ନୂଆଦିଲ୍ଲୀ,୨୨।୪: ଅରୁଣାଚଳ ପ୍ରଦେଶର ୨୨ଟି ସ୍ଥାନର ନାଁ ବଦଳାଇଲା ଚୀନ୍। ଏନେଇ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ରଖିଛନ୍ତି କଡ଼ା ପ୍ରତିକ୍ରିୟା। ସେ କହଛନ୍ତି, ଏହା ହେଉଛି ଚୀନ୍‌ର ପୁରୁଣା ଯୋଜନା। ଚୀନ୍‌ ଅରୁଣାଚଳ ପ୍ରଦେଶର ବହୁ ସ୍ଥାନର ନାଁ ବଦଳାଇ ଦେଇଛି। ଏହା କିଛି ନୂଆ କଥା ନୁହେଁ, ଏଭଳି ତୃତୀୟ କିମ୍ବା ଚତୁର୍ଥ ଥର କରିଛି। କେନ୍ଦ୍ର ସରକାର ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଆମେ ଅରୁଣାଚଳ ପ୍ରଦେଶ ପକ୍ଷରୁ ଏହାକୁ କଡ଼ା ସମାଲୋଚନା କରୁଛୁ। 

ପେମା ଖାଣ୍ଡୁ କହିଛନ୍ତି, ଚୀନ୍ ନିଜ ପଟେ ବହୁତ ପୂର୍ବରୁ ସୀମାବର୍ତ୍ତୀ ଅଞ୍ଚଳରେ କାମ କରିବା ଆରମ୍ଭ କରିଦେଇଥିଲା। କିନ୍ତୁ ଭାଇବ୍ରାଣ୍ଟ ଭିଲେଜ୍ ପୋଗ୍ରାମ୍‌କୁ ଦୁଇ ବର୍ଷ ପୂର୍ବରୁ ଆମେ ଲଞ୍ଚ କରିଥିଲୁ। ସୀମାବର୍ତ୍ତୀ ଅଞ୍ଚଳରେ ରୋଡ୍‌ କାମ ଆରମ୍ଭ କରାଯାଇଛି, ଲୋକଙ୍କ ଜୀବନ ସ୍ତରକୁ ସୁଧାରିବା ପାଇଁ ଆମେ ଖୁବ୍ କାମ କରୁଛୁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଫ୍ରଣ୍ଟିୟର ହାଇଓ୍ବେ ତିଆରି ହେବା ପରେ ସେନାର ଯିବା ଆସିବା ସହଜ ହେବ। ହାଇଓ୍ବେରୁ ଅରୁଣାଚଳ ପ୍ରଦେଶରେ ପର୍ଯ୍ୟଟନ ବଢିବ। ମେଚୁକାରେ ପ୍ରଥମ ଥର ଇଣ୍ଟରନାସନାଲ ଆଡଭେଞ୍ଚରସ୍‌ ରେସ୍ ହୋଇଥିଲା, କିନ୍ତୁ ଅରୁଣାଚଳ ପ୍ରଦେଶରେ ଏଭଳି ବହୁ କାର୍ଯ୍ୟକ୍ରମ ଚାଲିଛି। ସେ କହିଛନ୍ତି, ଲୋକଙ୍କ ଜୀବନ ସ୍ତରକୁ ସୁଧାରିବା ପାଇଁ ସେନା ଓ ଆଇଟିବିପି ସହ ଆମ ରାଜ୍ୟ କାମ କରୁଛି। ଫ୍ରଣ୍ଟିୟର ହାଇଓ୍ବେର କାମ ଆରମ୍ଭ କରାଯାଇଛି। ଏଠାରେ ୨୫୦୦ କିମିର ହାଇଓ୍ବେ ତିଆରି ହେବ। ସିଏମ୍‌ କହିଛନ୍ତି ମେଚୁକାରେ ଏୟାରପୋର୍ଟର ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ହ ରହିଛି। ସେଠାରେ ମଧ୍ୟ ରନଓ୍ବେର କାମ ଆରମ୍ଭ କରାଯାଇଛି।  

ଅରୁଣାଚଳ ପ୍ରଦେଶ ଭାରତ-ଚୀନ୍ ବର୍ଡରର ମେଚୁକା ଗାଁରେ ପ୍ରଥମ ଥର ଇଣ୍ଟରନାସନାଲ ରେସ୍‌ର ଆୟୋଜନ ହୋଇଛି। ଏଥିରେ ମାଲେସିଆ ଆମେରିକା ବ୍ୟତୀତ ଦେଶ ବିଦେଶରେ ବହୁ ଖେଳାଳି ଭାଗ ନେଇଛନ୍ତି। ଏହି ଅବସରରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ମେଚୁକାରେ ୧୦୦ କୋଟି ଟଙ୍କାର ପ୍ରୋଜେକ୍ଟର ଉଦଘାଟନ କରିଥିଲେ।