାତ୍ରିରେ ମ୍ୟାଚ ରହିଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇପାରନ୍ତି ।
ସମ୍ଭାବ୍ୟ ଦଳ
ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଲ ମେଣ୍ଡିସ, କାମିଲ ମିଶରା, କୁଶଲ ପେରେରା, ଚରିଥ ଆଶାଲଙ୍କା(ଅଧିନାୟକ), କାମିଣ୍ଡୁ ମେଣ୍ଡିସ, ଡାସୁନ ଶଣକା, ଦୁନିଥ ୱେଲାଲଗେ, ୱାନିଣ୍ଡୁ ହସରଙ୍ଗା, ଦୁଷ୍ମନ୍ତ ଚାମୀରା, ନୂଆନ ତୁଷାରା ।
ବାଂଲାଦେଶ: ତନଜିଦ ହାସାନ, ସୈଫ ହାସାନ, ଲିଟନ ଦାସ(ଅଧିନାୟକ), ତୋହିଦ ହୃଦୟ, ସମିମ ହୋସେନ, ନୁରୁଲ ହାସାନ, ଜାକର ଅଲି, ରିଶଦ ହୋସେନ, ନସୁମ ଅହମ୍ମଦ, ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ ।