ଭୁବନେଶ୍ବର,୧୪।୧୨ : ଧର୍ମଶାଳାରେ ବିଜେଡି କର୍ମୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ ସେବା ଭବନ ଆଗରେ ବିଜେଡି ନେତାଙ୍କ ବିକ୍ଷୋଭ । ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ପୁଲିସ ଡ଼ିଜିଙ୍କୁ ଭେଟିବାକୁ ଯାଇଥିଲେ। ପୁଲିସ ଡିଜି ଅନୁପସ୍ଥିତ ଥିବାରୁ ଅତିରିକ୍ତ ପୋଲିସ୍ ଡିଜିଙ୍କୁ ଭେଟି ଲିଖିତ ଦାବି କରିଛନ୍ତି । ଆକ୍ରମଣକାରିଙ୍କୁ ଗିରଫ ଦାବି କରିଛନ୍ତି ବିଜେଡି ନେତାମାନେ।

ସ୍ଥାନୀୟ ବିଧାୟକ ସେଠାରେ ଅରାଜକତା ସୃଷ୍ଟି କରୁଛନ୍ତି ବୋଲି ବିଜେଡି ନେତା ଅଭିଯୋଗ କରିଛନ୍ତି । ପୂର୍ବରୁ ସମର୍ଥକମାନଙ୍କୁ ଆକ୍ରମଣ ହୋଇଥିଲା। ଆଜି ଏକ ସଂଗଠିତ ଅପରାଧ କଲା ଭଳି ସେମାନେ ଆମ ସମର୍ଥକମାନଙ୍କୁ ଘରେ ପଶି ଆକ୍ରମଣ କରିଛନ୍ତି। ଜିଲ୍ଲା ପୁଲିସ ଉପରେ ଆମର ଭରସା ନାହିଁ। ସେଥିପାଇଁ ଡିଜିଙ୍କୁ ଭେଟିବାକୁ ଆସିଛୁ। ଯେପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯିବ ଆମେ ଏହି କ୍ୟାମ୍ପ ଅଫିସ ଆଗରେ ଧାରଣା ଜାରି ରଖିବୁ ।ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ଯେ, ପୁଲିସମାନେ କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନ ହୋଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବ। ମାତ୍ର ତାହା ପାଳନ କରାଯାଉନି ବୋଲି ବିଜେଡି ନେତା କହିଛନ୍ତି।

ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କ  ସହ ଆଲୋଚନା ହୋଇଛି। କୌଣସି ନିଷ୍କର୍ଷ ବାହାରିଲା ନାହିଁ ।  ଯେଉଁ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ସେ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ବିଜେଡି ବରିଷ୍ଠ ନେତା କହିଛନ୍ତି। ଏହି ବିକ୍ଷୋଭରେ ବିଧାୟକ ଅରୁଣ ସାହୁ, ବିଧାୟିକା ପ୍ରମିଳା ମଲ୍ଲିକ, ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ସାମିଲ ହୋଇଛନ୍ତି।

​​​​​​​ସୂଚନାଯୋଗ୍ୟ ଯେ ଜେନାପୁର ଥାନା ଅନ୍ତର୍ଗତ ପନ୍ତୁରି ଠାରେ ଥିବା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାସ ଭବନରେ ରବିବାର ବିଜେଡ଼ି ସୋସିଆଲ ମିଡ଼ିଆ ଟିମର ସାଙ୍ଗଠନିକ ବୈଠକ ଚାଲୁ ଥିଲା। ଏହି ସମୟରେ  କିଛି ଯୁବକ ଆସି ଗାଳି ଗୁଲଜ କରିଥିଲେ। ଯାହାକୁ ନେଇ ଉଭୟ ପକ୍ଷରେ ତିକ୍ତତା ଆରମ୍ଭ ହୋଇଥିଲା। ଏହା ପରେ ବିଜେଡିର କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ବହୁ ବିଜେଡ଼ି ନେତା ଓ କର୍ମୀ ଆହତ ହୋଇ ଧର୍ମଶାଳା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କିଛି ଗୁରୁତରଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।ଘଟଣାସ୍ଥଳରେ ଜେନାପୁର ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛି।