ଦୁବାଇ,୨୩/୦୨: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ୧୬ମାସ ପରେ ଦିନିକିଆ ଫର୍ମାଟ୍ରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି କ୍ରିକେଟ୍ ଦୁନିଆର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ସମଗ୍ର ବିଶ୍ୱ ଏହି ମ୍ୟାଚ୍ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛି । ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡ଼ିୟମ୍ ନୀଳ ଓ ସବୁଜ ଜର୍ସିରେ ପୁରି ଉଠିବ । ଉଭୟ ଦଳର ସମର୍ଥକଙ୍କ ‘ହଲ୍ଲା ବୋଲ୍’ ଷ୍ଟାଡ଼ିୟମ୍ର ଉତ୍ତାପ ବଢ଼ାଇ ଦେବ । ଟେଲିଭିଜନଠୁ ଆରମ୍ଭ କରି ଓଟିଟି ପ୍ଲାଟଫର୍ମରେ ମଧ୍ୟ କ୍ରିକେଟ୍ ପ୍ରେମୀ ମ୍ୟାଚର ଭରପୁର ମଜା ଉଠାଇବେ । ସୋସିଆଲ ମିଡ଼ିଆରେ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ଲଢ଼େଇ ସାଜିବ ମୁଖ୍ୟ ପ୍ରସଙ୍ଗ ।
କ୍ରିକେଟ୍ ମଇଦାନରେ ଭାରତ- ପାକିସ୍ତାନ ମୁକାବିଲା ସର୍ବଦା ଦର୍ଶକଙ୍କୁ ମତୁଆଲା କରିଥାଏ । ଦଳର ବିଜୟରେ ଦର୍ଶକ ରାଜରାସ୍ତାରେ ଜାତୀୟ ପତାକା ଉଡ଼ାଇ ସେଲିବ୍ରେସନରେ ମାତନ୍ତି । ଆତସବାଜୀରେ ଗଗନ ପବନ କମ୍ପି ଉଠେ । ଆଉ ଦଳର ପରାଜୟରେ ଦର୍ଶକ ଦୁଃଖରେ ଭାଙ୍ଗି ପଡ଼ନ୍ତି । ଏଭଳି ପରିସ୍ଥିତି ଉଭୟ ଦେଶରେ ଦେଖିବାକୁ ମିଳେ । ଆସନ୍ତାକାଲି ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ ।
ଆଜି ଭାରତ ବିଜୟ ସହ ପ୍ରଥମ ଦଳ ଭାବେ ସେମିରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ହେଲେ ପାକିସ୍ତାନ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ହାରି ସାରିଥିବା ପାକିସ୍ତାନ ଆଉ ଗୋଟିଏ ମ୍ୟାଚ୍ ହାରିଲେ ଟାଇଟଲ ଦୌଡ଼ରୁ ବାଦ ପଡ଼ିଯିବ । ଭାରତ ବିପକ୍ଷରେ ପାକିସ୍ତାନର ରେକର୍ଡ ଭଲ ରହିଛି । ଉଭୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ପରସ୍ପରକୁ ୫ଥର ଭେଟିଛନ୍ତି । ଏଥିରୁ ପାକିସ୍ତାନ ୩ଟି ମ୍ୟାଚ୍ ଜିତିଛି ।
ଭାରତ ମଧ୍ୟ ୨୦୧୭ ସଂସ୍କରଣର ଫାଇନାଲ୍ ପରାଜୟକୁ ଭୁଲି ନାହିଁ । ପାକିସ୍ତାନର କ୍ଷମତା ସହ ବେଶ୍ ଭଲ ଭାବେ ପରିଚିତ ଭାରତ ଆଜିର ମ୍ୟାଚ୍କୁ ହାଲକା ଭାବେ ନେବ ନାହିଁ । ପାକିସ୍ତାନକୁ ହରାଇ ୮ବର୍ଷ ତଳେ ଲଭିଥିବା ପରାଜୟର ପ୍ରତିଶୋଧ ନେବାକୁ ଦଳ ପ୍ରୟାସ କରିବ ।
ଆଜି ସମସ୍ତଙ୍କ ନଜର ଶୁଭମନ ଗିଲ୍ଙ୍କ ଉପରେ ରହିବ । ବାଂଲାଦେଶ ବିପକ୍ଷରେ ସେ ମ୍ୟାଚ ବିଜୟୀ ଶତକ ଅର୍ଜନ କରିଥିଲେ । ଚମତ୍କାର ଫର୍ମରେ ରହିଥିବା ଶୀର୍ଷ ମାନ୍ୟତା ପ୍ରାପ୍ତ ଏହି ବ୍ୟାଟରଙ୍କ ଠାରୁ ଆଉ ଏକ ବଡ଼ ଇନିଂସର ଆଶା ରଖିବେ କ୍ରିକେଟ୍ ପ୍ରେମୀ ।
ଦୁଇ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପାଇଁ ପାକ୍ ପେସ୍ ବାହିନୀ ପ୍ରସ୍ତୁତ ରହିଛନ୍ତି । ରୋହିତ ଗତ ୨୦୨୩ ଦିନିକିଆ ବିଶ୍ୱକପ୍ରେ ସହିନ ଆଫ୍ରିଦି ଓ ହ୍ୟାରିସ ରୌଫଙ୍କୁ ନିସ୍ତୁକ ପ୍ରହାର କରିଥିଲେ । ଏଥର ମଧ୍ୟ ରୋହିତ-ରୌଫ ଲଢ଼େଇକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।
ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ହର୍ଷିତ ରାଣା, ମହମ୍ମଦ ସାମି, କୁଲଦୀପ ଯାଦବ ।
ପାକିସ୍ତାନ: ଇମାମ ଉଲ-ହକ୍, ବାବର ଆଜମ, ସାଉଦ ସକିଲ, ମହମ୍ମଦ ରିଜୱାନ (ଅଧିନାୟକ), ସଲମାନ ଆଘା, ତୟାବ ତାହିର, ଖୁସଦିଲ ଶାହ, ସାହିନ ଆଫ୍ରିଦି, ନସିମ ଶାହ, ହ୍ୟାରିସ ରୌଫ, ଅବରାର ଅହମ୍ମଦ ।