ଭୁବନେଶ୍ଵର : ଓଡ଼ିଶାରେ ପ୍ରାୟ ୧.୬୮ ଲକ୍ଷ ହେକ୍ଟର କାଜୁବାଦାମ ଚାଷରୁ ପ୍ରତିବର୍ଷ ପ୍ରାୟ ୧ଲକ୍ଷ ମେଟ୍ରିକ ଟନ କାଜୁ ବାଦାମ ଉତ୍ପାଦନ ହୁଏ । ବର୍ତ୍ତମାନ ପ୍ରାୟ ୩୫୦ରୁ ଅଧିକ କାଜୁ ପ୍ରକ୍ରିୟାକରଣ ଉଦ୍ୟୋଗ ଓଡ଼ିଶାରେ ରହିଛି ଏବଂ ପ୍ରତିବର୍ଷ ପ୍ରାୟ ୧.୨୫ ଲକ୍ଷ ମେଟ୍ରିକ ଟନ କାଜୁ ପ୍ରକ୍ରିୟାକରଣ ହେଉଛି । ପ୍ରକ୍ରିୟାକରଣ ସମୟରେ ପ୍ରାୟ ୧୫ରୁ ୨୫ ପ୍ରତିଶତ ଭଙ୍ଗା କାଜୁ ବାହାରିଥାଏ, ଯାହାର ବ୍ୟବସାୟିକ ମୂଲ୍ୟ କୌଣସି ପ୍ରକାରରେ କମ୍ ନୁହେଁ । ଏହି ଭଳି ଭଙ୍ଗା କାଜୁ ବ୍ୟବହାର କରାଯାଇ କାଜୁ ବଟର ଭଳି ଏକ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତ କରାଯାଇପାରିବ । ଏହି କାଜୁ ବଟରକୁ ବିଭିନ୍ନ ପ୍ରକାର ମିଷ୍ଠାନ୍ନ ପଦାର୍ଥ, ତରକାରୀ ପେଷ୍ଟ କିମ୍ବା ଜଳଖିଆ, ସ୍ନାକ୍ସ, ସାଣ୍ଡୱିଚ, ବେକେରୀ ଏବଂ ବିଭିନ୍ନ ପ୍ରକାର ରନ୍ଧନରେ ପ୍ରୟୋଗ କରିହେବ । ଏହାର ସ୍ୱାଦ ଉତ୍ତମ ଏବଂ ଏହା ମଧ୍ୟ ଯଥେଷ୍ଟ ପୃଷ୍ଟିକର ।
କାଜୁ ବଟର ପ୍ରସ୍ତୁତିରେ ଭଲ କରି ଭାଜିବା ଏବଂ ସଠିକ ଭାବରେ ପେଷାଯିବା ଦୁଇଟି ଗରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଏଥିପାଇଁ ୧୩୦ ଡିଗ୍ରୀ ସେଣ୍ଟିଗ୍ରେଡରେ ୧୫ ମିନିଟ୍ ଭାଜିବା ଦରକାର । ଏହି ପର୍ଯ୍ୟାୟ କାଜୁର ଆର୍ଦ୍ରତା ହ୍ରାସ କରିଥାଏ, ସ୍ୱାଦର ବିକାଶ ହୋଇଥାଏ, ଜୀବାଣୁ ଏବଂ ଏନଜାଇମ ବିଘଟନ ହୋଇଥାଏ । ଥଣ୍ଡା ହେଲା ପରେ ଏଥିରୁ ଅଧିକ ପୋଡିଯାଇଥିବା କିମ୍ବା କ୍ଷତିଗ୍ରସ୍ତ, ବେରଙ୍ଗୀ କାଜୁ ଆଦିକୁ ବାଛି ଅଲଗା କରାଯାଏ । ଏହାପରେ ଏହାକୁ ଏକ ଘରୋଇ ଗ୍ରାଇଣ୍ଡରରେ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଏକ ସୁନ୍ଦର ଓ ଚିକ୍କଣ ଆକାରରେ ପେଷାଯାଏ । ପେଷିବା ସମୟରେ ଅଧିକ ଅଠାଳିଆ ହୋଇଯାଇଥିଲେ ଏଥିରେ ୨% ରିଫାଇନ ତେଲ ଏବଂ ୦.୧% ଷ୍ଟାବିଲାଇଜର ମିଶାଯାଏ । ସଂରକ୍ଷଣ ସମୟରେ ଏଥିରୁ ତେଲ ଅଲଗା ନହେବା ପାଇଁ ଏଥିରେ ୦.୧% ଏମୁଲସିଫାୟର ମିଶାଯାଏ ।
ଏଥିବ୍ୟତୀତ ସ୍ୱାଦ ପାଇଁ ଏଥିରେ ୧% ଚିନି, ୦.୫% ଲୁଣ ଏବଂ ଅଧିକ ଦିନ ସତେଜ ରହିବା ପାଇଁ ୦.୦୨% ଆଣ୍ଟିଅକ୍ସିଡାଣ୍ଟ ଇତ୍ୟାଦି ମିଶାଯାଏ । ଏହିଭଳି କ୍ଷୁଦ୍ର କାଜୁବଟର ଉଦ୍ୟୋଗ ପାଇଁ ଦରକାର ହେଉଥିବା ଯନ୍ତ୍ରପାତି ଗୁଡ଼ିକ ହେଲା, କାଜୁ ଭାଜିବା ପାଇଁ ୫କେଜି କ୍ଷମତା ବିଶିଷ୍ଟ ଏକ ରୋଷ୍ଟର, ପେଷିବା ପାଇଁ ଏକ ୧.୫ ଅଶ୍ୱଶକ୍ତିର ଗ୍ରାଇଣ୍ଡର ଯେଉଁଥିରେ ପ୍ରତି ବ୍ୟାଚରେ ପ୍ରାୟ ୫କେଜି କାଜୁ ଭଜା ପେଷା ଯାଇପାରିବ । ବୋତଲ କିମ୍ବା ପାଉଜ ଭର୍ତ୍ତି କରିବା ପାଇଁ ପ୍ୟାକିଙ୍ଗ ମେସିନ୍ ଏବଂ ଓଜନ କରିବା ଯନ୍ତ୍ର ଇତ୍ୟାଦି । ଏହିଭଳି ଭାବରେ କାଜୁବଟର ଉତ୍ପାଦ ପ୍ରସ୍ତୁତ ପାଇଁ ପ୍ରତି ୨୦୦ଗ୍ରାମ ବୋତଲ କିମ୍ବା ପାଉଚ ପାଇଁ ପ୍ରାୟ ୧୮୦ଟଙ୍କା ଖର୍ଚ୍ଚ ହୋଇଥାଏ । ଯେଉଁଥିରେ ବିଭିନ୍ନ ଉତ୍ପାଦନର ମୂଲ୍ୟ, ଇନ୍ଧନ ମୂଲ୍ୟ, ପ୍ୟାକେଜିଂ ଖର୍ଚ୍ଚ, ମେସିନ ନିଯୁକ୍ତି ଦେୟ ଏବଂ ଶ୍ରମ ମୂଲ୍ୟ ମିଶିଥାଏ । ସାଧାରଣ ବଜାରରେ ଏହିଭଳି ପଦାର୍ଥ ମିଳିନଥାଏ କିନ୍ତୁ ଆମାଜନ କିମ୍ବା ଫ୍ଲିପକାର୍ଟ ଭଳି ଇଲୋକ୍ଟ୍ରୋନିକ ମାର୍କେଟିଙ୍ଗରେ ଏହାର ମୂଲ୍ୟ ପ୍ରତି ୨୦୦ଗ୍ରାମ ପାଇଁ ୪୦୦ରୁ ୫୦୦ ଟଙ୍କା ହୋଇଥାଏ ।
ନିହାର ରଞ୍ଜନ ସାହୁ, ସହଯୋଗୀ ଅଧ୍ୟାପକ, ଓୟୁଏଟି