ଲକ୍ଷ୍ନୌ,୧୭।୫: ଉତ୍ତର ପ୍ରଦେଶର କେଶରଗଞ୍ଜ ଲୋକସଭା ଆସନରୁ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହ କରିଛନ୍ତି ପ୍ରଚାର। ସବୁବେଳେ ନିଜର ମନ୍ତବ୍ୟ ଏବଂ କାର୍ଯ୍ୟକଳାପକୁ ନେଇ ବିବାଦରେ ଥିବା ବ୍ରିଜଭୂଷଣ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି, ଏବେ ତ ମୁଁ ଖୋଲା ଷଣ୍ଢ ହୋଇଯାଇଛି। ଆପଣଙ୍କ ପାଇଁ କାହା ସହ ବି ଲଢିପାରିବି। ନାଁ ମୁଁ ବୁଢା ହୋଇଯାଇଛି କିମ୍ବା ଅବସର ନେଇ ସାରିଛି। ପ୍ରତିଶୃତି ଦେଉଛି, ପୂର୍ବରୁ ଯେତିକି ଆପଣଙ୍କ ସହ ରହୁଥିଲି, ତାଠାରୁ ଦୁଇଗୁଣା ଅଧିକ ରହିବି। ଆପଣଙ୍କ ସୁଖ ଦୁଃଖରେ ସାମିଲ ହେବି। ଆପଣଙ୍କୁ ଡବଲ ସାଂସଦ ମିଳିବ।
ଉଲ୍ଲେଖନୀୟ ଯେ, ବିଜେପି ଏଥର କେସରଗଞ୍ଜରୁ ବ୍ରିଜଭୂଷଣଙ୍କ ଟିକେଟ କାଟି ତାଙ୍କ ସାନ ପୁଅ କରଣ ଭୂଷଣଙ୍କୁ ଦେଇଛି। ତେବେ ବ୍ରିଜଭୂଷଣ ନିଜେ ନିର୍ବାଚନ ପ୍ରଚାରର ଦାୟିତ୍ବ ନେଇଛନ୍ତି। ପ୍ରଚାର ସମୟରେ କର୍ଣ୍ଣଲଗଞ୍ଜରେ କହିଛନ୍ତି, ମୁଁ ରିଟାୟର ହୋଇନି। ଦୁଇଗୁଣା ଶକ୍ତି ସହିତ ଆପଣଙ୍କ ପାଇଁ କାମ କରିବି। କାରଣ ଏବେ ମୁଁ ଖୋଲା ଷଣ୍ଢ ହୋଇଯାଇଛି।
ରେସଲରଙ୍କ ଅଭିଯୋଗ ନେଇ ବ୍ରିଜଭୂଷଣ କହିଛନ୍ତି, ଯେତେବେଳେ ମୁଁ ମିଜୋରାମ, ନାଗାଲାଣ୍ଡ, ବିହାର, ପଶ୍ଚିମବଙ୍ଗର ରେସଲରଙ୍କ ହିତ ପାଇଁ କାମ କରିବା ଆରମ୍ଭ କରିଛି, କଛି ଲୋକଙ୍କ ନଜରରେ ଆସିଯାଇଛି। ମୁଁ ଦୁର୍ବଳ ରାଜ୍ୟର ଖେଳାଳିଙ୍କୁ ସଂରକ୍ଷଣ ଦେବା ଆରମ୍ଭ କରିଥିଲି,ସେ ଦିନରୁ ଲୋକମାନେ ମୋର ବିରୋଧି ହୋଇଗଲେ। ଏସବୁ ମୋ ହାତରୁ ଦେଢ ଦେଢ ଲକ୍ଷ ଟଙ୍କା ମାସକୁ ପାଉଥିଲେ। ଏମିତି କେହି ନାହାନ୍ତି ଯିଏକି ଦେଢ ଲକ୍ଷ ଟଙ୍କା ମୋ ହାତରୁ ନେଇ ନାହାନ୍ତି, କିନ୍ତୁ ସବୁ ସହାଯ୍ୟ ଭୁଲି କଲେ। ଏଥିପାଇଁ ତ ଆଜି ମୁଁ ବଦନାମ।