ଆମେ ସମ୍ବିଧାନର ୭୫ତମ  ବାର୍ଷିକୀ ଉତ୍ସବ ପାଳନ  କରିବାବେଳେ ୧୯୪୯ ମସିହାରେ  ଡ.ଅମ୍ବେଦକର ଦେଶବାସୀଙ୍କ ପ୍ରତି  ଯେଉଁ ସତର୍କ ସୂଚନା ଦେଇଥିଲେ  ତାହା ଭୁଲିଯିବା ଉଚିତ ହେବ  ନାହିଁ । ସେ ଆମକୁ ଅସମ୍ବିଧାନିକ  ଉପାୟ ଅବଲମ୍ବନ ନକରିବାକୁ  ପରାମର୍ଶ ଦେଇଥିବାବେଳେ  ସର୍ବସାଧାରଣ ଆଇନ  ଅମାନ୍ୟ,ବିଦ୍ରୋହରୁ ଦୂରେଇ  ରହିବାକୁ ସତର୍କ କରିଥିଲେ ।

୨୦୨୪, ନଭେମ୍ବର ୨୬ । ଦେଶ ପାଳନ କରୁଛି  ୭୫ତମ ସମ୍ବିଧାନ ଦିବସ । ୧୯୪୯ ମସିହା ଏହି  ଦିନରେ ସମ୍ବିଧାନ ସଭା ଦ୍ୱାରା ଭାରତର ସମ୍ବିଧାନ ଗୃହୀତ  ହୋଇଥିଲା । ପ୍ରକୃତପକ୍ଷେ ଦେଶ ପାଇଁ ଏହା ଏକ ଉତ୍ସବର  ଦିନ । କାରଣ ସବୁଠୁ ଜନବହୁଳ, ସବୁଠୁ ବିବିଧତା ଭରା  ଏବଂ ସବୁଠୁ ଜୀବନ୍ତ ଗଣତନ୍ତ୍ରର ଦେଶ ଏହି ଭାରତ । 

ଗତ ୭୫ବର୍ଷ ମଧ୍ୟରେ ଦେଶ ଅନେକ  ଉଠାଣିପକାଣି ଦେଇ ଗତି କରିଛି । ଏହା ସତ । କିନ୍ତୁ  ଏହା ମଧ୍ୟ ସତ୍ୟଯେ ଏହି ଉଠାପକା ମଧ୍ୟରେ ଦେଶ  ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରିଛି । ଯେଉଁଥି ପାଇଁ  ଆଜି ଭାରତ ବିଶ୍ୱର ୫ମ ବୃହତ ଅର୍ଥନୀତିର ମାନ୍ୟତା  ପାଇପାରିଛି । ଅଧିକାଂଶ ରାଷ୍ଟ୍ର ଟଳମଳ ଅବସ୍ଥାରେ³  କିନ୍ତୁ ଭାରତ ତା’ର ସମ୍ବିଧାନ,ଏକତା ଏବଂ ଅଖଣ୍ଡତାକୁ  ଆଜିଯାଏ ସୁରକ୍ଷିତ ରଖିପାରିଛି ।  ବିଭିନ୍ନ ଅନୁଶୀଳନରୁ ଜଣାଯାଏଯେ, ଭାରତର  ସମ୍ବିଧାନ ସର୍ବାଧିକ ପୋଷଣୀୟ । କାରଣ ଏହା ନମନୀୟ  ତଥା ଗ୍ରହଣଶୀଳ । ବିଶ୍ୱର ଅନେକ ସମ୍ବିଧାନ  ପରି ଭାରତର ସମ୍ବିଧାନ ଅତିରିକ୍ତ ନିୟମାବଦ୍ଧ  ହୋଇ ରହିନାହିଁ କି ପରିବର୍ତ୍ତନବିମୁଖ ନୁହେଁ ।  ଆମ ସମ୍ବିଧାନରେ ବାରମ୍ବାର ହେଉଥିବା  ସଂଶୋଧନ (୧୦୬ ଥର)କୁ କେତେକ  ପାଶ୍ଚାତ୍ୟ ବିଶେଷଜ୍ଞ ପରିହାସ କରନ୍ତି³ ମାତ୍ର  ସେମାନେ କ୍ୱଚିତ ବୁଝନ୍ତିଯେ ଆମ ସମ୍ବିଧାନରେ  ସାମିଲ କରାଯାଇଥିବା ଏହି ନମନୀୟ ତତ୍ତ୍ୱର  ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କାରଣରୁ ହିଁ ଆମ  ସମ୍ବିଧାନ ଦୃଢ଼, ସ୍ଥାୟୀ ତଥା ଭାରତର ଏକତାକୁ ବଜାୟ  ରଖିବାରେ ସକ୍ଷମ ହୋଇପାରିଛି । 

ଭାରତୀୟମାନେ  ନିଜର ସମସ୍ୟାଗୁଡ଼ିକକୁ କିଭଳି ସମାଧାନ କରିବେ  ଭଲଭାବେ ଜାଣନ୍ତି- ଯାହା ପାଶ୍ଚାତ୍ୟବାସୀଙ୍କୁ ଜଣାନାହିଁ । ଭାରତୀୟ ସମ୍ବିଧାନର ସ୍ଥିତିଶୀଳତା ଗଷେକମାନଙ୍କ  ଦ୍ୱାରା ପ୍ରତିପାଦିତ । ସେମାନଙ୍କର ଅନୁଧ୍ୟାନରୁ  ଜଣାଯାଇଛିଯେ ବିଶ୍ୱସ୍ତରରେ ଅଧିକାଂଶ ସମ୍ବିଧାନ  ୧୫ରୁ ୧୯ବର୍ଷ ମଧ୍ୟରେ ହିଁ ମୃତ୍ୟୁବରଣ କରିଛନ୍ତି ।  ସିକାଗୋ ୟୁନିର୍ଭସିଟିର ଲ’ସ୍କୁଲ ତରଫରୁ ପ୍ରକାଶିତ  ‘ଦି ଲାଇଫ୍‌ସ୍ପାନ ଅଫ ରିଟିନ୍‌ କନଷ୍ଟିଚ୍ୟୁସନ୍‌’ ଶୀର୍ଷକ  ଏକ ସନ୍ଦର୍ଭର ଲେଖକମାନଙ୍କର ମତ ହେଲା ଲିଖିତ  ସମ୍ବିଧାନ କେବେହେଁ ଦୀର୍ଘାୟୁ ହୋଇପାରେ ନାହିଁ ।  ଏମାନଙ୍କର ମୋଟାମୋଟି ଆୟୁଷ ୧୭ବର୍ଷ । ସନ୍ଦର୍ଭଟି  ବେଶ ରୋଚକ ଢ଼ଙ୍ଗରେ ସମ୍ବିଧାନର ଆୟୁଷ ସମ୍ପର୍କରେ  ଉଲ୍ଲେଖ କରିଛି । ଯେପରି “ହିସାବରୁ ଜଣାଯାଏ  ଅର୍ଦ୍ଧାଧିକ ସମ୍ବିଧାନର ମୃତ୍ୟୁ ୧୮ବର୍ଷ ବୟସ ମଧ୍ୟରେ  ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ  । ଯେତେବେଳେ  କି ୫୦ବର୍ଷ ବୟସ ପର୍ଯ୍ୟନ୍ତ ମାତ୍ର ୧୯ ଶତାଂଶ  ଯାଇପାରିବେ । ଶିଶୁ ଅବସ୍ଥାରେ ମୃତ୍ୟୁହାର ବେଶ  ଉଚ୍ଚା- ଏପରିକି ନବଜାତକଙ୍କ ମଧ୍ୟରୁ ୭ପ୍ରତିଶତ  ଦ୍ୱିତୀୟ ଜନ୍ମଦିନ ଦେଖିବାର ବି ସୁଯୋଗ ପାଉନାହାନ୍ତି ।”  