ଭୁବନେଶ୍ୱର,୨୬/୧୧ : ବଡ଼ଦିନ ଆଉ ମାତ୍ର ମାସେ ବାକି ଥିବାବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ମଙ୍ଗଳବାର ଏକ କେକ୍ ମିକ୍ସିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର (ଡକ୍ଟର) ବିଭୂତି ଭୂଷଣ ପ୍ରଧାନ ଯୋଗଦେଇ କେକ୍ ମିକ୍ସିଙ୍ଗ ଉତ୍ସବରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଏକ ଆନନ୍ଦଦାୟକ କାର୍ଯ୍ୟକ୍ରମ ସକାରାତ୍ମକ ମନୋଭାବ ସୃଷ୍ଟି କରିବ ବୋଲି କହିଥିଲେ ।
ବଡଦିନ ପୂର୍ବରୁ ଏହି କେକ୍ ମିକ୍ସିଙ୍ଗ ପ୍ରସ୍ତୁତି ଆରମ୍ଭ ହେଉଥିବାବେଳେ ନିଜ ବନ୍ଧୁ, ପରିଜନ ଓ ପରିବାର ବର୍ଗଙ୍କୁ ଏଥିରେ ଅଂଶୀ କରାଯାଇଥାଏ ବୋଲି ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଥିଲେ । ବଡ଼ଦିନ ପର୍ବ ସାରା ବିଶ୍ୱରେ ପାଳନ କରାଯାଇଥାଏ । ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ମଧ୍ୟ ଭବିଷ୍ୟତରେ କିଭଳି ବଡ଼ଦିନ କେକ୍ ପ୍ରସ୍ତୁତ କରିବେ ସେ ନେଇ ଶିକ୍ଷା ଗ୍ରହଣ କରିପାରିବେ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଏସ୍ଏଚ୍ଏମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବଡଦିନ ଉପଲକ୍ଷେ ସଂଗୀତ ପରିବେଷଣ କରାଯାଇଥିଲା । ୧୭୦୦ ଶତାବ୍ଦୀରେ ୟୁରୋପରେ ଏହି ପାରମ୍ପରିକ କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ଏକ ଶୁଭ ସମୟ ଓ ଆନନ୍ଦର ବାର୍ତାବହ ବୋଲି କୁହାଯାଇଥାଏ । ଏହି ସମୟରେ ଅଧିକ ପରିମାଣର ଫଳ ଏବଂ ବାଦାମ ଜାତୀୟ ଫସଲ ଉତ୍ପାଦନ ହେଉଥିବାରୁ କେକ୍ ପ୍ରସ୍ତୁତ କରିବା ସହଜ ହୋଇଥାଏ ।
ଏହି ପାରମ୍ପରିକ ବଡ଼ଦିନ କେକ୍ ବା ବଡ଼ଦିନ ପୁଡିଙ୍ଗ୍ରେ ଅନେକ ପରିମାଣର ଡ୍ରାଏ ଫ୍ରୁଟ, ଅଣ୍ଡା ଏବଂ ମଇଦା ବ୍ୟବହାର କରାଯାଇଥାଏ । ଅନେକ କେକ୍ରେ ଡ୍ରାଏ ଫ୍ରୁଟ୍୍, ଚେରି, ଫ୍ରୁଟି, କାନ୍ବେରୀ, ଖଜୁରୀ ଓ ବିଭିନ୍ନ ପାନୀୟ ବ୍ୟବହୃତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନସେସ୍ର ଡିନ୍ ପ୍ରଫେସର ( ଡକ୍ଟର) ସୁଶାନ୍ତ କୁମାର ରାଉତ, ସୋଆ ପରିଚାଳିତ ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର୍)ର ନିର୍ଦ୍ଦେଶକ ପ୍ରଫେସର ହୃଦୟନାଥ ଥାଟୋଇ, ସୋଆ ପରିଚାଳିତ ଆଇଟିଇଆରର ୱାର୍ଡନ ଡକ୍ଟର ରଂଜନ ମଲ୍ଲିକ୍, କ୍ରିଷ୍ଣା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ ସାଇନସେସ୍ର ପ୍ରଫେସର (ଡକ୍ଟର) ସ୍ୱର୍ଣ୍ଣଲତା ମିଶ୍ର, ପଟିଆସ୍ଥିତ ରାଜା ମଧୁସୂଦନ ରାୟ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ତ୍ରିଲୋଚନ ରଥ, ଭୁବନେଶ୍ୱରସ୍ଥିତ ସିଗନେଟ ହୋଟେଲର ଜେନେରାଲ ମ୍ୟାନେଜର ସୁରଜ ରଥ, ସିଗନେଟ ହୋଟେଲର ଫୁଡ୍ ଆଣ୍ଡ ବିଭେରେଜ ମ୍ୟାନେଜର ଶେଖର ଭଟ୍ଟାଚାର୍ଯ୍ୟ ତଥା ଏସ୍ଏଚ୍ଏମ୍ର ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।