ନୂଆଦିଲ୍ଲୀ,୨୧।୧୦: କାନାଡାର ଟୋରଣ୍ଟୋର ମେୟର ଅଲିଭିଆ ଚାଉ ଆନୁଷ୍ଠାନିକ ଭାବରେ ୨୦ ଅକ୍ଟୋବର, ୨୦୨୫କୁ ଦୀପାବଳି ଦିବସ ଭାବରେ ଘୋଷଣା କରିଛନ୍ତି। ଏହା ପ୍ରଥମ ଥର ପାଇଁ ଟୋରଣ୍ଟୋ ସହରରେ ଦୀପାବଳିକୁ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦିଆଯାଇଛି।ସୋମବାର ସିଟି ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ମେୟର ଚାଉ କହିଛନ୍ତି, ‘ଦୀପାବଳି ଅନ୍ଧକାର ଉପରେ ଆଲୋକ, ନିରାଶ ଉପରେ ଆଶା ଓ ମନ୍ଦ ଉପରେ ଭଲର ବିଜୟ ପ୍ରତୀକ। ଏହା ମନେ ରଖିବା ଦରକାର ଯେ, ବିବିଧତା ଓ ସମାବେଶ ଆମର ଶକ୍ତି। ଏହା ଟୋରଣ୍ଟୋର ପ୍ରମୁଖ ପରିଚୟ।’
ଭାରତୀୟ ଦୂତାବାସ ସୋସିଆଲ ମିଡିଆରେ ଏହା ଘୋଷଣା କରି ଲେଖିଛି, ‘ଟୋରଣ୍ଟୋ ସହର ଆନୁଷ୍ଠାନିକ ଭାବରେ ୨୦ ଅକ୍ଟୋବର ୨୦୨୫ କୁ 'ଦୀପାବଳି ଦିବସ' ଭାବରେ ଘୋଷଣା କରିଛି। ଏହି ନିଷ୍ପତ୍ତି ଦୀପାବଳିର ଭାବନା, ଅନ୍ଧାର ଉପରେ ଆଲୋକର ବିଜୟର ଉତ୍ସବକୁ ପାଳନ କରେ। ଏହା ସହ ଭାରତୀୟ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଅବଦାନକୁ ସମ୍ମାନିତ ଦିଏ। ଟୋରଣ୍ଟୋ ସହର ଦ୍ୱାରା ଜାରି ଏକ ସରକାରୀ ଘୋଷଣାରେ କୁହାଯାଇଛି, ଦକ୍ଷିଣ ଏସୀୟ ସମ୍ପ୍ରଦାୟର ଐତିହାସିକ ଏବଂ ନିରନ୍ତର ଅବଦାନକୁ ସ୍ୱୀକୃତି ଦେଉଛୁ। ଆମେ ତାଙ୍କ ଉତ୍ସବ ପାଳନ କରୁ, ଯାହା ଟୋରଣ୍ଟୋର ମୂଳମନ୍ତ୍ର 'ବିବିଧତା ଆମର ଶକ୍ତି'କୁ ସାକାର କରିଥାଏ । ଏହି ଘୋଷଣା ଭାରତୀୟ ଏବଂ ଦକ୍ଷିଣ ଏସୀୟ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।
ଘୋଷଣାପତ୍ରରେ ସ୍ୱାକ୍ଷର କରିବା ସମୟରେ ମେୟର ଅଲିଭିଆ ଚାଉ କହିଛନ୍ତି, 'ମୁଁ ଟୋରଣ୍ଟୋ ସିଟି କାଉନସିଲ ପକ୍ଷରୁ ଟୋରଣ୍ଟୋ ସହରରେ ୨୦ ଅକ୍ଟୋବର ୨୦୨୫ କୁ 'ଦୀପାବଳି ଦିବସ' ଭାବରେ ଘୋଷଣା କରୁଛି।' ଏହି ଐତିହାସିକ ଘୋଷଣା ଭାରତୀୟ ବଂଶୋଦ୍ଭବ ଏବଂ ଦକ୍ଷିଣ ଏସୀୟ ସମ୍ପ୍ରଦାୟର ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।