• ଶିରିପୁରରେ ଥିବା ପ୍ରଥମ କିଓସ୍କର ଘରୋଇକରଣ ମସୁଧା
  • ସରକାରଙ୍କ ହାତରୁ ଛଡ଼ାଇ ଘରୋଇ ସଂସ୍ଥାକୁ ଟେକିବେ
  • ମନ୍ତ୍ରୀ, ସଚିବଙ୍କୁ ନ ଜଣାଇ ଟେଣ୍ଡର ଡାକିଛନ୍ତି

ଭୁବନେଶ୍ୱର, ୧୮/୦୬ (ଅମନ ଆୟୁଷ୍ମାନ ଦାସ) : ପୁଣି ବରବାଦ୍‌ ହେବ ଆଉ ଏକ ସରକାରୀ ବ୍ରାଣ୍ଡ୍‌ । ଭଳିକି ଭଳି ତାଜା ମାଛ ବିକୁଥିବା ଚିଲିକା ଫ୍ରେସ୍‌ ପୂରା ବନ୍ଦ ହୋଇଯିବ । ପୂର୍ବରୁ ଘରୋଇକରଣ ହୋଇଥିବା ୧୦ଟି କାଉଣ୍ଟର ବନ୍ଦ ହୋଇ ସାରିଛି । ଆଉ ଦୁଇଟି କାଉଣ୍ଟରର ଘରୋଇକରଣ ସରିଛି । ବାକି ଥିବା ରାଜ୍ୟର ପ୍ରଥମ ଚିଲିକା ଫ୍ରେସ କାଉଣ୍ଟରକୁ ଘରୋଇକରଣ ପାଇଁ ମସୁଧା ଚାଲିଛି । ଗୋଟେ ପଟେ ମତ୍ସ୍ୟଚାଷ ଓ ବଜାରକୁ ପ୍ରୋତ୍ସାହନ ଦେଇ ରାଜ୍ୟର ନୀଳ ଅର୍ଥନୀତି(ବ୍ଲୁ ଇକୋନୋମି)କୁ ଆଗକୁ ବଢ଼ାଇବାକୁ ମୋହନ ସରକାର ଯୋଜନା କରୁଛନ୍ତି । ଚିଲିକା ଫ୍ରେସ୍‌ ଭଳି ରାଜ୍ୟର ବ୍ରାଣ୍ଡ୍‌କୁ ଆଗକୁ ନେବାକୁ ନକ୍ସା ଆଙ୍କୁଛନ୍ତି। କିନ୍ତୁ ଫିସ୍‌ଫେଡ଼ର କିଛି ବରିଷ୍ଠ ଅଧିକାରୀ ଚିଲିକା ଫ୍ରେସ୍‌କୁ ସରକାରୀ ହାତରୁ ଛଡ଼ାଇ ଘରୋଇ ସଂସ୍ଥାକୁ ଟେକି ଦେବାକୁ ମସୁଧା ଚଳାଇଛନ୍ତି । ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଅନ୍ଧାରରେ ରଖି ଏହି ବଡ଼ କାରସାଦି ଚାଲିଛି ।