ଅତଃ ଆମେ ଦେଶର ସମ୍ବିଧାନର ୭୫ତମ ଜନ୍ମଦିବସ  ପାଳନ କରିବା ନିଶ୍ଚିତ ଭାବରେ ଆମ ପାଇଁ ଖୁସି  ମନାଇବାର ଦିନ ଏବଂ ନିଜ ପିଠି ନିଜେ ଥାପୁଡ଼େଇ  ଗୌରବ ଅନୁଭବ କରିବାର ମୁହୂର୍ତ୍ତ ।  

ଏହି ଲେଖକ ବିଶ୍ୱର ପ୍ରାୟ ୮୦ଟି ସମ୍ବିଧାନ  ପଢ଼ି ଅନୁଶୀଳନ କରିପାରିଛି । ଏଣୁ ଖୋଲାଖୋଲି  ଉଦ୍‌ଘୋଷଣା କରିବାରେ କୁଣ୍ଠା ନାହିଁ ଯେ ଭାରତୀୟ  ସମ୍ବିଧାନ ଗଣତନ୍ତ୍ରର ମୌଳିକତା ଏବଂ ଦେଶର  ଜାତିଗତ ତଥା ଭାଷାଗତ ସଂଖ୍ୟାଲଘୁମାନଙ୍କର ମୌଳିକ  ଅଧିକାରକୁ ଯେପରି ସୁନିଶ୍ଚିତ କରିଛି ତାହାର ଦୃଷ୍ଟାନ୍ତ  ଅନ୍ୟ କୌଣସି ସମ୍ବିଧାନରେ ପାଇବା ନାହିଁ । ସଂଖ୍ୟାଲଘୁଙ୍କ ଅଧିକାର ପ୍ରସଙ୍ଗ ବିଚାରକୁ  ନିଆଯାଉ । ଅଧିକାରଗୁଡ଼ିକ ମଧ୍ୟରେ ରହିଛି- ଆଇନ  ଦ୍ୱାରା ସେମାନେ ସମାନ ନ୍ୟାୟ ଏବଂ ସୁରକ୍ଷା ପାଇବାକୁ  ହକ୍‌ଦାର (ଅନୁଚ୍ଛେଦ ୧୪), ଜନ୍ମ ସ୍ଥଳ ବା ଜାତି,ଲିଙ୍ଗ  ଅବା ଧର୍ମ ନିର୍ବିଶେଷରେ ସେମାନଙ୍କ ପ୍ରତି ପକ୍ଷପାତ  କରାଯିବ ନାହିଁ (ଅନୁଚ୍ଛେଦ ୧୫)³ ବିନା ପକ୍ଷପାତିତାରେ  ସରକାରୀ ନିଯୁକ୍ତି ସୁଯୋଗ ମିଳିବ (ଅନୁଚ୍ଛେଦ ୧୬)³  ସମସ୍ତପ୍ରକାରର ସ୍ୱାଧୀନତା (ଅଭିବ୍ୟକ୍ତିରେ ସ୍ୱାତନ୍ତ୍ୟ  ସହିତ ସମାବେଶ,ଯାତାୟାତ,ବୃତ୍ତି ବା ପେସା ଏବଂ  ଆବାସ ଇତ୍ୟାଦି କ୍ଷେତ୍ରରେ ସମାନ  ଅଧିକାର- ଅନୁଚ୍ଛେଦ-୧୯), ଧର୍ମ  ଆଚରଣ ଏବଂ ଆସ୍ଥା ପ୍ରକଟରେ ସମାନ ଅଧିକାର ସହିତ  