ଭୁବନେଶ୍ବର, ୮।୬ : ନୃତ୍ୟକଳା ଡ୍ୟାନ୍ଧୁ ଏକାଡ଼େମୀ ତରଫରୁ ୧୧ ତମ ଅନ୍ତର୍ଜାତୀୟ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ଦେବାଶିଂ-୨୦୨୬ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ଓ ଦେଶ ବାହାରର କଳାକାରମାନେ ଯୋଗ ଦେଇ ନୃତ୍ୟ ପରିବେଷଣ କରିଥିଲେ। କଳାକାରଙ୍କ ଶାସ୍ତ୍ରୀୟ ନୃତ୍ୟରେ ଦର୍ଶକମାନେ ବିମୋହିତ ହୋଇଥିଲେ।
ଏହି ଅନ୍ତର୍ଜାତୀୟ ମହୋତ୍ସବରେ ଓଡ଼ିଶୀ, ଭାରତନାଟ୍ୟମ, କଥକ, କୁଚିପୁଡ଼ି, ରାଜସ୍ଥାନୀ ନୃତ୍ୟ, ସମ୍ବଲପୁରୀ, ଘୁମର ଓ ସେମି କ୍ଲାସିକାଲ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଭୁବନେଶ୍ୱର, କଟକ, ସମ୍ବଲପୁର, ରାୟଗଡ଼ା, ରାଉରକେଲା, କେନ୍ଦୁଝର, ଗଞ୍ଜାମ, କୋଲକାତା, ବାଂଲାଦେଶ, ଆମେରିକା, ଚାଇନା ଏବଂ ଜାପାନର କଳାକାରମାନେ ଭଞ୍ଜକଳା ମଣ୍ଡପ ଠାରେ ନିଜର ନୃତ୍ୟ ପ୍ରଦର୍ଶନ କରିଥିଲେ । ନୃତ୍ୟାଳୟ, ଓଡ଼ିଶୀ ଅନୁଷ୍ଠାନ ଭୁବନେଶ୍ଵର ଓ ଆହୋରିତ୍, ଡି଼ଭୋଟି ଅଫ୍ ଓଡ଼ିଶୀ, କୋଲକାତାର କଳାକାରମାନଙ୍କ ନୃତ୍ୟରେ ଦର୍ଶକମାନଙ୍କୁ ବିମୋହିତ କରିଥିଲେ ।
ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ। ବାଦ୍ୟ ଗୁରୁ ଓ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କୃତ ଗୁରୁ ଧନେଶ୍ବର ସ୍ବାଇଁ, ନୃତ୍ୟ ଗୁରୁ ମିନାକ୍ଷୀ ବେହେରା, ସଙ୍ଗୀତ ଗୁରୁ ନିମାକାନ୍ତ ରାଉତରାୟ, ନୃତ୍ୟ ଗୁରୁ ଡ. ମନୋଜ କୁମାର ବେହେରା ଓ ଦିବ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ନୃତ୍ୟକଳା ଡ୍ୟାନ୍ସ ଏକାଡ଼େମୀ ତରଫରୁ ସମସ୍ତ କଳାକାରମାନଙ୍କୁ ‘ଦେବାଶିଂ ନୃତ୍ୟ ଗୌରବ ଚୂଡ଼ାମଣୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ନୃତ୍ୟକଳା ଡ୍ୟାନ୍ସ ଏକାଡ଼େମୀ ତରଫରୁ ଗୁରୁ ଭରତ ଚରଣ ଗିରିଙ୍କୁ ‘ଦେବାଶିଂ ଗୁରୁଶ୍ରୀ ସମ୍ମାନ'ରେ ସମ୍ମାନିତ କରାଯାଇଥିଲା ।
ସେହିପରି ଅତିଥି ନୃତ୍ୟଶିଳ୍ପୀ କବିତା କର (ଭାରତ ନାଟ୍ୟମ), ମୌମିତା ଚର୍କବର୍ତ୍ତୀ (କଥକ), ଡ. ତାନିଆ ଚର୍କବର୍ତ୍ତୀ (ମଣିପୁରୀ), ଓମ୍ନିସ୍ ଦାଶ (ଓଡ଼ିଶୀ), ଦୁଗ୍ଧନ୍ତ ମହାରଣା, ଟଗରୀ ଗେନ୍ ( ଯୁଗ୍ମ ଓଡ଼ିଶୀ ନୃତ୍ୟ) ଓ ନୃତ୍ୟାଳୟ ଅନୁଷ୍ଠାନର କଳାକାରମାନେ ସମୂହ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ଦର୍ଶକମଣ୍ଡଳୀ ମାନଙ୍କୁ ବିମୋହିତ କରିଥିଲେ । ସମସ୍ତ ଅତିଥି କଳାକାର ମାନଙ୍କୁ ଅନୁଷ୍ଠାନର ଆୟୋଜିକା ଗୁରୁ ଡ଼.ଜ୍ୟୋତିର୍ମୟୀ ସୁପକାର ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବଦ୍ଧିତ କରିଥିଲେ । ସର୍ମିଷ୍ଠା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠାନର ଆୟୋଜିକା ଗୁରୁ ଡ଼.ଜ୍ୟୋତିର୍ମୟୀ ସୁପକାର ଓ ସନ୍ତୋଷ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ ।