ମୁମ୍ବାଇ,୧୦/୦୩: ସପା ସାଂସଦ ଅବୁ ଆଜମୀଙ୍କର ଔରଙ୍ଗଜେବଙ୍କୁ ନେଇ ଦେଇଥିବା ବୟାନ ପରେ ଏବେ ମୋଗଲ ଶାସକଙ୍କ କବର (ସମାଧିସ୍ଥଳ)କୁ ହଟାଇବା ପାଇଁ ଦାବି ଜୋର ଧରିଛି। ମୋଗଲ ଶାସକ ଔରଙ୍ଗଜେବଙ୍କ କବର ମହାରାଷ୍ଟ୍ରର ସମ୍ଭାଜୀନଗରରେ ଅବସ୍ଥିତ। କେବଳ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ନୁହେଁ, ରାଜ୍ୟର ବିଭିନ୍ନ ଦଳ, ଯେପରିକି ଶିବସେନା, ଏମ୍ଏନ୍ଏସ୍ ଏବଂ କଂଗ୍ରେସ ମଧ୍ୟ ଔରଙ୍ଗଜେବଙ୍କ ସମାଧି ହଟାଇବା ଦାବିକୁ ସମର୍ଥନ କରୁଛନ୍ତି। ଏ ସମ୍ପର୍କରେ ସମସ୍ତ ଦଳର ନେତାଙ୍କ ବୟାନ ଆସିଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି, “କଂଗ୍ରେସ ସରକାର ସମୟରେ ଔରଙ୍ଗଜେବଙ୍କ ସମାଧିକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ପକ୍ଷରୁ ସୁରକ୍ଷା ମିଳିଛି। ନଚେତ୍ ଆମେ ମୋଗଲ ଶାସକଙ୍କ ସମାଧି ମଧ୍ୟ ହଟାଇବାକୁ ଚାହୁଁଛୁ। ମୁଖ୍ୟମନ୍ତ୍ରୀ ଫଡନବୀସଙ୍କ ଏହି ବୟାନର ପ୍ରତିଜବାବ ସ୍ବରୁପ ମହାରାଷ୍ଟ୍ରରେ କଂଗ୍ରେସ ରାଜ୍ୟ ସଭାପତି ନାନା ପାଟୋଲେ ବିଜେପିକୁ କଡ଼ା ଟାର୍ଗେଟ କରିଥିଲେ। ନାନା ପାଟୋଲେ କହିଛନ୍ତି, “ତିନିଥର ମୁଖ୍ୟମନ୍ତ୍ରୀ ହୋଇଥିବା ଦେବେନ୍ଦ୍ର ଫଡନାଭିସ୍ ପ୍ରତ୍ୟେକ ଥର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସବୁବେଳେ କଂଗ୍ରେସକୁ ଦୋଷ ଦେବା ଭୁଲ। ବର୍ତ୍ତମାନର ପରିସ୍ଥିତିକୁ ବିଚାର କରି ସରକାର ନିଷ୍ପତ୍ତି ନେବା ଉଚିତ।
ବିଜେପି ନେତା ସୁଧୀର ମୁଙ୍ଗଣ୍ଟିୱାର କହିଛନ୍ତି ଯେ ସେ ଅଫଜଲଙ୍କ କବରରୁ ଜବରଦଖଲ ହଟାଇ ଦେଇଛନ୍ତି, ତେଣୁ ସେ କିପରି ତାଙ୍କର ମତ ବଦଳାଇପାରିବେ। ସେ କହିଛନ୍ତି ଯେ ମହା ବିକାଶ ଆଘାଡ଼ି ଔରଙ୍ଗଜେବଙ୍କ ସମାଧି ରଖିବାକୁ ଚାହୁଁଥିବା ବେଳେ ମହାରାଷ୍ଟ୍ର ସରକାର ଏହାକୁ ହଟାଇବାକୁ ଚାହୁଁଛନ୍ତି। କେବଳ ଏତିକି ନୁହେଁ, ସେ ରାବଣ ପରେ ଔରଙ୍ଗଜେବଙ୍କୁ ଦ୍ୱିତୀୟ ସବୁଠାରୁ ଦୁଷ୍ଟ ବ୍ୟକ୍ତି ବୋଲି ମଧ୍ୟ ଘୋଷଣା କରିଥିଲେ।
ଶିବସେନା ନେତା ଶମ୍ଭୁରାଜେ ଦେଶାଇ କହିଛନ୍ତି ଯେ ତାଙ୍କ ସରକାର ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ହଟାଇବାକୁ ଚାହୁଁଛି ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ କଥା ହେବେ। ଏହାରି ଭିତରେ ବିଜେପି ନେତା ଶିବେନ୍ଦ୍ରରାଜେ ଭୋସଲେ ମଧ୍ୟ ସ୍ପଷ୍ଟ ଭାବରେ କହିଥିଲେ ଯେ ଔରଙ୍ଗଜେବଙ୍କ ସମାଧି ମହାରାଷ୍ଟ୍ରରେ ରହିବା ଉଚିତ୍ ନୁହେଁ। ସେପଟେ ମହାରାଷ୍ଟ୍ର ନବନିର୍ମାଣ ସେନାର ବାଲା ନନ୍ଦଗାଓଁକର କଠୋର ଭାବରେ କହିଛନ୍ତି, "ଶିବାଜୀ ମହାରାଜଙ୍କୁ କଷ୍ଟ ଦେଇଥିବା ଏବଂ ସମ୍ଭାଜୀ ମହାରାଜଙ୍କୁ ହତ୍ୟା କରିଥିବା ଔରଙ୍ଗଜେବଙ୍କ ସମାଧିର ମହାରାଷ୍ଟ୍ରରେ ଆବଶ୍ୟକତା ନାହିଁ। ଏହାକୁ ଯଥାଶୀଘ୍ର ହଟାଯିବା ଉଚିତ।"