ଭୁବନେଶ୍ୱର, ୦୩/୦୧: ଆଧୁନିକ ଓଡ଼ିଶାର ନିର୍ମାତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ସମାରୋହ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଛନ୍ତି। ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏହି ସମାରୋହରେ ପିସିସି ସଭାପତି ଭକ୍ତ ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରପ୍ପା ମୋଇଲି, ରାଜ୍ୟସଭା ସଦସ୍ୟ ରଣଦୀପ ସୁର୍ଜେୱାଲା, କୋରାପୁଟ ସାଂସଦ ସପ୍ତଗିରି ଉଳ୍ଲାକା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ନେତା ନରସିଂହ ମିଶ୍ର, ପ୍ରସନ୍ନ ପାଟ୍ଟଶାହାଣି ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉପରେ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଆଜିଠୁ ଆସନ୍ତା ବର୍ଷ ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ ବିଭିନ୍ନ କାର୍ଯ୍ୟକ୍ରମ ।

ରାଜ୍ୟ ରାଜନୀତିରେ ଅନେକଙ୍କ ପାଇଁ ଜାନକୀବଲ୍ଲଭ ହେଉଛନ୍ତି ଜଣେ ପ୍ରେରଣାଦାୟୀ ଗୁରୁ । ତାଙ୍କ ଜୀବନୀରୁ ସମସ୍ତଙ୍କ ପାଇଁ ସର୍ବଶ୍ରେଷ୍ଠ ଶିକ୍ଷା ହେଉଛି, କୌଣସି ସମସ୍ୟାରେ ବିଚଳିତ ନହୋଇ ନିଜ କର୍ମମୟ ଜୀବନରେ ଆଗକୁ ବଢି ଚାଲିବା । ନିରନ୍ତର କର୍ମ ଓ ଧୈର୍ଯ୍ୟ ହେଉଛି ସଫଳତାର ଅନ୍ୟନାମ। ଶନିବାର ଭୁବନେଶ୍ବରର କ୍ୟାପିଟାଲ ହାଇସ୍କୁଲ ପଡିଆରେ ଆୟୋଜିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବର୍ଗତ ଜାନକୀ ବଲ୍ଲଭ ହେଉଛନ୍ତି ଦୁଇଟି ଦିଗରୁ ପ୍ରଣମ୍ୟ ।  ପ୍ରଥମଟି  ତାଙ୍କ ସାରସ୍ୱତ ଓ ସଂସ୍କୃତି ସଚେତନ ବ୍ୟକ୍ତିତ୍ୱ । ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରି ସେ ଓଡ଼ିଆ ଭାଷା ସାହିତ୍ୟ ର ପ୍ରଚାର ପ୍ରସାର ପାଇଁ ସକ୍ରିୟ ଯୋଗଦାନ କରିଛନ୍ତି । ଦ୍ଵିତୀୟଟି ତାଙ୍କ ନେତୃତ୍ୱର ଦିଗ । ଧୈର୍ଯ୍ୟ, ଯଥାର୍ଥ ସାଙ୍ଗଠନିକ ଦକ୍ଷତା, ନିଷ୍ଠା ବଳରେ, ନିଜର ଜନସେବକ ଭୂମିକାକୁ ଅବ୍ୟାହତ ରଖିପାରିଲେ ଜଣେ ନେତୃତ୍ୱକୁ ଦୀର୍ଘଜୀବୀ କରିପାରିବ ବୋଲି ସେ ପ୍ରମାଣ କରିଛନ୍ତି । ତାଙ୍କର ସ୍ଥିତପ୍ରଜ୍ଞ ଗୁଣ ତାଙ୍କୁ ରାଜନୀତିରେ ଜଣେ ଧୂରନ୍ଧର ବ୍ୟକ୍ତିତ୍ବଭାବେ ପ୍ରତିଷ୍ଠା ପ୍ରଦାନ କରିଥିଲା।

ଜାନକୀବଲ୍ଲଭ ପଟ୍ଟନାୟକ ଜଣେ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବର୍ଗତ ପଟ୍ଟନାୟକ ଏକାଧାରରେ  ଥିଲେ ଜଣେ ପ୍ରତିଷ୍ଠିତ ରାଜନେତା, କୃତବିଦ୍ୟ ସାମ୍ବାଦିକ ଓ ସମ୍ପାଦକ, ସାରସ୍ଵତ ସାଧକ, ଅନୁବାଦକ ଏବଂ ପ୍ରସିଦ୍ଧ ପ୍ରାଚ୍ୟ-ବିଦ୍ୟା ବିଶାରଦ ।

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ରାଜନୈତିକ ଜୀବନ ଉପରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜାନକୀ ବାବୁଙ୍କ ରାଜନୈତିକ ଜୀବନ ଥିଲା ଘଟଣାବହୁଳ। ୧୯୭୧ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଜାନକୀ ବାବୁଙ୍କ ରାଜନୈତିକ ଇଂନିସ ଥିଲା ଉଲ୍ଲେଖନୀୟ ।  ସେ କେନ୍ଦ୍ରରେ ଉପମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି । ଆମ ଓଡ଼ିଶାର ତିନି ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବିରୋଧୀ ଦଳ ନେତା ଭାବରେ ପ୍ରଭାବୀ କାର୍ଯ୍ୟ କରିଛନ୍ତି।  ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଆସାମ ପ୍ରଦେଶର ରାଜ୍ୟପାଳ ଭାବରେ ଦାୟିତ୍ୱ ନେଇଛନ୍ତି । ଛାତ୍ର ରାଜନୀତିରେ ମଧ୍ୟ ତାଙ୍କର ସକ୍ରିୟ ଯୋଗଦାନ ରହିଥିଲା ବୋଲି ସେ କହିଥିଲେ ।

