• ଚାବି ଅଛି ଆପଣଙ୍କ ପାଖରେ, କିନ୍ତୁ ଚୋରି ହୋଇଯାଉଛି କାର୍?
  • ଏବେ ଚୋରି ପାଇଁ ଚୋରଙ୍କୁ ସୁହାଉଛି 'କି ଲେସ୍ ଟେକ୍ନୋଲୋଜୀ' ବିଶିଷ୍ଟ କାର୍
  • ଚୋରଙ୍କ ଠାରୁ ଦାମୀ କାରକୁ ସୁରକ୍ଷିତ ରଖୁଛି ଆଲୁମିନିୟମ ଫଏଲ୍
  • କାର୍ ଚାବିକୁ ଆଲୁମିନିୟମ ଫଏଲରେ ଗୁଡ଼ାଇ ରଖନ୍ତୁ
  • ଫଏଲ୍ ଭିତରେ ରହିଲେ, କାର୍ ପର୍ଯ୍ୟନ୍ତ ପହଞ୍ଚୁଥିବା ସିଗନାଲ ହୋଇଯିବ ବ୍ଳକ୍

ନୂଆଦିଲ୍ଲୀ,୦୯/୦୫: ଆପଣ ଜାଣିଛନ୍ତି କି, ଆଜିକାଲି ଲୋକମାନେ ସେମାନଙ୍କ ଗାଡ଼ିର ଚାବିକୁ ଆଲୁମିନିୟମ ଫଏଲରେ ଗୁଡ଼ାଇ ରଖୁଛନ୍ତି? ଏହାର କାରଣ ଜାଣିଲେ ଆପଣ ଯେତିକି ଆଶ୍ଚର୍ଯ୍ୟ ହେବେ, ତା ଠାରୁ ଅଧିକ ସଚେତନ ମଧ୍ୟ ହେବେ। ଏପରି କରିବାର ମୁଖ୍ୟ କାରଣ ହେଉଛି, ଗାଡ଼ିଗୁଡ଼ିକୁ ଚୋରିରୁ ରକ୍ଷା କରିବା। କହିରଖୁଛୁ ଯେ, ଏବେ ଅଧିକାଂଶ ଆଧୁନିକ ଗାଡ଼ି କି ଲେସ୍ ଏଣ୍ଟ୍ରି ବା ଚାବିହୀନ ପ୍ରବେଶ ସହିତ ସଜ୍ଜିତ ହୋଇ ଆସୁଛି। ଯଦିଓ ଏହା ଏକ ସୁବିଧାଜନକ ଫିଚର୍, କିନ୍ତୁ ଏହା ଚୋରମାନଙ୍କୁ ଗାଡ଼ି ଚୋରି କରିବା ପାଇଁ ସୁଯୋଗ ପ୍ରଦାନ କରୁଛି। ଉଲ୍ଲେଖଯୋଗ୍ୟ ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ, ନୂଆ ଗାଡ଼ିରେ ଏହି ଫିଚର, ଗାଡ଼ି ଚୋରି ହେବାର ଏକ ମୁଖ୍ୟ କାରଣ ପାଲଟିଛି।

ଚୋରମାନେ ଆଉ ଗାଡ଼ି ଚୋରି କରିବା ପାଇଁ ପୁରୁଣା ପଦ୍ଧତି ଅନୁସରଣ କରୁ ନାହାଁନ୍ତି, ଯେମିତିକି ଝରକା ଭାଙ୍ଗିବା କିମ୍ବା ତାଲା ଭାଙ୍ଗିବା ଇତ୍ୟାଦି। ଏମିତି କରିବା ବଦଳରେ ଏମାନେ କି ଲେସ୍ ଏଣ୍ଟ୍ରି ଫିଚରକୁ ବାଇପାସ୍ କରିବା ପାଇଁ ଟେକ୍ନୋଲୋଜୀ ବ୍ୟବହାର କରୁଛନ୍ତି। ଏହି ପରିସ୍ଥିତିରେ, ମାମୁଲି ଲାଗୁଥିବା ଆଲୁମିନିୟମ୍ ଫଏଲ୍ ଭଳି କିଛି ଜିନିଷ ପ୍ରକୃତରେ ଆପଣଙ୍କ ଗାଡ଼ିକୁ ଚୋରି ହେବାରୁ ରକ୍ଷା କରିପାରିବ।

ଅଧିକ ପଢ଼ନ୍ତୁ: ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ହେବାପରେ ବର୍ଷିଲେ ପ୍ରକାଶ ରାଜ୍, ପୁରୁଣା ଭିଡିଓ ସେୟାର କରି କହିଲେ...

