ଆରମ୍ଭରୁ ଏଠାରେ ସୂଚାଇ ଦିଆଯାଉଛି ଯେ,  ଉପରୋକ୍ତ ବିଷୟଟି ହିନ୍ଦୁ ମୁସଲିମ କେନ୍ଦ୍ରିତ  ନୁହେଁ । ଭାରତ ଦେଶର ଭବିଷ୍ୟତ ଓ ଏହାର କୋଟି  କୋଟି ନାଗରିକଙ୍କର ସୁରକ୍ଷା ଏଥିରେ ସଂଶ୍ଳିଷ୍ଟ । ଭୂଗୋଳ  ମାନଚିତ୍ର ଦେଖିଲେ ଜାଣିପାରିବେ ଯେ, ବାଂଲାଦେଶ  ଭାରତର ଡାହାଣ ବାହୁଛାୟା ତଳେ ପ୍ରବିଷ୍ଟ । ଭାରତ-ବାଂଲାଦେଶ ମଧ୍ୟରେ ଆନ୍ତର୍ଜାତିକ ସୀମାରେଖା ହେଉଛି  ୪୯୬ କିଲୋମିଟର ଏବଂ ଏହା ଭାରତର ପାଞ୍ଚଗୋଟି  ପ୍ରଦେଶ- ତ୍ରିପୁରା, ମିଜୋରାମ, ମେଘାଳୟ, ଆସାମ ଓ  ପଶ୍ଚିମ ବଙ୍ଗଳା ସହିତ ଜଡ଼ିତ । ଶେଷରେ  ବର୍ଣ୍ଣିତ ଭାରତ-ରାଜ୍ୟରେ ବାଂଲାଦେଶ  ସୀମାର ପ୍ରାୟ ୨୭ଭାଗ ଥିବା ସଙ୍ଗେ  ସଙ୍ଗେ ଏଠାରେ ଥିବା ୧୦କୋଟି ୩୫ଲକ୍ଷ  ଜନସଂଖ୍ୟା ଏବଂ ବାଂଲାଦେଶରେ ଥିବା  ୧୭କୋଟି ୧୨ଲକ୍ଷ ଜନତାଙ୍କର ମାତୃଭାଷା  ହେଉଛି ଗୋଟିଏ- ବାଂଲା । ଏହିପରି  ପୃଷ୍ଠଭୂମିରେ ଥିବା ଆମର ପଡ଼ୋଶୀ  ଦେଶରେ ସଂଘାତ ଘଟିଲେ ଭାରତ ଆଖି ବୁଜିଦେଇପାରିବ  ନାହିଁ । 

ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ପୁତ୍ରୀ  ଶେଖ ହାସିନା, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ  ହୋଇ ୧୯୯୬-୨୦୦୧, ୨୦୦୯-୨୦୧୪, ୨୦୧୪- ୨୦୧୯, ୨୦୧୯-୨୦୨୪ ଏଭଳି ୨୦ବର୍ଷ ବାଂଲାଦେଶର  ପ୍ରଧାନମନ୍ତ୍ରୀ ହୋଇସାରି ୨୦୨୪ ଜାନୁଆରୀ ଠାରୁ ଆଉ  ୫ବର୍ଷର ଶାସନ କାର୍ଯ୍ୟ ଆରମ୍ଭ କରିଥିଲେ । ହଠାତ୍‌  ଏକ ଆମେରିକୀୟ ଷଡ଼ଯନ୍ତ୍ରର ଶିକାର ହୋଇ ଅଗଷ୍ଟ  ୫ ତାରିଖରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ  ସେନାମୁଖ୍ୟଙ୍କ ଆଦେଶରେ ଅପସରି, ଦେଶ ଛାଡ଼ି  ଭାରତ ଚାଲି ଆସିଲେ । ଆମେରିକାର ବହୁ ବର୍ଷ ଧରି  ପ୍ରଚାର ଦ୍ୱାରା ଗୋଟିଏ ମିଥ୍ୟା ଧାରଣା ବସା ବାନ୍ଧିଛି ଯେ,  ଶେଖ ହାସିନାଙ୍କ ନିର୍ବାଚନୀ ବିଜୟଗୁଡ଼ିକ ପ୍ରବଞ୍ଚନା ଥିଲା ।  କିନ୍ତୁ କେହି ଏପର୍ଯ୍ୟନ୍ତ ଠୋସ୍‌ ପ୍ରମାଣ ଦେଇପାରି ନାହାନ୍ତି  ଯେ, ଶେଖ ହାସିନା ପ୍ରତାରଣା କରି ନିର୍ବାଚନ ଜିତିଛନ୍ତି ।  

ଏହି ପ୍ରବନ୍ଧର ଲେଖକ, କିଛି ବର୍ଷ ପୂର୍ବେ ପ୍ରାୟ ୨୦୧୫  ଆଡ଼କୁ ବାଂଲାଦେଶର ଜଣେ ପ୍ରଫେସର, ଯିଏକି ଏକ  ଆଲୋଚନାରେ ମୁଖ୍ୟବକ୍ତା ଥିଲେ, ପ୍ରଶ୍ନ କରିଥିଲେ  କି, ଖାଲେଦା ଜିଆଙ୍କ ବାଂଲାଦେଶ ନେସନାଲିଷ୍ଟ ପାର୍ଟି  (ବିଏନପି) କାହିଁକି ନିର୍ବାଚନରେ ଭାଗ ନେଉନାହିଁ?  ପ୍ରଫେସରଙ୍କ ଉତ୍ତର ଥିଲା- ମୁଁ ଜାଣିନାହିଁ । ଖାଲେଦା  ଜିଆଙ୍କ ରାଜନୈତିକ ଭିତ୍ତିଭୂମି ଦୁର୍ବଳ ଅଟେ, ତେଣୁ ସେ  ନିର୍ବାଚନରେ ଭାଗ ନେଉନଥିଲେ । ତାଙ୍କ ସ୍ୱାମୀ ଜେନେରାଲ  ଜିଆଉ ରହମନ, ଯିଏକି ବଙ୍ଗବନ୍ଧୁଙ୍କୁ ୧୯୭୫ରେ  ହତ୍ୟା ପରେ ୧୯୭୭ରୁ ୧୯୮୧ ଯାଏଁ ବାଂଲାଦେଶରେ ପ୍ରେସିଡେଣ୍ଟ ଥିଲେ, ସିଏ ନିଜର ଅଗଣତାନ୍ତ୍ରିକ କ୍ଷମତା  ଦଖଲକୁ ଗଣତନ୍ତ୍ରର ମୁଖା ପିନ୍ଧାଇବା ପାଇଁ ୧୯୭୮ରେ ବିଏନପି ଗଠନ କରିଥିଲେ, ଯେଉଁଥିରେ କେତେଗୁଡ଼ିଏ  ବିଶୃଙ୍ଖଳ ଗୋଷ୍ଠୀ ଯଥା- ବାମପନ୍ଥୀ, ଦକ୍ଷିଣପନ୍ଥୀ,  ସୁବିଧାବାଦୀ, ଜମାତ-ଇ-ଇସଲାମୀ ଭଳି ପାକିସ୍ତାନୀ  ସମର୍ଥକମାନଙ୍କୁ ରଖିଥିଲେ । ଏମାନେ କସ୍ମିନ କାଳେ  ବାଂଲାଦେଶର ସଂଖ୍ୟାଧିକ ଜନସଂଖ୍ୟାର ସମର୍ଥନ ପାଇନଥିଲେ । ଯଦିଓ ଖାଲେଦା ଜିଆ ୧୯୯୧ରୁ ୧୯୯୬  ଏବଂ ୨୦୦୧ରୁ ୨୦୦୬ ବାଂଲାଦେଶର ପ୍ରଧାମନ୍ତ୍ରୀ ଭାବେ  କାର୍ଯ୍ୟ କରିଥିଲେ । 

ଶେଖ୍‌ ହାସିନାଙ୍କ ଆୱାମି ଲିଗ୍‌ ପାର୍ଟି ତାଙ୍କର  ସ୍ୱନାମଧନ୍ୟ ପିତା ବଙ୍ଗବନ୍ଧୁ ଶେଖ୍‌ ମୁଜିବୁର ରହମନ  ୧୯୭୨ ମସିହାରେ ପାକିସ୍ତାନ ବିରୁଦ୍ଧରେ ଲଢୁଥିବା  ମୁକ୍ତିବାହିନୀର ତ୍ୟାଗପୂତ ସୈନିକ ଏବଂ ସେମାନଙ୍କର  ଅଗଣିତ ସମର୍ଥକ, ଯେଉଁମାନଙ୍କର