ନୂଆଦିଲ୍ଲୀ: ଜୁଲାଇ କିମ୍ବା ଅଗଷ୍ଟରେ ଆମେ ପୃଥିବୀ ଇତିହାସର ସବୁଠାରୁ ଛୋଟ ଦିନ ଅନୁଭବ କରିପାରନ୍ତି । ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ, ଇତିହାସର ସବୁଠାରୁ ଛୋଟ ଦିନ ୯ କିମ୍ବା ୨୨ ଜୁଲାଇ କିମ୍ବା ୫ ଅଗଷ୍ଟ ହୋଇପାରେ। ନିଜ ଅକ୍ଷରେ ପୃଥିବୀର ଘୂର୍ଣ୍ଣନର ଗତି ଆଶାତୀତ ଭାବରେ ବୃଦ୍ଧି ପାଉଛି। ଏହି କାରଣରୁ ଦିନଗୁଡ଼ିକ ଛୋଟ ହେଉଛି ଏବଂ ଆମେ ୨୪ ଘଣ୍ଟାରୁ କମ୍ ଦିନ ଦେଖିପାରୁଛୁ । ଏହି ପରିବର୍ତ୍ତନ ଏକ ମିଲିସେକେଣ୍ଡ ହୋଇପାରେ । ଯାହାକୁ ଜଣେ ସାଧାରଣ ଲୋକ ଅନୁଭବ କରିବା ଅସମ୍ଭବ।
ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଛୋଟ ପରିବର୍ତ୍ତନ ସାଟେଲାଇଟ୍ ସିଷ୍ଟମ୍, GPS ଏବଂ ସମୟ ଟ୍ରାକ୍ କରିବାର ଉପାୟକୁ ପରିବର୍ତ୍ତନ କରିପାରେ । ଗତ ପାଞ୍ଚ ବର୍ଷ ଧରି ଅର୍ଥାତ୍ ୨୦୨୦ ମସିହାରୁ ପୃଥିବୀ ନିଜ ଅକ୍ଷ ଉପରେ ସ୍ୱାଭାବିକ ଅପେକ୍ଷା ଦ୍ରୁତ ଗତିରେ ଘୂରୁଛି । ପ୍ରକୃତରେ ଏକ ସୌର ଦିନ ଠିକ୍ ୮୬,୪୦୦ ସେକେଣ୍ଡ ବା ୨୪ ଘଣ୍ଟା ରହିବା ଉଚିତ । କିନ୍ତୁ ପୃଥିବୀର ଘୂର୍ଣ୍ଣନ କେବେ ବି ସମ୍ପୂର୍ଣ୍ଣ ସ୍ଥିର ହୋଇନାହିଁ ।
ଗବେଷଣାରୁ ଜଣାପଡିଛି ଯେ, ୨୦୨୦ରେ କୌଣସି କାରଣରୁ ପୃଥିବୀ ଦ୍ରୁତ ଗତିରେ ଘୂର୍ଣ୍ଣନ ଆରମ୍ଭ କରିଛି । ଏହାଦ୍ୱାରା ଦିନର ଅବଧି କେତେକ ସମୟରେ ୨୪ ଘଣ୍ଟାରୁ କମ୍ ହୋଇଯାଇଛି । ୨୦୨୧ରେ ଏକ ଦିନ ସାଧାରଣ ଅପେକ୍ଷା ୧.୪୭ ମିଲିସେକେଣ୍ଡ କମ ଥିଲା । ଏହା ପରେ ୨୦୨୨ରେ ଏହା ୧.୫୯ ମିଲିସେକେଣ୍ଡ ହ୍ରାସ ପାଇଥିଲା ଏବଂ ତା'ପରେ ୫ ଜୁଲାଇ ୨୦୨୪ ରେ ୧.୬୬ ମିଲିସେକେଣ୍ଡ କମ୍ ଥିଲା । ୯ କିମ୍ବା ୨୨ ଜୁଲାଇ କିମ୍ବା ୫ ଅଗଷ୍ଟରେ ଦିନଟି ଆହୁରି ଛୋଟ ହୋଇପାରେ ।
ଲଣ୍ଡନ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ଗ୍ରାହାମ ଜୋନ୍ସ କହିଛନ୍ତି ଯେ, ୯ ଜୁଲାଇ, ୨୨ ଜୁଲାଇ କିମ୍ବା ୫ ଅଗଷ୍ଟରେ ପୃଥିବୀର ଘୂର୍ଣ୍ଣନ ସାମାନ୍ୟ ବୃଦ୍ଧି ପାଇବ । ଏହି ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ୧.୩୦, ୧.୩୮, ୧.୫୧ ମିଲିସେକେଣ୍ଡ କିମ୍ବା ତା'ଠାରୁ କମ୍ ହୋଇପାରେ । ଯଦି ପୃଥିବୀ ନିଜ ଅକ୍ଷରେ ଦ୍ରୁତ ଗତିରେ ଘୂର୍ଣ୍ଣନ ଜାରି ରଖେ, ତେବେ ଔପଚାରିକ ସମୟ ପରିବର୍ତ୍ତନ କରିବାର ଆବଶ୍ୟକତା ପଡିବ । ଏପରି ପରିସ୍ଥିତିରେ ୨୦୨୯ ରେ ପ୍ରଥମ ଥର ପାଇଁ ଲିପ୍ ସେକେଣ୍ଡକୁ ହଟାଇବାକୁ ପଡ଼ିପାରେ ।
ଭୂମିକମ୍ପ ଏବଂ ସମୁଦ୍ର ସ୍ରୋତ ପୃଥିବୀର ଘୂର୍ଣ୍ଣନରେ ପରିବର୍ତ୍ତନର କାରଣ ହୋଇଛି । ହିମଖଣ୍ଡ ତରଳିବା, ପୃଥିବୀର ତରଳିଥିବା କୋରରେ ପରିବର୍ତ୍ତନ ଏବଂ ଏଲ୍ ନିନୋ ଭଳି ପାଣିପାଗ ଢାଞ୍ଚା ମଧ୍ୟ ପୃଥିବୀର ଘୂର୍ଣ୍ଣନକୁ ମନ୍ଥର କିମ୍ବା ଦ୍ରୁତ କରିପାରେ । ବିଶେଷଜ୍ଞମାନଙ୍କ ଅନୁସାରେ, ଗୋଟିଏ ଦିନରେ କିଛି ମିଲିସେକେଣ୍ଡ କମ୍ ହେବା ସାଧାରଣ ଜୀବନରେ କୌଣସି ପରିବର୍ତ୍ତନ ଆଣେ ନାହିଁ କିନ୍ତୁ ପ୍ରଯୁକ୍ତିବିଦ୍ୟା ଏବଂ ଦୂରସଂଚାର ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ।