ନୂଆଦିଲ୍ଲୀ,୮।୧୨: ରାଜସ୍ଥାନର ବିକାନେରରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶର ଜଣେ ବି.ଟେକ୍ ଗ୍ରାଜୁଏଟ୍ ଛାତ୍ର ପ୍ରଶାନ୍ତ ଭେଦାମ ବେଆଇନ ଭାବରେ ବର୍ଡର ପାର କରିବା ବେଳେ ପୁଲିସ ଅଟକ ରଖି। ସେ ବେଆଇନ ଭାବରେ ପାକିସ୍ତାନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସୀମା ନିକଟରେ ଧରାପଡିଥିବା ଯୁବକ ବିଶାଖାପାଟଣାର ବାସିନ୍ଦା। ସେ ତାଙ୍କ ପାକିସ୍ତାନୀ ପ୍ରେମିକାଙ୍କୁ ଭେଟିବା ପାଇଁ ସୀମା ପାର କରିବାକୁ ଚାହୁଁଥିଲେ। ତାଙ୍କ କାହାଣୀ ଶୁଣି ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା।
ପୁଲିସର କହିବା ଅନୁଯାୟୀ, ପ୍ରଶାନ୍ତ ଖାଜୁୱାଲାରେ ଏକ ବସ୍ ରୁ ଓହ୍ଲାଇ ସିଧା ଅନ୍ତର୍ଜାତୀୟ ସୀମା ଆଡକୁ ଯାଇଥିଲେ। ତାଙ୍କର ସନ୍ଦେହଜନକ ଆଚରଣ ଦେଖି, ସୈନିକମାନେ ତାଙ୍କୁ ଅଟକାଇଲେ। ପଚରାଉଚରା ପରେ, ତାଙ୍କୁ ଖାଜୁୱାଲା ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଏସଏଚଓ ହରପାଲ ସିଂହ କହିଛନ୍ତି, ‘ପ୍ରଶାନ୍ତ ଖୋଲାଖୋଲି ଭାବରେ ପାକିସ୍ତାନ ଯିବା ପାଇଁ ସହଜ ଉପାୟ ମାଗୁଥିଲେ।। ଏହା ସ୍ୱାଭାବିକ ଭାବରେ ତାଙ୍କର କାର୍ଯ୍ୟକଳାପକୁ ସନ୍ଦେହଜନକ କରିଥିଲା। ତଦନ୍ତ ବେଳେ ଜଣାପଡିଛି ଯେ, ଏହା ପ୍ରଥମ ଥର ନୁହେଁ। ୨୦୧୭ ରେ ସେ ବିକାନେରର କରଣି ପୋଷ୍ଟରୁ ପାକିସ୍ତାନ ଭିତରେ ସେ ପଶିଥିଲେ। ପାକିସ୍ତାନୀ ସେନା ତାଙ୍କୁ ଗିରଫ କରିଥିଲା ଓ ସେଠାରେ ୪ ବର୍ଷ ଅର୍ଥାତ ୨୦୨୧ ପର୍ଯ୍ୟନ୍ତ ଜେଲରେ ଥିଲେ। ଏହାପରେ ତାଙ୍କୁ ଅଟାରୀ ବର୍ଡର ରାସ୍ତା ଦେଇ ଭାରତ ଫେରାଇ ଦିଆଯାଇଥିଲା।
‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ର ରିପୋର୍ଟ ଅନୁସାରେ, ପ୍ରଶାନ୍ତ ପୁଲିସକୁ କହିଛନ୍ତି,ପାକିସ୍ତାନ ଜେଲରେ ଥିବା ବେଳେ ସେ ଜଣେ ମହିଳା କଏଦୀଙ୍କୁ ଭଲ ପାଇ ବସିଥିଲେ। ତାଙ୍କୁ ଦେଖା କରିବାକୁ ସେ ପାକିସ୍ତାନ ଯାଉଥିଲେ। ମହିଳା ଜଣକ ରାଓ୍ବଲପିଣ୍ଡିରେ ରୁହନ୍ତି। ଦୁହେଁ ପ୍ରାୟ ୧୦ ବର୍ଷ ପୂର୍ବରୁ ସୋସିଆଲ ମିଡିଆରେ ପରିଚିତ ହୋଇଥିଲେ। ପ୍ରଶାନ୍ତଙ୍କ ପରିବାରକୁ ମଧ୍ୟ ଘଟଣା ବିଷୟରେ ସୂଚନା ଦିଆଯାଇଛି। ତାଙ୍କର ଭାଇ ଖାଜୁଓ୍ବାଲା ପହଁଞ୍ଚିଛନ୍ତି ଓ ପରିବାର ଲୋକଙ୍କ ଦାବି ଯେ, ପ୍ରଶାନ୍ତ ମାନସିକ ରୂପରେ ଅସ୍ଥିର। ଅଧିକାରୀଙ୍କ କହିବା ଅନୁସାରେ, ପ୍ରଶାନ୍ତ ଜଣେ ବିଟେକ୍ ଗ୍ରାଜୁଏଟ୍। ସେ ଚୀନ୍ ଓ ଆଫ୍ରିକାରେ ମଧ୍ୟ କାମ କରିସାରିଛନ୍ତି। ତାଙ୍କ ଗତିବିଧିକୁ ଦେଖି ଏହା ମଧ୍ୟ ଯାଞ୍ଚ କରାଯାଉଛି, ସେ କୌଣସି ମାମଲାର ଗୁଇନ୍ଦାଗିରି କିମ୍ବା କୌଣସି ପ୍ରକାର ଷଡଯନ୍ତ୍ରରେ ସାମିଲ ଅଛନ୍ତି କି ନାହିଁ ?