ଚୋରିର ଡିଜିଟାଲ ପଦ୍ଧତି କ’ଣ?

ଚୋରି ପାଇଁ ବ୍ୟବହୃତ ଡିଜିଟାଲ୍ ପଦ୍ଧତିଗୁଡ଼ିକୁ ବୁଝିବା ପାଇଁ, କି ଲେସ୍ କାରଗୁଡ଼ିରେ ଥିବା ଟେକ୍ନୋଲୋଜୀକୁ ବୁଝିବା ଅତ୍ୟନ୍ତ ଜରୁରୀ। ମୂଳତଃ, ଚାବିହୀନ କାରଗୁଡ଼ିକ ବା କି ଲେସ୍ କାର୍ ଗୁଡ଼ିକ ଏକ ଓ୍ବେୟାରଲେସ୍ ସିଗନାଲ ମାଧ୍ୟମରେ ଏହାର ଚାବି ସହିତ ଯୋଡ଼ି ହୋଇ ରହିଥାଏ। ଅର୍ଥାତ୍ ଆପଣ ଚାବି ସହିତ ଗାଡ଼ି ପାଖକୁ ଯିବା ମାତ୍ରେ, କାରଟି ଚାବିର ସିଗନାଲକୁ ବୁଝି ଅଟୋମେଟିକ ନିଜକୁ ଅନଲକ୍ କରିଦିଏ।

ରିପୋର୍ଟ ଅନୁଯାୟୀ, ଚୋରମାନେ ଗାଡ଼ି ଚୋରି କରିବା ପାଇଁ ଏହି ସିଗନାଲର ଫାଇଦା ଉଠାନ୍ତି। ଏମିତି କରିବା ପାଇଁ, ସେମାନେ ଏକ "ରିଲେ ଆଟାକ" କରନ୍ତି। ଏହି ଆଟାକରେ, ଗାଡ଼ି ଚାବିର ସିଗନାଲକୁ ଡିଜିଟାଲ୍ ଡିଭାଇସ୍ ସାହାଯ୍ୟରେ ଗାଡ଼ି ପାଖକୁ ପହଞ୍ଚାଯାଏ। ଫଳସ୍ୱରୂପ, ଗାଡ଼ିର ସିଷ୍ଟମ୍ ଅନୁଭବ କରେ ଯେ ଚାବିଟି ପାଖାପାଖି ଅଛି ଏବଂ ଗାଡ଼ି ବିନା କୌଣସି ଚାବିରେ ଆପେ ଆପେ ଅନଲକ୍ ହୋଇଯାଏ।

ଆହୁରି ପଢ଼ନ୍ତୁ: ଶୁଭେନ୍ଦୁ ସରକାର ଶପଥ ସମାରୋହରେ ମଞ୍ଚ ଲୁଟିଥିବା ୯୮ ବର୍ଷୀୟ 'ସରକାର' କିଏ, ଜାଣନ୍ତୁ ?

ତେବେ ଗାଡ଼ିକୁ ସୁରକ୍ଷା ଦେବାରେ ଆଲୁମିନିୟମ ଫଏଲ୍ କିପରି ସାହାଯ୍ୟ କରେ?

ରିପୋର୍ଟ ଅନୁଯାୟୀ, ଲୋକମାନେ ଏହି ପ୍ରକାରର ଚୋରିରୁ ନିଜକୁ ରକ୍ଷା କରିବା ପାଇଁ ଆଲୁମିନିୟମ୍ ଫଏଲ୍ ବ୍ୟବହାର କରୁଛନ୍ତି। ଏଠି ମଧ୍ୟ ପ୍ରଶ୍ନ ଉଠେ ଯେ, ଏହି ଏମିତି କଲେ କ'ଣ ଗାଡ଼ି ଚୋରି ହେଇପାରିବ ନାହିଁ? ଉତ୍ତର ହେଉଛି ହଁ। ପ୍ରକୃତରେ, ଏହି କୌଶଳ ଫେରାଡେ କେଜ୍ ନୀତିରେ କାମ କରେ। ଅର୍ଥାତ୍ ଆଲୁମିନିୟମ୍ ଏମିତି ଏକ ଧାତୁ ଯାହାକି ବିଦ୍ୟୁତ୍-ଚୁମ୍ବକୀୟ ସଙ୍କେତ ବା ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ ସିଗନାଲଗୁଡ଼ିକୁ ଆଗକୁ ବଢ଼ିବାରେ ଅବରୋଧ କରେ। ଯଦି ଆପଣ ଚାବିକୁ ଫଏଲ୍ରେ ସୁରକ୍ଷିତ ଭାବରେ ଗୁଡ଼ାଇ ରଖୁଛନ୍ତି, ତେବେ ଏହା ପ୍ରଭାବଶାଳୀ ଭାବରେ ଚାବିର ସିଗନାଲକୁ ବାହାରକୁ ଯିବାରେ ବ୍ଳକ୍ କରିଦିଏ।

ଏଥିରେ ଚୋର ରିଲେ ଆଟାକ୍ କଲେ ମଧ୍ୟ, ଗାଡ଼ି ଚାବିର ସିଗନାଲକୁ ଗାଡ଼ି ପର୍ଯ୍ୟନ୍ତ ପହଞ୍ଚାଇପାରିବନି। ଯଦି ଆପଣ ଏହି ପଦ୍ଧତି ଆପଣାଉଛନ୍ତି, ତେବେ ଫଏଲରେ ଯେପରି ଗାଡ଼ିଚାବି ସମ୍ପୁର୍ଣ୍ଣ ଗୁଡ଼ାଇ ହୋଇ ରହିବ, ସେଦିଗରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଯଦି ଆପଣ ଚାହିଁବେ ତେବେ ଗାଡ଼ି ଚାବିକୁ ଆଲୁମିନିୟମ ଫଏଲରେ ଭଲଭାବରେ ଗୁଡ଼ାଇ ଗାଡ଼ି ପାଖକୁ ଯାଇ ଏହାକୁ ପରୀକ୍ଷା କରି ଦେଖିପାରିବେ।

ଜୀବନଚର୍ଯ୍ୟା ସମ୍ପର୍କିତ ଖବର ପଢ଼ନ୍ତୁ: ସ୍କ୍ରିନ୍ ଟାଇମ୍ ବଢାଇପାରେ ଅଟିଜିମ୍ ଆଶଙ୍କା, ଜାଣନ୍ତୁ କାରଣ...

କିପରି ଆପଣ କି ଲେସ୍ କାରକୁ ରଖିବେ ସୁରକ୍ଷିତ?

* ଆପଣଙ୍କ ଗାଡ଼ିକୁ ସୁରକ୍ଷିତ ରଖିବା ପାଇଁ ଆପଣଙ୍କ ଗାଡ଼ିର ଚାବିକୁ ଫଏଲରେ ଗୁଡ଼ାଇ ରଖିବା ଏକମାତ୍ର ଉପାୟ ନୁହେଁ। ଆପଣ ଆପଣଙ୍କ ଗାଡ଼ିର ଚାବିକୁ ଆପଣଙ୍କ ଘରର ମୁଖ୍ୟ ଦ୍ୱାରଠାରୁ ଦୂରରେ ରଖି ଗାଡ଼ିକୁ ଚୋରୀ ହେବାରୁ ରକ୍ଷା କରିପାରିବେ।

* ଆପଣଙ୍କ କାରର ଚାବିଗୁଡ଼ିକୁ ଏକ ଟେବୁଲ ଡ୍ରୟରରେ ରଖିବା ଭଲ ହେବ। ଏହାଦ୍ବାରା ଚୋରମାନେ ଚାବିର ସିଗନାଲକୁ କାର୍ ପର୍ଯ୍ୟନ୍ତ ପଠାଇପାରିବେ ନାହିଁ।

* ଏହା ସହିତ, ବଜାରରେ ସିଗନାଲ-ବ୍ଲକିଂ ପାଉଚ୍ ମଧ୍ୟ ମିଳୁଛି, ଯାହାକି ଫଏଲ୍ ଅପେକ୍ଷା ଅଧିକ ଉନ୍ନତ ଏବଂ ଅଧିକ ସ୍ଥାୟୀ ମଧ୍ୟ।

* ଏହା ବ୍ୟତୀତ, ନୂତନ କାରଗୁଡ଼ିକରେ ଏବେ ମୋସନ୍ ସେନ୍ସର ଥିବା ଚାବି ଲଗାଯାଉଛ ଏବଂ କମ୍ପାନୀଗୁଡ଼ିକ ନୂଆ ଟେକ୍ନୋଲୋଜୀ ଡେଭଲପମେଣ୍ଟ ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି, ସତର୍କ ରୁହନ୍ତୁ ଏବଂ ସୁରକ୍ଷାର ଆଧୁନିକ ବ୍ୟବସ୍ଥା ଗ୍ରହଣ କରି ଆପଣଙ୍କ ଗାଡ଼ିକୁ ଚୋରୀ ହେବାରୁ ସୁରକ୍ଷିତ ରଖନ୍ତୁ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ହରିୟାଣାରୁ ବଙ୍ଗ: ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏହି ୯ ରାଜ୍ୟରେ ଆସିଲା ସରକାର