କାଠମାଣ୍ଡୁ: ଛାତ୍ରମାନଙ୍କ ହିଂସ୍ରକ ପ୍ରତିବାଦ ପରେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି । ଓଲିଙ୍କ ଇସ୍ତଫା ପରେ ମଧ୍ୟ ଦେଶରେ ପ୍ରତିବାଦ ଜାରି ରହିଛି । ଏବେ ନେପାଳ ଦାୟିତ୍ବଭାର କିଏ ଗ୍ରହଣ କରିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯିବା ନିଷ୍ପତ୍ତିକୁ ନେଇ ଜେନ-ଜି ଆନ୍ଦୋଳନ ତୀବ୍ର ହୋଇଥିଲା । ଏବେ ନେପାଳର ସରକାର ଭୁଶୁଡ଼ି ପଡ଼ିଛି । ଜେନ-ଜି ଆନ୍ଦୋଳନ କେବଳ ଯେ, ସରକାର ଭାଙ୍ଗି ଦେଇଛି ତା ନୁହେଁ ଦେଶର ଯୁବପିଢ଼ି ପୁରୁଣା ନେତାମାନଙ୍କ ଉପରେ ଭରସା କରୁନଥିବା ଜଣାପଡ଼ିଛି ।
ଓଲିଙ୍କ ଇସ୍ତଫା ପରେ ବଳେନ୍ଦ୍ର ଶାହ ବା 'ବାଲେନ' ଦେଶର ନୂତନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ବାଲେନ ଶାହ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଜେନ-ଜି ଦାବି କରିଛନ୍ତି । କିନ୍ତୁ ବାଲେନ ଶାହ ଭାରତ ବିରୋଧରେ ଅନେକ ଥର ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ । ଅନେକ ଥର ସେ ଭାରତକୁ କଟାକ୍ଷ କରିଛନ୍ତି । ଏପରି ପରିସ୍ଥିତିରେ ଯଦି ବାଲେନ ଶାହ ପ୍ରକୃତରେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଭାରତକୁ ବହୁତ ସତର୍କତାର ସହିତ ନେପାଳ ନୀତି ପ୍ରସ୍ତୁତ କରିବାକୁ ପଡିବ। ନୂତନ ସରକାରଙ୍କ ସହିତ ସମ୍ପର୍କ ସମ୍ବେଦନଶୀଳ ଭାବରେ ଗଢ଼ିବାକୁ ପଡିବ ।
ବାଲେନ୍ ଶାହ କିଏ ?
ବାଲେନ୍ ଶାହ ଅତୀତରେ କିଛି ବୟାନ ଦେଇଛନ୍ତି, ଯାହାକୁ ଭାରତ ପ୍ରତି ଏକ ଉପହାସ କୁହାଯାଇପାରେ । ସେ ଥରେ ନେପାଳ ସରକାରଙ୍କୁ 'ଭାରତର ଦାସ' ବୋଲି କହିଥିଲେ । ଏହା ବ୍ୟତୀତ ସେ ରାଜଧାନୀ କାଠମାଣ୍ଡୁରେ ଚଳଚ୍ଚିତ୍ର 'ଆଦିପୁରୁଷ' ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଚଳଚ୍ଚିତ୍ରରେ ସୀତା ମାତାଙ୍କୁ ନେପାଳ ବଦଳରେ ଭାରତର ଝିଅ କୁହାଯାଇଥିଲା ଏବଂ ବାଲେନ୍ ସୀତା ମାତାଙ୍କୁ ନେପାଳର ଝିଅ ବୋଲି କହିଥିଲେ । ତାଙ୍କର ଏହି ଯୁକ୍ତି ଠିକ୍ । ବାଲେନ୍ ଶାହଙ୍କ ରାଜନୈତିକ ଯାତ୍ରା ବିଷୟରେ କହିବାକୁ ଗଲେ, ନେପାଳର ରାଜନୀତିରେ ବାଲେନ୍ ଶାହଙ୍କ ଉତ୍ଥାନ କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ । ପେଶାରେ ଜଣେ ସିଭିଲ୍ ଇଞ୍ଜିନିୟର ଏବଂ ନିଶା ଥିଲା ତାଙ୍କର ରାପ୍ । ସେ ଜଣେ ଲୋକପ୍ରିୟ ରାପର୍ । ବାଲେନ୍ ପରେ ରାଜନୀତିରେ ପ୍ରବେଶ କରିଥିଲେ। ପରେ ସେ ନେପାଳର ରାଜଧାନୀ କାଠମାଣ୍ଡୁର ମେୟର ନିର୍ବାଚନରେ ବିଜୟୀ ହୋଇଥିଲେ ଏବଂ ସେ ପ୍ରାୟତଃ ଯୁବପିଢ଼ିଙ୍କ ସ୍ୱର ଉଠାଇଥାନ୍ତି ।
ବାଲେନ୍ ଶାହ କେବଳ ଯୁବପିଢ଼ିଙ୍କ ସମସ୍ୟା ପାଇଁ ଦୃଢ଼ ସ୍ୱର ଉଠାନ୍ତି ତାହା ନୁହେଁ, ବରଂ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସଚ୍ଚୋଟ ନେତୃତ୍ୱର ପ୍ରତିଶ୍ରୁତି ଦେଇ ନିଜର ଛାପ ମଧ୍ୟ ସୃଷ୍ଟି କରିଛନ୍ତି । ଏହି କାରଣରୁ ଓଲିଙ୍କ ଇସ୍ତଫା ପରେ ତାଙ୍କ ନାମ ସବୁଠାରୁ ଅଧିକ ଆଲୋଚନା ହେଉଛି । ବାଲେନ୍ ଶାହ ଏବେ ନେପାଳର ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଜେନ- ଜିଙ୍କ ଦୃଷ୍ଟିରେ, ବାଲେନ୍ ଶାହ ପରିବର୍ତ୍ତନର ପ୍ରତୀକ। କାଠମାଣ୍ଡୁର ରାସ୍ତାକୁ ବାହାରି ଆସିଥିବା ଯୁବପିଢ଼ି ତାଙ୍କୁ ନିଜର ସ୍ୱର ବୋଲି ମାନୁଛନ୍ତି ।
ପ୍ରତିବାଦକାରୀମାନେ ବାଲେନ୍ ଶାହଙ୍କୁ ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ କରିବାକୁ ଦାବି କରିଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି ଯେ, ଆଞ୍ଚଳିକ ରାଜନୀତିରେ ସଫଳ ହୋଇଥିବା ବାଲେନ୍ ଶାହ କ’ଣ ଜାତୀୟ ରାଜନୀତିର ଜଟିଳତାକୁ ସମ୍ଭାଳି ପାରିବେ ? ପାରମ୍ପରିକ ଦଳଗୁଡ଼ିକ ଏବେ ବି ସଂସଦରେ ପ୍ରାଧାନ୍ୟ ବିସ୍ତାର କରନ୍ତି ଏବଂ କେବଳ ଲୋକପ୍ରିୟତା କ୍ଷମତାର ଡୋର ଧରିବା ପାଇଁ ଯଥେଷ୍ଟ ନୁହେଁ । ରାସ୍ତାରେ ଲଢ଼ି ପ୍ରଧାନମନ୍ତ୍ରୀ ହେବା ସହଜ ହୋଇପାରେ, କିନ୍ତୁ ଲୋକଙ୍କ ଆଶା ପୂରଣ କରିବା କଷ୍ଟକର।