୨୦୧୪ ମସିହାରେ ଶିରିପୁରରେ ପ୍ରଥମ ଚିଲିକା ଫ୍ରେସ୍‌ କାଉଣ୍ଟର ଖୋଲିଥିଲା । ସଫା ଓ ଶୀତତାପ ନିୟନ୍ତ୍ରିତ ପରିବେଶରେ ମାଛ କାଟି ଲୋକଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ଆରମ୍ଭ ହେଲା । ଏହି ପରୀକ୍ଷଣ ସଫଳ ବି ହେଲା । ସେହି ବର୍ଷ ସହିଦନଗର ଓ ସିଆରପି ଛକରେ ଆଉ ଦୁଇ କାଉଣ୍ଟର ଖୋଲିଲା । ୨୦୧୫ ମସିହାରେ ଆହୁରି ଅଧିକ ସଂଖ୍ୟାରେ କାଉଣ୍ଟର ଖୋଲିବାକୁ ପ୍ରକ୍ରିୟା ଚାଲିଲା । ଧୀରେ ଧୀରେ ଚିଲିକା ଫ୍ରେସର ଆଦୃତି ଓ ଚାହିଦା ବଢ଼ିଲା । ୨୦୧୯ ମସିହା ଭିତରେ ପର୍ଯ୍ୟାୟକ୍ରମେ ୧୦ଟି ନୂଆ କାଉଣ୍ଟର ଖୋଲିଲା । ଏହାକୁ ଚଳାଇବାକୁ ସରକାର ଏକ ଘରୋଇ ସଂସ୍ଥା ସହ ହାତ ମିଶାଇଲେ । କିନ୍ତୁ ଘରୋଇ ସଂସ୍ଥାର ଏହାକୁ ଚଳାଇବାକୁ ଫେଲ୍‌ ମାରିବା ପରେ ଏହାକୁ ବନ୍ଦ କରି ଦିଆଗଲା । ପୂର୍ବ ସରକାର ସମୟରେ ଏହା ବନ୍ଦ ହୋଇଥିଲା । ପରେ ସହିଦନଗର ଓ ସିଆରପି ଛକରେ ଥିବା ଚିଲିକା ଫ୍ରେସ ଆଉଟଲେଟ୍‌କୁ ଘରୋଇକରଣ ପାଇଁ ଟେଣ୍ଡର ଆହ୍ୱାନ ହୋଇଥିଲା । ଏବେ ଯେଉଁ ଗୋଟିଏ ଆଉଟଲେଟ୍‌ ସରକାରଙ୍କ ଅଧୀନରେ ଥିଲା, ତାକୁ ବି ଟେକି ଦେବାକୁ ପ୍ରକ୍ରିୟା ଚାଲିଛି । ଫିସଫେଡ୍‌’ର ମୂଳ ଲକ୍ଷ୍ୟ ଲାଭ ନୁହେଁ, ତଥାପି କ୍ଷତି ହେଉଛି ବୋଲି କହି ଗୋଟିଏ ପରେ ଗୋଟିଏ ଆଉଟଲେଟକୁ ବନ୍ଦ କରି ଦିଆଯାଉଛି । ମତ୍ସ୍ୟଚାଷୀ ଓ ସମବାୟ ସଂଘକୁ ପ୍ରୋତ୍ସାହନ ଦେବା ଓ ସେମାନଙ୍କ ସ୍ୱାର୍ଥର ସୁରକ୍ଷା, ଲୋକଙ୍କ ପାଖରେ ସୁବିଧାରେ ମାଛ ପହଞ୍ଚାଇବା, ସଫା ପରିବେଶରେ ମାଛ କାଟି ଲୋକଙ୍କୁ ବିକ୍ରି କରିବା, ଲୋକଙ୍କ ପାଇଁ ଅତ୍ୟାଧୁନିକ ମାଛ କିଓସ୍କ ଓ ଆଉଟଲେଟ୍‌ ଖୋଲିବା ସହ ମାଛ ଚାଷ ଉତ୍ପାଦନ ଓ ବିକ୍ରି ବଢ଼ାଇବା ଉଦ୍ଦେଶ୍ୟରେ ଓଡ଼ିଶା ମତ୍ସ୍ୟ ସମବାୟ ନିଗମ ଲିଃ(ଫିସଫେଡ୍‌) ଗଢ଼ା ହୋଇଥିଲା । କିନ୍ତୁ ଧୀରେ ଧୀରେ ବ୍ୟବସାୟୀକରଣ ମନୋଭାବ ଯୋଗୁ ଚିଲିକା ଫ୍ରେସ୍‌ର ସତ୍ତା ହଜିଯିବାକୁ ବସିଛି ।

ସବୁଠୁ କ୍ଷୋଭର କଥା, ଶିରିପୁରର ଯେଉଁ ପ୍ରଥମ କାଉଣ୍ଟରରୁ ଚିଲିକା ଫ୍ରେସର ପରିକଳ୍ପନା ହୋଇଥିଲା, ତାହାକୁ ଏବେ ବନ୍ଦ କରି ଘରୋଇ ସଂସ୍ଥାକୁ ଟେକି ଦେବାକୁ ଅପପ୍ରୟାସ ଚାଲିଛି । ମଧ୍ୟସ୍ଥିଙ୍କୁ ହଟାଇ ସିଧାସଳଖ ଚାଷୀଙ୍କଠାରୁ ମାଛ କିଣି କାଉଣ୍ଟରରେ ବିକା ଯାଉଥିଲା । କିନ୍ତୁ ଏବେ ପୁଣି ପୁରୁଣା ମଧ୍ୟସ୍ଥି ବ୍ୟବସ୍ଥାକୁ ଫେରାଇ ଆଣିବାକୁ ଫିସଫେଡ୍‌ର କିଛି ବରିଷ୍ଠ ଅଧିକାରୀ ମସୁଧା କରୁଛନ୍ତି । ଫିସଫେଡ୍‌ ଅଧୀନରେ ଅନେକ କର୍ମଚାରୀ ଚିଲିକା ଫ୍ରେସ୍‌ର ରକ୍ଷଣାବେକ୍ଷଣ କରୁଛନ୍ତି । କିନ୍ତୁ ଏହାକୁ ଆବଶ୍ୟକ ସୁବିଧା ଓ ସମ୍ବଳ ନ ଯୋଗାଇ ଓଲଟା କ୍ଷତି ହେଉଛି ବୋଲି ମିଛ ଯୁକ୍ତି ଦର୍ଶାଉଛନ୍ତି । ରାଜଧାନୀରେ ଥିବା ଅଧିକାଂଶ ଚିଲିକା ଫ୍ରେସ କାଉଣ୍ଟରର ଛାରଖାର ହେବାକୁ ବସିଛି । କେଉଁଠି ପାଣି ଆସୁନି, କି କେଉଁଠି ଏସି ଚାଲୁନି । ଏ ସବୁ ସମସ୍ୟାକୁ କେହି ଦେଖୁନାହାନ୍ତି । ଓଲଟା ଆଉଟଲେଟର ଘରୋଇକରଣ ପାଇଁ ଟେଣ୍ଡର ଡକାହେଉଛି ।

