ଭୁବନେଶ୍ବର, ୨୩।୬ :  ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟର ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି।  ପଦ୍ମଶ୍ରୀ ପାଇଥିବା ଓଡିଶାର ସମସ୍ତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

 ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ମୟୂରଭଞ୍ଜର ଚରଣ ହେମ୍ବ୍ରମ, କଳା କ୍ଷେତ୍ରରେ ଗଞ୍ଜାମର ଗୁରୁ ସୀମାଞ୍ଚଳ ପାତ୍ର ଏବଂ କଟକ ତିଗିରିଆର ବିଶିଷ୍ଟ ବାନ୍ଧଶିଳ୍ପୀ ଶରତ କୁମାର ପାତ୍ରଙ୍କ ସାଧନା ସମଗ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଆପଣମାନଙ୍କର ଏହି ନିଷ୍ଠାପର ନିଦର୍ଶନ ଆମ ସମୃଦ୍ଧ କଳା, ଭାଷା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହ ଓଡ଼ିଶାର ଅସ୍ମିତାକୁ ଅଧିକ ମହିମାମଣ୍ଡିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି।

 ତୃଣମୂଳ ସ୍ତରର ପ୍ରକୃତ ସାଧକମାନଙ୍କୁ ଚିହ୍ନଟ କରି 'ପିପୁଲ୍ସ ପଦ୍ମ' (People's Padma) ମାଧ୍ୟମରେ ସେମାନଙ୍କ ଶ୍ରମ ଓ ସାଧନାକୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାବାସୀଙ୍କ ତରଫରୁ କୃତଜ୍ଞତା ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତ ପୁରସ୍କାର ବିଜେତାଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ଜୀବନ କାମନା ମୁଖ୍ୟମନ୍ତ୍ରୀ କରିଛନ୍ତି।

ଆହୁରି ପଢନ୍ତୁ : ଧାରା ୩୭୦ ଉଚ୍ଛେଦ ଦ୍ୱାରା ଡଃ ମୁଖାର୍ଜୀଙ୍କ 'ଅଖଣ୍ଡ ଭାରତ'ର ସ୍ୱପ୍ନ ସାକାର ହୋଇଛି : ମୁଖ୍ୟମନ୍ତ୍ରୀ