ନୂଆଦିଲ୍ଲୀ, ୧୧।୭: ଏବେ ଚା’ ବଦଳରେ କଫି ପିଇବା ଆରମ୍ଭ କରନ୍ତୁ । ଏକାଧିକ ରୋଗ ଭଲ କରେ କଫି । ଫ୍ୟାଟି ଲିଭର୍ ହେବାର ଆଶଙ୍କା ୨୦% ଏବଂ ଲିଭର କ୍ୟାନ୍ସର-ସିରୋସିସ୍ ହେବାର ଆଶଙ୍କା ୪୯% ହ୍ରାସ କରେ । ନିକଟରେ ଏକ ଅଧ୍ୟୟନରୁ ଏନେଇ ଖୁଲାସା ହୋଇଛି । ଏହି ରିପୋର୍ଟ ଦେଇଛି ୟୁକେର ସାଉଥ୍ ଟମ୍ପଟନ୍ ଏବଂ ଇଡେନବର୍ଗ ୟୁନିଭର୍ସିଟି ।
ଦୈନିକ କଫି ପିଉଥିଲେ ଏହା ଆପଣଙ୍କୁ ଲିଭର୍ ରୋଗରୁ ରକ୍ଷା କରିପାରେ । କଫି କେବଳ ଲିଭରକୁ ସୁସ୍ଥ ରଖେନି, ଫ୍ୟାଟି ଲିଭର ଓ ଅନ୍ୟ କ୍ରୋନିକ୍ ଲିଭର ଡିଜିଜ୍ର ଆଶଙ୍କା କମାଏ । ୪୯୫, ୫୮୫ ଜଣ କଫି ପିଉଥିବା ଲୋକଙ୍କୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା । ୟୁକେ ବାୟୋବ୍ୟାଙ୍କରୁ ଏହି ରିପୋର୍ଟ ସଂଗ୍ରହ କରାଯାଇଥିଲା । ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରିସର୍ଚ୍ଚ ହୋଇଥିଲା । ଗୋଟିଏ ରିସର୍ଚ୍ଚରେ ୭୮% ଅର୍ଥାତ୍ ୩ ଲକ୍ଷ ୮୪ ହଜାର ୮୧୮ କଫି ପିଉଥିବା ଲୋକ ସାମିଲ ଥିଲେ । ଅନ୍ୟପଟେ ୨୨% ଅର୍ଥାତ୍, ୧ ଲକ୍ଷ ୯ ହଜାର ୭୬୭ କଫି ପିଉନଥିବା ଲୋକଙ୍କ ଉପରେ ରିସର୍ଚ୍ଚ କରାଯାଉଥିଲା । ଯେଉଁଥିରୁ ଜଣାପଡ଼ିଥିଲା ଯେ, କଫି ପିଉନଥିବା ଲୋକଙ୍କ ତୁଳନାରେ କଫି ପିଉଥିବା ଲୋକଙ୍କଠାରେ କ୍ରୋନିକ୍ ଲିଭର ଡିଜିଜ୍ର ଆଶଙ୍କା ୨୧% ହ୍ରାସ ପାଇଥିବା ବେଳେ ଫ୍ୟାଟି ଲିଭର ୨୦% ଓ କ୍ରୋନିକ୍ ଲିଭର ଡିଜିଜ୍ରେ ମୃତ୍ୟୁ ଆଶଙ୍କା ୪୯% ହ୍ରାସ ପାଇଥିଲା । ତେବେ ଫାଇନ୍ କଫି ପିଇବା ଅଧିକ ଲାଭଦାୟକ । ଏଥିରେ ଅଧିକ ମାତ୍ରାର କାୱେଲ୍ ଏବଂ କାଫେଷ୍ଟୋଲ୍ ରହିଛି । ଯାହା କ୍ରୋନିକ୍ ଲିଭର ଆଶଙ୍କା ହ୍ରାସ କରେ ।
ଲିଭରକୁ କିପରି ମଜବୁତ ରଖିବେ ?
କଫି କେବଳ ସ୍ୱାଦ ପାଇଁ କିମ୍ବା ନିଦ ଦୂର କରିବା ପାଇଁ ନୁହେଁ ବରଂ ଲିଭର ପାଇଁ ଔଷଧ ଭାବେ କାମ କରେ । କଫିରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହି ଲାଭ ପାଇବା ପାଇଁ କ୍ଷୀର, କ୍ରିମ୍ ଏବଂ ଚିନି ବିନା କଫି ପିଇବାକୁ ପଡ଼ିବ । କେବଳ ବ୍ଲାକ୍ କଫି ପିଇଲେ ଏହି ଲାଭ ମିଳିପାରିବ ।
କେତେ ବିପଦପୂର୍ଣ୍ଣ ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର ?
ନନ୍-ଆଲକୋହଲିକ୍ ଫ୍ୟାଟି ଲିଭରକୁ ଅଧିକ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ । କାରଣ ଏହାର ଲକ୍ଷଣଗୁଡ଼ିକ ଶୀଘ୍ର ଦେଖାଯାଏନାହିଁ । କେବଳ ମଦ୍ୟପାନ କରୁଥିବା ଲୋକଙ୍କର ଯେ ଫ୍ୟାଟି ଲିଭର ଥାଏ, ତା’ ନୁହେଁ ଯେଉଁମାନେ ମଦ୍ୟପାନରୁ ଦୂରେଇ ରହନ୍ତି ସେମାନଙ୍କର ମଧ୍ୟ ଫ୍ୟାଟି ଲିଭର ଥାଏ । ଆଜିକାଲି, ପ୍ରତି ୩ ଜଣଙ୍କ ମଧ୍ୟରୁ ଜଣଙ୍କର ଫ୍ୟାଟି ଲିଭର ସମସ୍ୟା ରହିଛି ।