ନୂଆଦିଲ୍ଲୀ,୧୪/୦୬: ନ୍ୟୁଜ୍ ଏଜେନ୍ସି ରଏଟର୍ସ ଜଣେ ଭାରତୀୟ ସରକାରୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଜିଓ ପ୍ଲାଟଫର୍ମ ଏବଂ ଲକ୍ସେମବର୍ଗ ଭିତ୍ତିକ ଏସ୍ଇଏସ୍ ମଧ୍ୟରେ ଗିଗାବିଟ ଫାଇବର ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ଏବଂ ଏନେଇ ସାଟେଲାଇ ଚଳାଇବା ପାଇଁ ଭାରତର ସ୍ପେସ୍ ନିୟାମକଙ୍କ ଅନୁମୋଦନ ଲାଭ କରିଛି। ଯେଉଁଠି ଆମାଜନ ଡଟ୍ କମ୍ ପରି କମ୍ପାନୀ ଠାରୁ ଆରମ୍ଭ କରି ଏଲୋନ୍ ମସ୍କଙ୍କ ଷ୍ଟାରଲିଙ୍କ୍ ଭଳି କମ୍ପାନୀ ବିଶ୍ୱର ବହୁ ଜନସଂଖ୍ୟାପୂର୍ଣ୍ଣ ଦେଶରେ ସାଟେଲାଇଟ ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ ଅନୁମତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେଠାରେ ଅର୍ବିଟ୍ କନେକ୍ଟ ଇଣ୍ଡିଆକୁ ତିନୋଟି ଅନୁମୋଦନ ଦିଆଯାଇଛି।
ସାଟେଲାଇଟ ବା ଉପଗ୍ରହ ଆଧାରିତ ହାଇ ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ଯୋଗାଇବାକୁ ଅର୍ବିଟ୍ କନେକ୍ଟ ଇଣ୍ଡିଆ ଲକ୍ଷ୍ୟ ରଖିଛି। ଏଗୁଡିକ ଏପ୍ରିଲ୍ ଏବଂ ଜୁନ୍ ମାସରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (IN-SPACe) ଦ୍ୱାରା ଅନୁମୋଦିତ ହୋଇଥିଲା। ଏହା ଅର୍ବିଟ୍ କନେକ୍ଟକୁ ଭାରତ ଉପରେ ସାଟେଲାଇଟ ଚଳାଇବାକୁ ଅନୁମତି ଦେବ, କିନ୍ତୁ ଏହି କାମ ଆରମ୍ଭ କରିବା ପାଇଁ ଦେଶର ଟେଲିକମ୍ ବିଭାଗରୁ ଅଧିକ ଅନୁମୋଦନ ଆବଶ୍ୟକ ହେବ। ତେବେ, ଜିଓ ମାଲିକାନା କମ୍ପାନୀ ରିଲାଏନ୍ସ ଅଧିକ ସୂଚନା ମାଗୁଥିବା ରଏଟର୍ସ ଦ୍ୱାରା ପଠାଯାଇଥିବା ଏକ ଇମେଲକୁ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ହାଇ ସ୍ପିଡ୍ ସାଟେଲାଇଟ ଭିତ୍ତିକ ଇଣ୍ଟରନେଟ୍ ଯୋଗାଇବାକୁ ଆଶା କରୁଥିବା ଅନ୍ୟ ଏକ କମ୍ପାନୀ ଇନମାରସାଟ ମଧ୍ୟ ଭାରତରେ ଉପଗ୍ରହ ଚଳାଇବା ପାଇଁ ଅନୁମୋଦନ ଲାଭ କରିଛି ବୋଲି IN-SPACe ଅଧ୍ୟକ୍ଷ ପୱନ ଗୋଏଙ୍କା ରଏଟର୍ସକୁ କହିଛନ୍ତି।
ଦୌଡ଼ରେ ଏଲନ୍ ମସ୍କ ଓ ଆମାଜନ:
ଅନ୍ୟ ଦୁଇଟି କମ୍ପାନୀ, ଏଲୋନ୍ ମସ୍କଙ୍କ ଷ୍ଟାରଲିଙ୍କ୍ ଏବଂ ଆମାଜନ ଡଟ୍ କମ୍ କୁଇପର ମଧ୍ୟ ଆବେଦନ କରିଛନ୍ତି। ଭାରତ ଏଣ୍ଟରପ୍ରାଇଜେସ୍ ସମର୍ଥିତ ୱାନୱେବ ୨୦୨୩ ଶେଷ ସୁଦ୍ଧା ସମସ୍ତ ଅନୁମୋଦନ ମିଳିସାରିଥିଲା।କନ୍ସଲଟାନ୍ସି କମ୍ପାନୀ ଡେଲୋଏଟ୍ ଅନୁଯାୟୀ, ଭାରତର ସାଟେଲାଇଟ ବ୍ରଡବ୍ୟାଣ୍ଡ ସେବା ବଜାର ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବାର୍ଷିକ ୩୬ ପ୍ରତିଶତ ହାରରେ ବୃଦ୍ଧି ପାଇବ ଏବଂ ୨୦୩୦ ସୁଦ୍ଧା ୧.୯ ଅରବ ଡ଼ଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସର୍ବଭାରତୀୟ ସ୍ତରରେ, ସ୍ପେସ୍ ଭିତ୍ତିକ ଇଣ୍ଟରନେଟ୍ ମାଧ୍ୟମରେ ବିଶ୍ବର ଗ୍ରାମାଞ୍ଚଳକୁ ସଂଯୋଗ କରିବାର ଦୌଡ଼ ତୀବ୍ର ହେଉଛି। ୨୦୧୯ ରେ ଘୋଷିତ ହୋଇଥିବା କୁଇପରରେ ଆମାଜନ ୧୦ ଅରବ ଡଲାର ନିବେଶ କରିବାକୁ ଯୋଜନା କରିଛି। ସେହିବର୍ଷ ସ୍ପେସ୍ ଏକ୍ସ ଏହାର ପ୍ରଥମ ଷ୍ଟାରଲିଙ୍କ ସାଟେଲାଇଟ ନିୟୋଜିତ ଆରମ୍ଭ କରିଥିଲା।
ମହାକାଶରେ ଭାରତର ଦବଦବା:
ଭାରତ ସରକାର ଦେଶର ମହାକାଶ କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛନ୍ତି। ଚଳିତ ବର୍ଷ ସରକାର ମହାକାଶ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ) ନିୟମକୁ ସହଜ କରି ଉପଗ୍ରହ ଉପକରଣ ଉତ୍ପାଦନରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେଇଛନ୍ତି। ଗୋଏଙ୍କାଙ୍କ କହିବାନୁଯାୟୀ ଗତ ବର୍ଷ ଘରୋଇ ସ୍ପେସ୍ କମ୍ପାନୀଗୁଡିକରେ ମାତ୍ର ୨୦-୭୦ ଲକ୍ଷ ଡଲାର ନିବେଶ କରାଯାଇଥିଲା। ଚଳିତ ବର୍ଷ ଏହି ସଂଖ୍ୟା ୨୦-୩୦ କୋଟି ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହାର ଅର୍ଥ ହେଉଛି ଏହି କ୍ଷେତ୍ରରେ ପୁଞ୍ଜି ନିବେଶ ଆଶା ବହୁତ ଭଲ ଏବଂ ପୁଞ୍ଜି ବିନିଯୋଗ ବୃଦ୍ଧି ପାଉଛି।