ଗତ ୨ ତାରିଖରେ ଶିରିପୁରରେ ଥିବା ଚିଲିକା ଫ୍ରେସର ଘରୋଇକରଣ ପାଇଁ ଟେଣ୍ଡର ଆହ୍ୱାନ ହୋଇଛି । ୨୩ ତାରିଖ ବିଡ୍‌ ଦାଖଲର ଶେଷ ତାରିଖ ରହିଛି ।  ଶିରିପୁର ଚିଲିକାଫ୍ରେସ ଉପରେ ଏବେ ଶହ ଶହ ଗ୍ରାହକ ନିର୍ଭର କରୁଛନ୍ତି । ସହିଦନଗର ଓ ସିଆରପି ଚିଲିକାଫ୍ରେସ୍‌ କାଉଣ୍ଟରରେ ମାଛ କଟାଳି ନାହାନ୍ତି । ଯେଉଁ ପୁରୁଣା କର୍ମଚାରୀମାନେ ଚିଲିକା ଫ୍ରେସ୍‌କୁ ବ୍ରାଣ୍ଡର ପରିଚୟ ଦେଇଥିଲେ ସେମାନେ ମାସ ମାସର ଦରମା ପାଇନାହାନ୍ତି । କିନ୍ତୁ ବରିଷ୍ଠ ଅଧିକାରୀମାନେ ଘରୋଇ ସଂସ୍ଥା ସହ ମିଶି ବେପାରରେ ମାତିଛନ୍ତି ।  ଫିସ୍‌ଫେଡର ପରିଚାଳନା ନିର୍ଦ୍ଦେଶକ ସୁବ୍ରତ କୁମାର ଦାସଙ୍କୁ ଟେଣ୍ଡର ବାବଦରେ ଯୋଗାଯୋଗ କରିଥିଲେ ବି ତାଙ୍କ ସହ ଯୋଗାଯୋଗ ହୋଇପାରିନି । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସଚିବ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, କେଉଁ ପରିସ୍ଥିତିରେ ଶିରିପୁର ଚିଲିକା ଫ୍ରେସ୍‌ର ଘରୋଇକରଣ ପାଇଁ ଟେଣ୍ଡର ଡକାଯାଇଛି ତାର ସମୀକ୍ଷା କରିବି । ଫିସ୍‌ଫେଡର ଅଧିକାରୀଙ୍କୁ ଡାକି ଏ ବାବଦରେ ବିସ୍ତୃତ ଆଲୋଚନା କରିବି । ଚିଲିକା ଫ୍ରେସ୍‌ ବ୍ରାଣ୍ଡର ସୁରକ୍ଷା ଓ ଏହାର ପ୍ରଚାରପ୍ରସାର ପାଇଁ ପଦକ୍ଷେପ ନିଆଯିବ ।

ଆହୁରି ପଢନ୍ତୁ- ଖାକିରେ କଳଙ୍କ ଛିଟା: ଶରଣକୁଳ ଥାନାଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ,ରସିକିଆ ବାବୁଙ୍କ ବିରୋଧରେ ମାମଲା ରୁଜୁ

ରାଜଧାନୀକୁ ଛୁଇଁଛି ବର୍ଷା ବିହୀନ ମୌସୁମୀ, ସୁ ସୁ ପବନ ବହୁଛି କିନ୍ତୁ ସବୁ ଫୁସ ! ମେଘ ଖଣ୍ଡକୁ ଜଗୁଛି ଅଦୃଶ୍ୟ ବଳୟ ?