ମୁମ୍ବାଇ,୨୪/୧୦: ଭାରତର ଉଦୀୟମାନ ପେସ୍‌ ବୋଲିଂ  ଅଲ୍‌ରାଉଣ୍ଡର ନିତିଶ କୁମାର ରେଡ୍ଡୀଙ୍କୁ  ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାତୀୟ ଦଳରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ନିତିଶ ସମ୍ପ୍ରତି  ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ  ଖେଳୁଥିବା ଭାରତୀୟ ଦଳର ରିଜର୍ଭ  ଖେଳାଳି ଭାବେ ରହିଛନ୍ତି ।  

ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଖୁବ୍‌ ଶୀଘ୍ର ଦଳ ଘୋଷଣା କରାଯିବ । ଦଳରେ  ପେସ୍‌ ବୋଲିଂ ଅଲ୍‌ରାଉଣ୍ଡରଙ୍କୁ ସ୍ଥାନ  ଦେବାକୁ ଚୟନ କମିଟି ଚିନ୍ତା କରୁଛି ।  ଭାରତର ଏକ ମାତ୍ର ପେସ୍‌ ବୋଲିଂ  ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟେଷ୍ଟ  କ୍ରିକେଟ୍‌ ପ୍ରତି ଆଗ୍ରହୀ ନଥିବା ପୂର୍ବରୁ  ସ୍ପଷ୍ଟ ହୋଇ ସାରିଛି । ତେଣୁ ନିତିଶ  ଏକମାତ୍ର ପେସ ବୋଲିଂ ଅଲରାଉଣ୍ଡର  ଭାବେ ଉଭା ହୋଇଛନ୍ତି । ନିକଟରେ ସେ  ବାଂଲାଦେଶ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ  ଖେଳି ଚମତ୍କାର ପ୍ରଦର୍ଶନ କରିଥିଲେ । 

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷିତ  ଭାରତ ଏ’ ଦଳରେ ନିତିଶଙ୍କୁ ସ୍ଥାନ  ମିଳି ସାରିଛି । ଭାରତ ଏ’ ସେଠାରେ  ୨ଟି ଅନଫିସିଆଲ ଟେଷ୍ଟ ଖେଳିବ ।  ଏହି ସିରିଜ ୨୧ ବର୍ଷିୟ ନିତିଶଙ୍କ  ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ ।  ଉକ୍ତ ସିରିଜରେ ସେ ଉନ୍ନତ ପ୍ରଦର୍ଶନ  କଲେ ସିନିୟର ଦଳରେ ସ୍ଥାନ ହାସଲ  କରିପାରିବେ । ନଭେମ୍ବର ୧୦ ତାରିଖରେ  ଭାରତୀୟ ଦଳ ବର୍ଡର-ଗାଭାସ୍କର  ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆ ଯାତ୍ରା  କରିବାର କାର୍ଯ୍ୟକ୍ରମ ରହିଛି ।