ସେ ପୁଣି କହିଥିଲେ, ସାମ୍ବାଦିକତା ଓ ସାହିତ୍ୟର ରସାୟନ ଥିଲା ଜାନକୀବଲ୍ଲଭଙ୍କ ସହଜାତ ପ୍ରବୃତ୍ତି ।  ସେଥିପାଇଁ ୧୯୪୯ ମସିହାରୁ ସେ ସାମ୍ବାଦିକତାକୁ ବ୍ରତ ଓ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ତରୁଣ ବୟସରେ ଦୁଇଟି ସମ୍ବାଦପତ୍ରର ସମ୍ପାଦକ ଦାୟିତ୍ୱ ନେବାର ଗୌରବ ଥିଲା ଏକ ବିରଳ ସଫଳତା ।

ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଜଣେ ଉଚ୍ଚାଙ୍ଗ ସାହିତ୍ୟ ସାଧକ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୫୬ ମସିହାରେ ଜାନକୀ ବାବୁ ଲେଖିଥିବା ‘ଗୌତମ ବୁଦ୍ଧ’ ପୁସ୍ତକଟି ଥିଲା ତାଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ସାହିତ୍ୟିକ କୃତି । ପରେ ସେ ରାମାୟଣ, ମହାଭାରତ ଓ ଶ୍ରୀମଦ୍ ଭାଗବତର ଓଡ଼ିଆ ଗଦ୍ୟାନୁବାଦ କରିଥିଲେ। କବି ଭର୍ତ୍ତୃହରିଙ୍କ  ଲିଖିତ ‘ଶୃଙ୍ଗାର ଶତକ’, ‘ନୀତି ଶତକ’ ଓ ‘ବୈରାଗ୍ୟ ଶତକ’ର ଅନୁବାଦ ତାଙ୍କର ଅନବଦ୍ୟ ସଫଳତା । ଆସାମର ରାଜ୍ୟପାଳ ଭାବରେ ତାଙ୍କ ଅଭିବ୍ୟକ୍ତିଗୁଡିକ ମଧ୍ୟରେ "ଆସାମରୁ ଲେଖୁଛି" ଓ ଆତ୍ମଜୀବନୀର ଅଂଶ "ଅସମାପ୍ତ ଆତ୍ମଲିପି" ରେ ମଧ୍ୟ ସେ ସାରସ୍ବତ ଦୃଷ୍ଟିଭଙ୍ଗୀର ପ୍ରମାଣ ମିଳେ ।

ସେ ଆହୁରି କହିଥିଲେ, ସଂସ୍କୃତ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ଏହି ପାଣ୍ଡିତ୍ୟ ପାଇଁ ସେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ପ୍ରଜ୍ଞାନ ବାଚସ୍ପତି ଓ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରୁ  ଡ଼ି. ଲିଟ ଉପାଧି ଲାଭ କରିଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ସେ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର  କୁଳାଧିପତି ହିସାବରେ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରିଥିଲେ । ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରି ସେ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସକ୍ରିୟ ଯୋଗଦାନ କରିଛନ୍ତି । ଜାନକୀବଲ୍ଲଭ ଥିଲେ ଅସାଧାରଣ ବିଦ୍ୱାନ ଓ ବାଗ୍ମୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡିଶାର ଯୁବବର୍ଗଙ୍କୁ ଉଦ୍ୟୋଗୀ କରିବା ପାଇଁ ୧୯୮୦ ମସିହାରେ ସେ ଓଡିଶାରେ ପ୍ରଥମ ଥର ପାଇଁ ବ୍ୟାପକ ଶିଳ୍ପାୟନର ଉଦ୍ୟମ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେତେବେଳେ ହଜାର ଦିନରେ ହଜାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସେ ଯେଉଁ ଆହ୍ବାନ ଦେଇଥିଲେ, ତାହା ସେ ସମୟରେ ଯୁବ ବର୍ଗଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଥିଲା।

କାର୍ଯ୍ୟକ୍ରମରେ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରାପ୍ପା ମୋଇଲି, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ପ୍ରମୁଖ ଯୋଗଦେଇ ଜାନକୀବଲ୍ଲଭଙ୍କ ସ୍ମୃତି ଚାରଣ କରିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ନିଜର ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ରଣଦୀପ ସୂର୍‌ଜେୱାଲା, ସାଂସଦ ସପ୍ତଗିରି ଉଲ୍ଲାକା, ଏଆସିସି ଓଡିଶା ପ୍ରଭାରୀ ଅଜୟ କୁମାର ଲାଲୁ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ୍ଡାମ, ପିସିସି ସଭାପତି  ଭକ୍ତ ଚରଣ ଦାସ, ପୂର୍ବତନ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଜାନକୀବଲ୍ଲଭ ପଟ୍ଟନାୟକ ଶତ ବାର୍ଷିକୀ କମିଟିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ଡକ୍ଟର ହରେକୃଷ୍ଣ ଶତପଥୀ ପ୍ରମୁଖ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ।