ନୂଆଦିଲ୍ଲୀ,୧୧।୩: ଏନସିଇଆରଟିର ଅଷ୍ଟମ ଶ୍ରେଣୀ ବହିରେ ନ୍ୟାୟପାଳିକାରେ ଭ୍ରଷ୍ଟାଚାର ଓ ପଡି ରହିଥିବା ମାମଲାକୁ ନେଇ ଏକ ନୂଆ ଅଧ୍ୟାୟ ପ୍ରକାଶ କରିଥିଲା। ଏହି ଅଧ୍ୟାୟ ନୂଆ ତିଆରି ସିଲାବସ୍ ଅଂଶ ଥିଲା,ଯାହା ଉପରେ ଖୁବ୍ ବିବାଦ ହୋଇଥିଲା। ସୁପ୍ରିମକୋର୍ଟ ଆପତ୍ତି ପ୍ରକାଶ କରିଥିଲେ। ଏହାକୁ ନେଇ ଏବେ ସୁପ୍ରିମକୋର୍ଟରେ ବୁଧବାର କେନ୍ଦ୍ର ସରକାର କହିଛନ୍ତି ଆମକୁ ଏନସିଇଆରଟିର ପୁରା ସିଲାବସ୍ ସମୀକ୍ଷା କରିବାକୁ ହେବ। ଏ ସମ୍ପର୍କରେ ନିର୍ଦେଶ ଜାରି କରି ଦିଆଯାଇଛି। ସେଭଳି ଖଣ୍ଡପୀଠ କେନ୍ଦ୍ର,ରାଜ୍ୟ ଓ ବିଶ୍ବବିଦ୍ୟାଳୟକୁ ନିର୍ଦେଶ ଦେଛନ୍ତି ସେ ଏନସିଆରଟିର ଅଷ୍ଟମ ଶ୍ରେଣୀ ବହିରେ ବିବାଦୀୟ ଅଧ୍ୟାୟର ଡ୍ରାଫ୍ଟ ପ୍ରସ୍ତୁତ କରିଥିବା ୩ ବିଶେଷଜ୍ଞଙ୍କଠାରୁ ଦୂରତ୍ବ ବଜାୟ ରଖନ୍ତୁ।
କୋର୍ଟ କହିଛନ୍ତି, ତାଙ୍କ ନିର୍ଦେଶର ଉଦେଶ୍ୟ ହେଉଛି ନ୍ୟାୟପାଳିକାର ସଂସ୍ଥାଗତ କାର୍ଯ୍ୟର କୌଣସି ସୁସ୍ଥ ଏବଂ ବସ୍ତୁନିଷ୍ଠ ଆଲୋଚନାକୁ ରୋକିବାର ନାହିଁ। ଏହା ସହିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ସେ ନିୟମ ଅଧ୍ୟୟନ ପାଠ୍ୟକ୍ରମକୁ ଅନ୍ତିମ ରୂପରେଖ ଦେବା ପାଇଁ ସମ୍ପର୍କିତ କ୍ଷେତ୍ରର ବିଶେଷଜ୍ଞଙ୍କ ପ୍ୟାନେଲର ଏକ ସପ୍ତାହ ଭିତରେ ଗଠିତ କରନ୍ତୁ। ଏହା ଉପରେ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା ଜବାବ ଦେଇଛନ୍ତି। ସେ କହିଛନ୍ତି,ଆମେ ଏନ୍ସିଇଆରଟିରେ ବ୍ୟବସ୍ଥାଗତ ପରିବର୍ତ୍ତନ ଆରମ୍ଭ କରିଛୁ। ବିଷୟ ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ କରାନଯାଇ କିଛି ବି ପ୍ରକାଶିତ କରାଯିବନି।
ଏହି ମାମଲାରେ ପୂର୍ବରୁ ସୁପ୍ରିମକୋର୍ଟ ଏହି ପାଠ୍ୟପୁସ୍ତକ ଉପରେ କଟକଣା ଲଗାଇ ଦେଇଥିଲେ। ଶୁଣଣି ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ,ନ୍ୟାୟମୂର୍ତ୍ତି ଜୟମାଲ୍ୟ ବାଗଚି ଓ ନ୍ୟାୟମୂର୍ତ୍ତି ବିପୁଳ ଏମ୍ ପାଞ୍ଚୋଲିଙ୍କ ଖଣ୍ଡପୀଠ ପୁସ୍ତକର ସବୁ ଭୌତିକ ତଥା ଡିଜିଟାଲ କପିକୁ ଜବତ କରିବାକୁ ନିର୍ଦେଶ ଦେଇଥିଲେ। ଏହା ସହିତ କୋର୍ଟ ଏନ୍ସିଆରଟିର ନିର୍ଦେଶକ ଓ ସ୍କୁଲ ଶିକ୍ଷା ସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଏହା ମଧ୍ୟ ପଚାରିଥିଲେ ଯେ,ବିବାଦୀୟ ଅଧ୍ୟାୟ ସହ ପୁସ୍ତକ ପ୍ରକାଶିତ କଲେ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ।
ଆହୁରି ପଢନ୍ତୁ:ରୁଷଠାରୁ ତେଲ କିଣିବାକୁ ଭାରତକୁ କାହିଁକି ଅନୁମତି ଦେଲା ଆମେରିକା ? କହିଲା ପ୍ରକୃତ କାରଣ