ବରଗଡ,୧୯।୧୦ : ୭୭ ତମ ବରଗଡ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁୟାରୀ ୩ରୁ ଆରମ୍ଭ ହୋଇ ୧୩ ପର୍ଯ୍ୟନ୍ତ ହେବ । ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରଥମ ପ୍ରସ୍ତୁତି ବୈଠକରେ ଗତ ବର୍ଷର ଆୟବ୍ୟୟ ସଂପର୍କରେ ସବିଶେଷ ଆଲୋଚନା ହୋଇଥିଲା ।
ଧନୁଯାତ୍ରା ମହୋତ୍ସବ ସମିତିର ବିଭିନ୍ନ କମିଟିର କର୍ମକର୍ତ୍ତାମାନେ ଗତ ବର୍ଷର ବଜେଟ କହିବା ସହ ଖର୍ଚ୍ଚ ସଂପର୍କରେ ସୂଚନା ଦେଇଥିଲେ । ଏହାସହ ଯେଉଁ କମିଟି ଅତିରିକ୍ତ ଖର୍ଚ୍ଚ କରି ପାଉଣା ପାଇ ନାହାନ୍ତି ତାହା ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ପାରମ୍ପରିକ ଢଙ୍ଗରେ ଆସନ୍ତା ଧନୁଯାତ୍ରା କେମିତି ଭଲରେ ହେବ ସେ ଉପରେ ଆଲୋଚନା କରାଯାଇଥିଲା । କିଛି ସଦସ୍ୟ ଆୟବ୍ୟୟକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଜିଲ୍ଲାପାଳ ଏକ ସ୍କୃଟିନି ତଥା ଟେକନିକାଲ କମିଟି ଗଠନ କରି ସବୁର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପ୍ରଥମ ବୈଠକ ହୋଇଥିବା ବେଳେ ବିଶେଷ କରି ଆୟବ୍ୟୟ ଉପରେ ହିଁ ଅଧିକ ଆଲୋଚନା ହୋଇଥିଲା । କମିଟିରେ ନୂତନ ସଦସ୍ୟମାନଙ୍କୁ ଯୋଡିବା ସହ କମିଟି ଅନୁସାରେ ଦକ୍ଷତାକୁ ଦେଖି ସଦସ୍ୟ ଭାବରେ ନିଆଯାଉ ବୋଲି ବୈଠକରେ କିଛି ସଦସ୍ୟ ମତ ରଖିଥିଲେ । ବରଗଡର ସମସ୍ତ ବର୍ଗଙ୍କୁ କିଭଳି ଯୋଡାଇଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବାକୁ ସଦସ୍ୟଗଣ ପ୍ରସ୍ତାବ ଦେଇଥିଲେ । ପରବର୍ତ୍ତି ବୈଠକରେ ଧନୁଯାତ୍ରାର ସବିଶେଷ ପ୍ରସ୍ତୁତି ପୁଣି ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।