ଭୁବନେଶ୍ୱର,୧୨/୧୦: ପାର୍ବଣରେ ଭିଡ଼ ଓ ଅପରାଧ ନିୟନ୍ତ୍ରଣ ପୁଲିସ ପାଇଁ ସବୁଠୁ ବଡ଼ ସମସ୍ୟା । ରାଜଧାନୀର ଗଳିକନ୍ଦିରେ ଟ୍ରାଫିକ୍‌ ଭିଡ଼ । ଲୁଟ୍‌, ଛିନ୍‌ତାଇ ବି ବଢ଼ୁଛି । ଏଥିରେ ରୋକ୍‌ ଲଗାଇବାକୁ କମିଶନରେଟ୍‌ ପୋଲିସ ନୂଆ ପଦକ୍ଷେପ ସ୍ୱରୂପ ଆରମ୍ଭ କରିଛି ‘ଅପରେସନ ତ୍ରିଭୂଜ’ । ଡିସିପି ପିନାକ ମିଶ୍ର କହିଛନ୍ତି, ପ୍ରାୟତଃ ୩ଟି ଉପାୟରେ ଏହି ଅପରେସନକୁ ପରିଚାଳନା କରାଯାଉଛି । ସହରରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଜାଗାରେ ଲାଗିଥିବା ୧୦୦୦ଟି ସିସିଟିଭି କ୍ୟାମେରା ହେଉଛି ପୋଲିସର ଅମୋଘ ଅସ୍ତ୍ର । ଏହା ଜରିଆରେ କୌଣସି ରାସ୍ତାରେ ଭିଡ଼ ଜମିଲେ ବା କେହି ଟ୍ରାଫିକ ନିୟମ ଉଲଂଘନ କଲେ, ତୁରନ୍ତ ଜଣାପଡୁଛି । 

ଏହାଛଡ଼ା ସହରରେ ବାଇକ୍‌ ଧରି ପାଟ୍ରୋଲିଂ କରୁଥିବା ପଲିସ କର୍ମଚାରୀ ଓ ଶକ୍ତି ବାହିନୀ ଡ୍ରୋନ୍‌ ଯୋଗେ ମଧ୍ୟ ଭିଡ଼ ଉପରେ ନଜର ରଖୁଛନ୍ତି । ବିଭିନ୍ନ ପୂଜା ମଣ୍ଡପରେ ଜଗିଥିବା ପୋଲିସ କର୍ମଚାରୀ ମଧ୍ୟ ଭିଏଚ୍‌ଏଫ୍‌ ଯୋଗେ ତଥ୍ୟ ଜଣାଉଛନ୍ତି । ଏହି ସିସି କ୍ୟାମେରା ଓ ଡ୍ରୋନର ଫୁଟେଜଗୁଡି଼କୁ ସ୍ମାର୍ଟସିଟି ଲିମିଟେଡ୍‌ରେ ଥିବା କଣ୍ଟ୍ରୋଲ ରୁମ୍‌ରେ ତର୍ଜମା କରାଯାଉଛି । ଯେଉଁଠି ଭିଡ଼ ହେଉଛି, ସେଠାକୁ ତୁରନ୍ତ ଅଧିକ ପୁଲିସ ଫୋର୍ସ ପଠାଯାଉଛି । ଏହି ରାସ୍ତାରେ ନ ଯିବାକୁ ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ଲାଗିଥିବା ମାଇକ୍‌ ଯୋଗେ ଯାତ୍ରୀଙ୍କୁ ସତର୍କ କରାଯାଉଛି ।

ବିଶେଷକରି, କଟକ ରୋଡ, ରସୁଲଗଡ଼ରୁ ପଳାଶୁଣି, ଜନପଥ, ଜୟଦେବବିହାରରୁ ପଟିଆ ଓ ନୂଆପଲ୍ଲୀ ଦୂର୍ଗାପୂଜା ମଣ୍ଡପରେ ଏହି ଅପରେସନ ଚାଲିଛି । ଶ୍ରୀ ମିଶ୍ର କହିଛନ୍ତି, ପୂଜା ଭିଡ଼ର ଫାଇଦା ଉଠାଇ ପେସାଦାର ଚୋର, ଲୁଟେରାମାନେ ସୁନା ଅଳଙ୍କାର, ମୋବାଇଲ୍‌ ଲୁଟନ୍ତି । କଣ୍ଟ୍ରୋଲ ରୁମ୍‌ରେ ଲାଗିଥିବା ସିସି କ୍ୟାମେରା ଓ ଡ୍ରୋନ୍‌ରୁ ସେମାନଙ୍କୁ ଚିହ୍ନଟ କରାଯାଉଛି । ଖବର ପାଇ ପୂଜା ପେଣ୍ଡାଲରେ ଜଗିଥିବା ପୁଲିସ ତୁରନ୍ତ ସେମାଙ୍କୁ କାବୁ କରୁଛନ୍ତି । ଅପରେସନରୁ ମିଳୁଥିବା ଫଳାଫଳକୁ ନିରନ୍ତର ଭାବେ ତର୍ଜମା କରାଯାଉଛି । ଯଦି ଏଥର ଦଶହରାରେ ଏହି ଅପରେସନ ତ୍ରିଭୂଜ ସଫଳ ହୁଏ । ତେବେ ଆଗାମୀ ଦିନରେ ରାଜଧାନୀରେ ପାର୍ବଣ ବେଳେ ଭିଡ଼ ଓ ଅପରାଧକୁ ନିୟନ୍ତ୍ରଣ କରିବାରେ ଲାଗୁ କରାଯିବ ।