ଜାମଗାଁ,୧୨/୦୫: ଛତିଶଗଡ଼ ପୂର୍ବରୁ ମହାନଦୀର ତଣ୍ଟି ଚିପି ଦେଇଛି । ମହାନଦୀର ମୁଖ୍ୟ ସ୍ରୋତରେ ବହୁ ସଂଖ୍ୟାରେ ବ୍ୟାରେଜ୍ ନିର୍ମାଣ ପରେ ଏବେ ଶାଖା ନଦୀ ଉପରେ ପଡ଼ୋଶୀ ରାଜ୍ୟର ଲୋଲୁପ ଦୃଷ୍ଟି । ଟ୍ରିବ୍ୟୁନାଲ୍ରେ ଅନ୍ତରୀଣ ରହିତାଦେଶ ଜାରି ହୋଇ ନ ଥିବାରୁ ଏହା ଛତିଶଗଡ଼ ସରକାର ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ଯେଭଳି ଓଡ଼ିଶାକୁ ମୁନ୍ଦାଏ ପାଣି ନ ଦେବା ପାଇଁ ଛତିଶଗଡ଼ ସରକାର ପ୍ରତିଜ୍ଞା କରିଛି ବୋଲି ବୁଦ୍ଧିଜୀବୀ ମହଲରେ ଜୋର୍ ଚର୍ଚ୍ଚା ହେଉଛି ।
ମହାନଦୀର ଅନ୍ୟତମ ପ୍ରମୁଖ ଶାଖା ନଦୀ ବଡ଼ କେଲୋ ନଦୀରେ ଛତିଶଗଡ଼ ସରକାର ବନ୍ଧ ତିଆରି କରି ପାଣି ଅଟକାଇ ସାରିଛି । ଏବେ ସାନ କେଲୋ ନଦୀର ପାଣି ବି ଶୋଷିବାକୁ ଷଡ଼ଯନ୍ତ୍ର ଆରମ୍ଭ କଲାଣି । ଛତିଶଗଡ଼ ରାୟଗଡ଼ ଜିଲ୍ଲାର ବେଲେରିଆଠାରେ ସାନ କେଲୋ ନଦୀ ଉପରେ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ପ୍ରକଳ୍ପ ନିର୍ମାଣ ହେବା ପରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ପ୍ରାୟ ୩ଟି ପଞ୍ଚାୟତରେ ଉତ୍କଟ ଜଳାଭାବ ସ୍ଥିତି ସୃଷ୍ଟି ହେବା ଜଳଜଳ ଦେଖା ଦେଲାଣି ।
ମହାନଦୀ ଓଡ଼ିଶାକୁ ପ୍ରବେଶ କରିବା ପରେ ଏହାର ଦ୍ୱିତୀୟ ଶାଖା ନଦୀ ଭାବେ ସାନ କେଲୋ ଛତିଶଗଡ଼ରୁ ଆସି ଲଖନପୁର ବ୍ଲକର ଛୁଇଁପାଲି ଗାଁ ନିକଟରେ ହୀରାକୁଦ ଜଳଭଣ୍ଡାରରେ ମିଶିଛି । ବର୍ଷତମାମ ଏଠାରେ ପାଣି ଧାର ବୋହିଥାଏ । ଭିଖମପାଲି, ଅତାବିରା, ବାଦିମାଲ ସମେତ ଆଖପାଖର ଅନେକ ପଞ୍ଚାୟତ ନଦୀ ପାଣି ଉପରେ ନିର୍ଭରଶୀଳ । ପୂର୍ବରୁ ବଡ଼ କେଲୋ ନଦୀରେ ଛତିଶଗଡ଼ ସରକାର ରାୟଗଡ଼ ଜିଲ୍ଲାର ତମନାର ନିକଟରେ ବନ୍ଧ ବାନ୍ଧି ସାରିଥିବାବେଳେ ଏବେ ସାନ କେଲୋ ନଦୀର ତଣ୍ଟି ଚିପିବା ପ୍ରକ୍ରିୟା ଆରମ୍ଭ କଲାଣି ।
ଜଳସେଚନ ନାଁରେ ଶିଳ୍ପ ଶୋଷ ମେଣ୍ଟାଇବାକୁ ଛୋଟ ଛୋଟ ନାଳକୁ ବି ସେଠାକାର ସରକାର କବ୍ଜା କରିବାରେ ଲାଗିଛନ୍ତି । ବର୍ତ୍ତମାନ ବେଲେରିଆଠାରେ କିଛି ମାସ ହେଲା ଛତିଶଗଡ଼ ସରକାର ଏକ ବ୍ୟାରେଜ୍ ନିର୍ମାଣ କାମ ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଏହାର ଫାଉଣ୍ଡେସନ୍ କାମ ପ୍ରାୟତଃ ସରିଗଲାଣି । ମୋଟ ୬ କୋଟି ୧୮ ଲକ୍ଷ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୧ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି । ରାୟଗଡ଼ ଜିଲ୍ଲାର ଜମଗାଁରେ ଥିବା ଏକ ଇସ୍ପାତ ଓ ସ୍ପଞ୍ଜ ଆଇରନ୍ କାରଖାନା ସମ୍ପ୍ରସାରଣ କାମ ଆରମ୍ଭ କରିଛି । ଉକ୍ତ ସଂସ୍ଥାର ପାଣି ଚାହିଦା ମେଣ୍ଟାଇବାକୁ ବ୍ୟାରେଜ୍ ନିର୍ମାଣ କରାଯାଉଥିବା ନେଇ ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି । ଏହା ପୂର୍ବରୁ ବଡ଼ କେଲୋ ନଦୀରେ ଦୀର୍ଘ ଦେଢ଼ ଦଶନ୍ଧି ତଳୁ ବନ୍ଧ ନିର୍ମାଣ ହୋଇ ୪ରୁ ଅଧିକ ଶିଳ୍ପ ସଂସ୍ଥାକୁ ଅବିରତ ଜଳଯୋଗାଣ ଚାଲିଥିଲେ ହେଁ ଅଦ୍ୟାବଧି କେନାଲ ଜଳସେଚନ ଆରମ୍ଭ ହୋଇପାରିନାହିଁ । ଏଭଳି ସ୍ଥିତିରେ ସାନ କେଲୋରେ ବ୍ୟାରେଜ୍ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଝାରସୁଗୁଡ଼ାର ୩ ପଞ୍ଚାୟତର ୧୫ରୁ ଅଧିକ ଗାଁ ଭୟଙ୍କର ଜଳକଷ୍ଟର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଲାଣି । ଏହି ପ୍ରକଳ୍ପ ଦ୍ୱାରା ଏକାଧିକ ଉଠା ଜଳସେଚନ ପ୍ରକଳ୍ପ ଅକାମୀ ହେବା ଆଶଙ୍କା ଘାରିଲାଣି । ବାଉଁସେନପାଲି, ଭିକମପାଲି, ଚିଖିଲାପାଲି, ଛୁଇଁପାଲି, କଦମଘାଟ ଆଦି ସ୍ଥାନର ଉଠା ଜଳସେଚନ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଘେରକୁ ଆସିଗଲାଣି । ଏ ନେଇ ଚାଷୀ ମହଲରେ ଭାଳେଣି ପଡ଼ିଲାଣି ।
ସେପଟେ ପ୍ରକଳ୍ପ ଦ୍ୱାରା ହୀରାକୁଦ ବି ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ବିଶେଷ କରି ଅଣମୌସୁମୀ ଅବଧିରେ ଏହାର ଗୁରୁତ୍ୱର ପ୍ରଭାବ ଲୋକଙ୍କୁ ଭୋଗିବାକୁ ପଡ଼ିବା ଏକ ପ୍ରକାର ଥୟ। କାରଣ, ମହାନଦୀ ମୁଖ୍ୟ ସ୍ରୋତରେ କଲମାରୁ ଖରା ଦିନରେ ଟୋପାଏ ବି ପାଣି ଆସୁନାହିଁ । ଏହି ପରିପ୍ରେକ୍ଷୀରେ ଶାଖା ନଦୀଗୁଡ଼ିକରେ ପାଣି ଅଟକାଇଲେ ଚାଷୀ, ମତ୍ସ୍ୟଜୀବୀ ସିଧାସଳଖ ପ୍ରଭାବିତ ହେବେ । ଗୃହପାଳିତ ପ୍ରାଣୀଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି । ଏନେଇ ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଉକ୍ତ ପ୍ରକଳ୍ପ ହେଲେ ଆମ ଅଞ୍ଚଳ ଶୁଖିଲା ପଡ଼ିବ । ହଜାର ହଜାର ଚାଷ ଜମି ଭୟଙ୍କର ମରୁଡ଼ିର ଶିକାର ହେବ । ତୁରନ୍ତ ଏହାକୁ ବନ୍ଦ କରିବାକୁ ଓଡ଼ିଶା ସରକାର ପଦକ୍ଷେପ ନିଅନ୍ତୁ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି ।