ଦୁବାଇ,୨୩/୦୨: ଆଉ ମାତ୍ର  କିଛି ଘଣ୍ଟାର ଅପେକ୍ଷା । ୧୬ମାସ  ପରେ ଦିନିକିଆ ଫର୍ମାଟ୍‌ରେ ସାମ୍ନାସାମ୍ନି  ହେବାକୁ ଯାଉଛନ୍ତି କ୍ରିକେଟ୍‌ ଦୁନିଆର  ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ  ଓ ପାକିସ୍ତାନ । ସମଗ୍ର ବିଶ୍ୱ ଏହି  ମ୍ୟାଚ୍‌ ଦେଖିବାକୁ ଉତ୍ସୁକତାର ସହ  ଅପେକ୍ଷା କରିଛି । ରବିବାର ଦୁବାଇ  ଅନ୍ତର୍ଜାତୀୟ ଷ୍ଟାଡ଼ିୟମ୍‌ ନୀଳ ଓ ସବୁଜ  ଜର୍ସିରେ ପୁରି ଉଠିବ । ଉଭୟ ଦଳର  ସମର୍ଥକଙ୍କ ‘ହଲ୍ଲା ବୋଲ୍‌’ ଷ୍ଟାଡ଼ିୟମ୍‌ର ଉତ୍ତାପ ବଢ଼ାଇ ଦେବ । ଟେଲିଭିଜନଠୁ  ଆରମ୍ଭ କରି ଓଟିଟି ପ୍ଲାଟଫର୍ମରେ ମଧ୍ୟ  କ୍ରିକେଟ୍‌ ପ୍ରେମୀ ମ୍ୟାଚର ଭରପୁର ମଜା  ଉଠାଇବେ । ସୋସିଆଲ ମିଡ଼ିଆରେ  ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ  ଲଢ଼େଇ ସାଜିବ ମୁଖ୍ୟ ପ୍ରସଙ୍ଗ ।  

କ୍ରିକେଟ୍‌ ମଇଦାନରେ ଭାରତ- ପାକିସ୍ତାନ ମୁକାବିଲା ସର୍ବଦା ଦର୍ଶକଙ୍କୁ  ମତୁଆଲା କରିଥାଏ । ଦଳର ବିଜୟରେ  ଦର୍ଶକ ରାଜରାସ୍ତାରେ ଜାତୀୟ ପତାକା  ଉଡ଼ାଇ ସେଲିବ୍ରେସନରେ ମାତନ୍ତି ।  ଆତସବାଜୀରେ ଗଗନ ପବନ କମ୍ପି  ଉଠେ । ଆଉ ଦଳର ପରାଜୟରେ  ଦର୍ଶକ ଦୁଃଖରେ ଭାଙ୍ଗି ପଡ଼ନ୍ତି । ଏଭଳି  ପରିସ୍ଥିତି ଉଭୟ ଦେଶରେ ଦେଖିବାକୁ ମିଳେ । ଆସନ୍ତାକାଲି ମଧ୍ୟ ଏଭଳି ଦୃଶ୍ୟ  ଦେଖିବାକୁ ମିଳିବ ।

ଆଜି ଭାରତ ବିଜୟ ସହ  ପ୍ରଥମ ଦଳ ଭାବେ ସେମିରେ ସ୍ଥାନ ପକ୍କା କରିବାକୁ  ପ୍ରୟାସ କରିବ । ହେଲେ ପାକିସ୍ତାନ ପାଇଁ ଏହି ମ୍ୟାଚ୍‌  ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ନ୍ୟୁଜିଲାଣ୍ଡ  ବିପକ୍ଷରେ ପ୍ରଥମ ମ୍ୟାଚ୍‌ ହାରି ସାରିଥିବା ପାକିସ୍ତାନ  ଆଉ ଗୋଟିଏ ମ୍ୟାଚ୍‌ ହାରିଲେ ଟାଇଟଲ ଦୌଡ଼ରୁ ବାଦ  ପଡ଼ିଯିବ । ଭାରତ ବିପକ୍ଷରେ ପାକିସ୍ତାନର ରେକର୍ଡ ଭଲ  ରହିଛି । ଉଭୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ପରସ୍ପରକୁ  ୫ଥର ଭେଟିଛନ୍ତି । ଏଥିରୁ ପାକିସ୍ତାନ ୩ଟି ମ୍ୟାଚ୍‌ ଜିତିଛି । 

ଭାରତ ମଧ୍ୟ ୨୦୧୭ ସଂସ୍କରଣର ଫାଇନାଲ୍‌  ପରାଜୟକୁ ଭୁଲି ନାହିଁ । ପାକିସ୍ତାନର କ୍ଷମତା ସହ  ବେଶ୍‌ ଭଲ ଭାବେ ପରିଚିତ ଭାରତ ଆଜିର  ମ୍ୟାଚ୍‌କୁ ହାଲକା ଭାବେ ନେବ ନାହିଁ । ପାକିସ୍ତାନକୁ  ହରାଇ ୮ବର୍ଷ ତଳେ ଲଭିଥିବା ପରାଜୟର  ପ୍ରତିଶୋଧ ନେବାକୁ ଦଳ ପ୍ରୟାସ କରିବ । 

ଆଜି ସମସ୍ତଙ୍କ ନଜର ଶୁଭମନ ଗିଲ୍‌ଙ୍କ  ଉପରେ ରହିବ । ବାଂଲାଦେଶ ବିପକ୍ଷରେ ସେ ମ୍ୟାଚ ବିଜୟୀ  ଶତକ ଅର୍ଜନ କରିଥିଲେ । ଚମତ୍କାର ଫର୍ମରେ ରହିଥିବା  ଶୀର୍ଷ ମାନ୍ୟତା ପ୍ରାପ୍ତ ଏହି ବ୍ୟାଟରଙ୍କ ଠାରୁ  ଆଉ ଏକ ବଡ଼ ଇନିଂସର ଆଶା ରଖିବେ କ୍ରିକେଟ୍‌ ପ୍ରେମୀ । 

ଦୁଇ ଭେଟେରାନ ରୋହିତ ଶର୍ମା ଓ ବିରାଟ  କୋହଲିଙ୍କ ପାଇଁ ପାକ୍‌ ପେସ୍‌ ବାହିନୀ ପ୍ରସ୍ତୁତ  ରହିଛନ୍ତି । ରୋହିତ ଗତ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ  ସହିନ ଆଫ୍ରିଦି ଓ ହ୍ୟାରିସ ରୌଫଙ୍କୁ ନିସ୍ତୁକ ପ୍ରହାର  କରିଥିଲେ । ଏଥର ମଧ୍ୟ ରୋହିତ-ରୌଫ ଲଢ଼େଇକୁ  ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

 ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା (ଅଧିନାୟକ),  ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ  ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା,  ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ହର୍ଷିତ  ରାଣା, ମହମ୍ମଦ ସାମି, କୁଲଦୀପ ଯାଦବ । 

ପାକିସ୍ତାନ: ଇମାମ ଉଲ-ହକ୍‌, ବାବର  ଆଜମ, ସାଉଦ ସକିଲ, ମହମ୍ମଦ ରିଜୱାନ  (ଅଧିନାୟକ), ସଲମାନ ଆଘା, ତୟାବ  ତାହିର, ଖୁସଦିଲ ଶାହ, ସାହିନ ଆଫ୍ରିଦି, ନସିମ  ଶାହ, ହ୍ୟାରିସ ରୌଫ, ଅବରାର ଅହମ୍ମଦ ।