ଐତିହାସିକ  ଲଢ଼େଇରୁ ବାଂଲାଦେଶ ୧୯୭୧ରେ ଜନ୍ମ ହେଲା,  ସେହିମାନଙ୍କୁ ନେଇ ଏହି ରାଜନୈତିକ ଦଳ ଗଠନ  କରିଥିଲେ । ଏହି ଦଳର ମଞ୍ଜି ହେଉଛି ଉଦାରବାଦୀ  ଓ ଧର୍ମନିରପେକ୍ଷତା । ଏବେ ମଧ୍ୟ ବାଂଲାଦେଶର  ସଂଖ୍ୟାଗରିଷ୍ଠ ଜନତା ଆୱାମି ଲିଗ୍‌ ସପକ୍ଷରେ । 

ତେବେ ଅଗଷ୍ଟ ୫ ତାରିଖରେ ବାଂଲାଦେଶରେ  ଯେଉଁ ଅଗଣତାନ୍ତ୍ରିକ ଏବଂ ଚକ୍ରାନ୍ତମୂଳକ ଘଟଣାରେ  ଶେଖ୍‌ ହାସିନା ପ୍ରଧାନମନ୍ତ୍ରୀ ପଦରେ ସାଧାରଣ ନିର୍ବାଚନ  ଦ୍ୱାରା ବିଜୟୀ ହୋଇ ଅଧିଷ୍ଠିତ ଥିଲେ ମଧ୍ୟ ବାଂଲାଦେଶ  ପରିତ୍ୟାଗ କଲେ, ତାହା ବାଂଲାଦେଶର ଅନେକ କଳଙ୍କିତ  ଅଧ୍ୟାୟ ସହ ଇତିହାସରେ ଯୋଡ଼ି ହୋଇଗଲା । କିନ୍ତୁ ଏହି  ଷଡ଼ଯନ୍ତ୍ରରେ ଯେଉଁମାନେ ଜଡ଼ିତ ସେମାନଙ୍କ ଦେହରେ  ରକ୍ତର ଛିଟା ଲାଗିନଥିଲେ ମଧ୍ୟ ଆଗାମୀ ଦିନରେ ଏମାନେ  ବାଂଲାଦେଶର ଚିରସ୍ରୋତା ପଦ୍ମା, ମେଘନା, ତିସ୍ତା,  ଏହିପରି ଆହୁରି ଅନେକ ନଦୀରେ ଯେ ରକ୍ତ ବୁହାଇବେ  ଏଥିରେ ସନ୍ଦେହ ନାହିଁ । ଗୋଟିଏ ସାଧାରଣ ଧାରଣା  ଭାରତୀୟମାନଙ୍କ ପାଖରେ ଥାଇପାରେ ଯେ, ଶେଖ୍‌  ହାସିନା ତାଙ୍କ ଦେଶର ଛାତ୍ର ଆନ୍ଦୋଳନର ପରିଣତିରେ  ଦେଶ ଛାଡ଼ିଲେ । ଏହା ଭ୍ରମାତ୍ମକ । 

ଜୁନ ୨୦୨୪ରେ ଛାତ୍ର ଆନ୍ଦୋଳନ ଆରମ୍ଭ ହେଲା,  ଯେତେବେଳେ ସୁପ୍ରିମ କୋର୍ଟ ବାଂଲାଦେଶର ସ୍ୱାଧୀନତା  ସଂଗ୍ରାମୀ(ମୁକ୍ତିବାହିନୀ, ୧୯୭୧)ମାନଙ୍କର ଦାୟାଦମାନଙ୍କୁ  ୩୦ଭାଗ ସରକାରୀ ପଦ ପଦବିରେ ନିଯୁକ୍ତି ପାଇଁ, ଯାହା  ଆଗରୁ ସରକାର ଉଠାଇ ଦେଇଥିଲେ ପୁନଃ ସ୍ଥାପନ  କଲେ । ଛାତ୍ରମାନଙ୍କ ଆନ୍ଦୋଳନ ପ୍ରଭାବରେ ସୁପ୍ରିମ କୋର୍ଟ  ୨୧ ଜୁଲାଇ ୨୦୨୪ରେ ଚାକିରି ସଂରକ୍ଷଣ ମୋଟ୍‌ ଶତକଡ଼ା  ୫୬ ଭାଗରୁ ୭ ଭାଗକୁ କମାଇ ଦେଲେ । ତାହାପରେ ଛାତ୍ର  ଆନ୍ଦୋଳନ ଜୁଲାଇ ୨୩ରୁ ସ୍ଥଗିତ ରହିଲା । ଯେଉଁ ଭୟଙ୍କର  ଷଡ଼ଯନ୍ତ୍ର ଓ ଆନ୍ତର୍ଜାତିକ ଚକ୍ରାନ୍ତ ଯୋଗୁଁ ଛାତ୍ର ଆନ୍ଦୋଳନ  (ଏଥିରେ ଜାମାତ-ଇ-ଇସଲାମି ଛାତ୍ର ସଂଘ ଥିଲେ) ପୁଣି  ହଠାତ୍‌ ଜୁଲାଇ ୨୯ରୁ ଆରମ୍ଭ ହେଲା, ତାହା ବିଶେଷ  ଭାବେ ଭାରତୀୟଙ୍କୁ ଜଣାନାହିଁ । ଜାମାତ-ଇ-ଇସଲାମି  ଏକ କଠୋରପନ୍ଥୀ ଧାର୍ମିକ ଓ ରାଜନୈତିକ ଗୋଷ୍ଠୀ ।  ଏମାନେ ପାକିସ୍ତାନରେ ବହୁ କାଳରୁ ଅଛନ୍ତି ଏବଂ ୧୯୭୧  ବାଂଲାଦେଶ ମୁକ୍ତି ଯୁଦ୍ଧରେ ପାକିସ୍ତାନ ସେନାବାହିନକୁ  ସାହାଯ୍ୟ କରିଥିଲେ । ସେତେବେଳଠୁ ଏମାନେ ବାଂଲା  ଭାଷା କହୁଥିବା କେବଳ ହିନ୍ଦୁ ନୁହନ୍ତି, ମୁସଲମାନଙ୍କୁ ବି  ବିରୋଧ କରୁଥିଲେ ଏବଂ ରକ୍ତପାତରେ ମଧ୍ୟ ସଂଶ୍ଳିଷ୍ଟ  ଥିଲେ । ଏହି ଜାମାତ ଗୋଷ୍ଠୀକୁ ବାଂଲାଦେଶରେ ଥିବା  ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଗୋପନୀୟ ଭାବେ  ଜୁଲାଇ ୨୩ରୁ ୨୮ ତାରିଖ ମଧ୍ୟରେ ଭେଟ ହୋଇଥିଲେ ।  ସେ ଏହି ଗୋଷ୍ଠୀକୁ ପୁନର୍ବାର ଆନ୍ଦୋଳନ ପାଇଁ ଆର୍ଥିକ  ସାହାଯ୍ୟ ଦେବା ସଙ୍ଗେ ସଙ୍ଗେ ଶେଖ୍‌ ହାସିନାଙ୍କୁ  ଗାଦିଚ୍ୟୁତ କରିବା ପାଇଁ ମନ୍ତ୍ରଣା କରିଥିଲେ । ମୂଳରୁ  ଜାମାତ-ଇ-ଇସଲାମି ଶେଖ୍‌ ହାସିନାଙ୍କ ବିରୁଦ୍ଧରେ  ଥିଲେ । ଯେହେତୁ ସେ ପ୍ରଧାନମନ୍ତ୍ରୀ ଭାବେ ଏହି ଧାର୍ମିକ  ଗୋଷ୍ଠୀର କଠୋର ନୀତି ଯୋଗୁଁ ଏହାକୁ ନିଷିଦ୍ଧ ଘୋଷଣା  କରିଥିଲେ । ଏମାନେ ବାଂଲାଦେଶରେ ୨୫୦୦୦ ଧାର୍ମିକ  ଶିକ୍ଷା ଅନୁଷ୍ଠାନ ପରିଚାଳନା କରୁଛନ୍ତି । ତେଣୁ ଛାତ୍ର  ଜାମାତ୍‌ ସଂଗଠନ ଦୃଷ୍ଟିରୁ ବହୁତ ମଜଭୁତ ।

 ଏମାନେ  ମୌଳବାଦୀ, ଧର୍ମାନ୍ଧ, ହିଂସାପରାୟଣ । ଏହି ତଥାକଥିତ  ଛାତ୍ର ଆନ୍ଦୋଳନକାରୀମାନେ ପୋଲିସର ନିୟନ୍ତ୍ରଣକୁ  ପ୍ରତିରୋଧ କଲେ, ୩୦ରୁ ଊଦ୍ଧ୍ୱର୍ ପୋଲିସ ଅଫିସରଙ୍କୁ  ହତ୍ୟା କଲେ, ଶହ ଶହ ଥାନା, ପୋଲିସ ଗାଡ଼ି, ଫାଣ୍ଡିରେ  ନିଆଁ ଲଗାଇଲେ । ଆଗରୁ ଯୋଜନା ଅନୁଯାୟୀ ଢାକାରେ  ଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ବାଂଲାଦେଶ  ଛାଡ଼ିଲେ । ଏବେ ଅସ୍ଥାୟୀ ସରକାରଙ୍କ (ନାମକୁ ମାତ୍ର)  ମୁଖ୍ୟ ପରାମର୍ଶଦାତା, ଯାହାଙ୍କର ଆଗରୁ ଶେଖ୍‌ ହାସିନାଙ୍କ  ସରକାର ସହିତ ଜେଲ୍‌ ଯିବା ଭଳି ତିକ୍ତ ଅନୁଭୂତି  ଥିଲା, ଯିଏ ଯୁକ୍ତରାଷ୍ଟ୍ର ଆମେରିକାର ଡେମୋକ୍ରାଟିକ  ପାର୍ଟିର ବନ୍ଧୁ, ସେ ମଧ୍ୟ ଆଗରୁ ଜାଣିଥିବା ପରି ପ୍ୟାରିସ  ଅଲିମ୍ପିକ୍ସ ବୁଲିବାକୁ ଚାଲିଗଲେ । ଜୁଲାଇ ୪ ତାରିଖରୁ  ଏହି ତଥାକଥିତ ଛାତ୍ରମାନେ ହାସିନାଙ୍କ ସରକାରଙ୍କ  ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ କଲେ ଏବଂ ତାଙ୍କ  ସରକାରଙ୍କର ଇସ୍ତଫା ଦାବି କଲେ । 

ଜୁଲାଇ ୫ ତାରିଖରେ  ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଏକ  ଯୁଦ୍ଧବାହିନୀ ଭଳି ମାଡ଼ି ଆସିଲେ, ଯେପରିକି ଆଗରୁ  ଯୋଜନା ଥିଲା, ବାଂଲାଦେଶର ସେନା ମୁଖ୍ୟ ମାର୍କିନ  ଯୁକ୍ତରାଷ୍ଟ୍ରର ମନ୍ତ୍ରଣାରେ ପ୍ରଭାବିତ ହୋଇ । ପ୍ରଧାନମନ୍ତ୍ରୀ  ଶେଖ୍‌ ହାସିନା ଯେତେବେଳେ ସେନାର ସୁରକ୍ଷା ମାଗିଲେ  ସେତେବେଳେ ସେ ସେନାର ସୁରକ୍ଷା ମନା କରିବା ସଙ୍ଗେ  ସଙ୍ଗେ ୪୫ ମିନିଟ ମଧ୍ୟରେ ବାଂଲାଦେଶ ପରିତ୍ୟାଗ  ପାଇଁ ବାଧ୍ୟ କଲେ ଏବଂ କହିଲେ, ଛାତ୍ରମାନେ ଆପଣଙ୍କ  ପ୍ରଧାନମନ୍ତ୍ରୀ ବାସଭବନକୁ ମାଡ଼ି ଆସୁଛନ୍ତି, ସେନା  ତାଙ୍କୁ ଅଟକାଇ ନାହିଁ । ତାହାପରେ ବାଧ୍ୟ ହୋଇ ହାସିନା  ବାଂଲାଦେଶ ଛାଡ଼ି ଢାକାର ନିକଟବର୍ତ୍ତୀ ଭାରତୀୟ ସୈନ୍ୟ  ଛାଉଣୀ ଅଗରତଲାକୁ ଚାଲି ଆସିଲେ । 

ଏଠାରେ ସ୍ୱାଭାବିକ ପ୍ରଶ୍ନ ଉଠିବ ଯେ, ମାର୍କିନ  ଯୁକ୍ତରାଷ୍ଟ୍ର, ବାଂଲାଦେଶରେ ବିଶେଷତଃ ଶେଖ୍‌ ହାସିନାଙ୍କ  ବିରୁଦ୍ଧରେ ଏପରି କ୍ରୁର କୂଟନୀତି କାହିଁକି କଲା?  ବାଂଲାଦେଶର ଦକ୍ଷିଣରେ ବଙ୍ଗୋପସାଗର ମଧ୍ୟରେ  ଅନେକ ଦ୍ୱୀପ ଅଛି, ଯାହା ବାଂଲାଦେଶର ସାର୍ବଭୌମ  କ୍ଷେତ୍ର । ସେଥିରୁ ଗୋଟିଏ ଦ୍ୱୀପର ନାମ ସେଣ୍ଟ  ମାର୍ଟିନ୍ସ । ଆମେରିକା ଏହି ଦ୍ୱୀପର ମାଲିକାନା ନେବା  ପାଇଁ ବହୁ ବର୍ଷ ହେଲା ଶେଖ୍‌ ହାସିନାଙ୍କ ଉପରେ  ପ୍ରଭାବ ପକାଉଥିଲା, କିନ୍ତୁ ବିଫଳ ହେଉଥିଲା ।  ଯେହେତୁ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ତାଙ୍କ ପିତାଙ୍କ  ପରି ଜାତୀୟବାଦୀ ଥିଲେ ଏବଂ ଜଣେ ଦୃଢ଼ ଶାସକ  ଥିଲେ ଏବଂ ଆମେରିକାର ଏହି ଅବାଞ୍ଛିତ ଅନୁରୋଧକୁ  ପ୍ରତ୍ୟାଖ୍ୟାନ କରୁଥିଲେ । ଯୁକ୍ତରାଷ୍ଟ୍ର ଆମେରିକା,  ଯିଏକି ଜଗତର ସର୍ବୋଚ୍ଚ ଶକ୍ତିଶାଳୀ ରାଷ୍ଟ୍ର ଭାବେ  ପୃଥିବୀପୃଷ୍ଠରେ ଦମ୍ଭରେ ପାଦ ଦେଇ ସାମ୍ରାଜ୍ୟବାଦୀର  ମନୋଭାବ ପ୍ରକାଶ କରୁଛି, ଚାହେଁ ଯେ ପୃଥିବୀର  ସମସ୍ତ ଦେଶ ତାହାର ସାମନ୍ତବାଦକୁ ସ୍ୱୀକାର କରନ୍ତୁ ।  

ସେଣ୍ଟ ମାର୍ଟିନ୍ସ ଦ୍ୱୀପ ପାଇଲେ ସେଠାରେ ଏକ  ସାମରିକ ଘାଟି ସ୍ଥାପନ କରି କେବଳ ଦକ୍ଷିଣ ଏସିଆ  ନୁହେଁ, ଚୀନ ସହିତ ସମସ୍ତ ଏସିଆ ମହାଦେଶରେ  ଦାଦାଗିରି କରିବ । ୧୯୭୧ର ବାଂଲାଦେଶ ମୁକ୍ତିଯୁଦ୍ଧ  ବେଳେ ପାକିସ୍ତାନୀ ସେନାର ବର୍ବରୋଚିତ କାଣ୍ଡରୁ  ରକ୍ଷା ପାଇବା ପାଇଁ ନିୟୁତ ସଂଖ୍ୟାରେ ଶରଣାର୍ଥୀ  ଭାରତ ସୀମାରେ ପ୍ରବେଶ କରିଥିଲେ । ସେତେବେଳେ  ଭାରତୀୟ ସେନା ପାକିସ୍ତାନ ସୈନ୍ୟ ସହିତ ଲଢ଼େଇ  କରିବାକୁ ବାଧ୍ୟ ହୋଇଥିଲେ । ସେତେବେଳେ ଅତି  ଗର୍ବୀ ଯୁକ୍ତରାଷ୍ଟ୍ର ଆମେରିକା, ପାକିସ୍ତାନ ସେନାକୁ  ସମର୍ଥନ ଜଣାଇ ବଙ୍ଗୋପସାଗରକୁ ଆମେରିକାର  ସର୍ବଶକ୍ତିମାନ ନୌଜାହାଜ ‘ସେଭେନ୍ଥ ଫ୍ଲିଟ୍‌’କୁ  ପଠାଇଥିଲା । କିନ୍ତୁ ଏଥିରେ ଇନ୍ଦିରା ଗାନ୍ଧୀଙ୍କ କୂଟନୀତି ସଫଳ ହୋଇଥିଲା।