ଅନ୍ତଃକରଣରେ ସ୍ୱତନ୍ତ୍ରତା (ଅନୁଚ୍ଛେଦ -୨୫)³ ଧାର୍ମିକ  ପ୍ରତିଷ୍ଠାନ ସ୍ଥାପନର ସମାନ ଅଧିକାର (ଅନୁଚ୍ଛେଦ-୨୬):  ନିଜର ଭାଷା,ନଥିପତ୍ର,ସଂସ୍କୃତି ସୁରକ୍ଷିତ ରଖିବାଅଧିକାର  (ଅନୁଚ୍ଛେଦ ୨୯) ଇତ୍ୟାଦି । ସେହିପରି ଭାଷା ହେଉ  ଅବା ଧର୍ମ ସମସ୍ତ ସଂଖ୍ୟାଲଘୁଙ୍କୁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା  ତଥା ଶିକ୍ଷାଦାନର ଅଧିକାର ସମ୍ବିଧାନରେ ଅନୁଚ୍ଛେଦ-୩୦  ସୁନିଶ୍ଚିତ କରିଛି । ତେବେ ଭାରତୀୟ ନାଗରିକମାନେ  ଏଠାରେ ଜାଣିରଖିବା ଉଚିତ ଯେ ପ୍ରାଚୀନ ଗଣତନ୍ତ୍ରମାନେ  ଯଦିଓ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟର ସଂଖ୍ୟାଲଘୁମାନଙ୍କୁ  ସେମାନଙ୍କ ଧର୍ମର ଆଚରଣ ତଥା ଆସ୍ଥା ପ୍ରକଟ କରିବାକୁ  ସମ୍ବିଧାନିକ ଅଧିକାର ପ୍ରଦାନ କରିଛିନ୍ତି, କିନ୍ତୁ ସେମାନେ  ଧର୍ମର “ବଂଶବିସ୍ତାର”କୁ ମୌଳିକ ଅଧିକାରଭୁକ୍ତ  କରିନାହାନ୍ତି । ମାତ୍ର ଧର୍ମର ‘ପ୍ରଚାର’ କରିବା ଖ୍ରୀଷ୍ଟିୟାନ  ଧର୍ମର ଏକ ମୁଖ୍ୟ ଦିଗ ହୋଇଥିବାରୁ ଏହାକୁ  ମୌଳିକ ଅଧିକାର ଅଧୀନକୁ ନିଶ୍ଚିତ ଅଣାଯିବା ଉଚିତ  ବୋଲି ସେତେବେଳେ ଭାରତର ସମ୍ବିଧାନ ସଭାରେ  କେତେଜଣ ଖ୍ରୀଷ୍ଟିୟାନ ସଦସ୍ୟ ଦୃଢ଼ ଯୁକ୍ତି ବାଢ଼ିଥିଲେ ।  

ଏହି ଯୁକ୍ତି ଆଗରେ ନେହରୁ,ସର୍ଦ୍ଦାର ଏବଂ ଅନ୍ୟମାନେ  ମୁଣ୍ଡ ନୁଆଁଇ ଦେଇଥିଲେ । ସବୁଠୁ ଉପରେ ରହିଛି  ଅନୁଚ୍ଛେଦ-୨୮ । ଏଥିରେ ସରକାରଙ୍କ ଦ୍ୱାରା ପରିଚାଳିତ  ଶିକ୍ଷାନୁଷ୍ଠାନରେ ଧର୍ମଭିତ୍ତିକ ଶିକ୍ଷା ଦିଆଯାଇପାରିବ ନାହିଁ  ବୋଲି ନିଷିଦ୍ଧ କରାଯାଇଛି (ସରକାରୀ ଶିକ୍ଷାନୁଷ୍ଠାନରେ  ସଂଖ୍ୟାଗରିଷ୍ଠ ହିନ୍ଦୁମାନଙ୍କ ଦ୍ୱାରା ଧର୍ମ ପ୍ରଚାରପ୍ରସାରକୁ  ଅଟକାଇବା ଲକ୍ଷ୍ୟ) । ଆମ ସମ୍ଭିଧାନରେ ଏତେ ବ୍ୟାପକ ଭାବେ  ବ୍ୟକ୍ତିଗତ ତଥା ସଂଖ୍ୟାଲଘୁ ଅଧିକାର କାହିଁକି ରହିଛି  ଭାବି କେହି ବି ଆଶ୍ଚର୍ଯ୍ୟପ୍ରକଟ କରିପାରନ୍ତି³ ଏସବୁ  ବିଧିବ୍ୟବସ୍ଥାର କେନ୍ଦ୍ରୀୟ ଆଭିମୁଖ୍ୟ କ’ଣ ଭାରତୀୟ  ବିବିଧତାକୁ ସ୍ୱୀକୃତି ଦେବା? ସମସ୍ତ ନାଗରିକଙ୍କୁ ମୁକ୍ତ  ଅବାଧ ଗଣତାନ୍ତ୍ରିକ ପରିବେଶ ଯୋଗାଇଦେବା ଲାଗି  ଏକ ପରିବେଷ୍ଟନୀ ମଧ୍ୟରେ ରଖିବା କି? ଏହାର  ଉତ୍ତର ଖୁବ୍‌ ସରଳ,ସିଧା । ତାହା ହେଲା- ଏକ  ରାଷ୍ଟ୍ର ଭାବେ ଭାରତର ସଭ୍ୟତା ମୂଳତଃ ନିରପେକ୍ଷ  ଏବଂ ଗଣତାନ୍ତ୍ରିକ । 

ଏହାର ପ୍ରଚୁର ଉଦାହରଣ ଆମେ  ଋଗ୍‌ବେଦ,ମହାଉପନିଷଦ ଏବଂ ଅନ୍ୟାନ୍ୟ ଶାସ୍ତ୍ରରେ  ପାଇପାରିବା,ଯେଉଁଗୁଡ଼ିକ ହଜାର ହଜାର ବର୍ଷ ତଳର  ପୁରୁଣା । ତେବେ ଦୁର୍ଭାଗ୍ୟ³ ବ୍ରିଟିଶ ଶାସନ କାଳ ଏବଂ  ତା’ପରବର୍ତ୍ତୀ ନେହରୁବାଦୀ ଅମଳର ରାଜନୀତି କାଳରେ  ଭାରତୀୟ ତିନିପିଢ଼ିଙ୍କୁ ବୁଝାଇ ଦିଆଯାଇଥିଲାଯେ ଏସବୁ  ବିଚାରଧାରା ଆମେ ବ୍ରିଟିଶ ଏବଂ ଆମେରିକୀୟଙ୍କ  ଠାରୁ ଧାରସୂତ୍ରରେ ପାଇଛୁ । କିନ୍ତୁ ହଜାର ହଜାର ବର୍ଷ  ତଳେ ଭାରତୀୟ ଜୀବନଧାରା ଏପରି ଗଣତାନ୍ତ୍ରିକ ଥିଲା  ବୋଲି ଯେଉଁ ପ୍ରମାଣ ମାନ ରହିଛି ତାହାକୁ ଆଧାର  କରି ଉପରୋକ୍ତ ଭୁଲ୍‌ ଧାରଣାକୁ ଚାଲେଞ୍ଜ କରାଯିବା  ନିହାତି ଆବଶ୍ୟକ । ସମ୍ବିଧାନ ଚିଠାପ୍ରସ୍ତୁତି କମିଟିର  ଅଧ୍ୟକ୍ଷ ଡ. ଭୀମରାଓ ଆମ୍ବେଦକର ଏକଦା ଭାରତର  ଗଣତନ୍ତ୍ର ହଜାର ହଜାର ବର୍ଷର ପୁରୁଣା ବୋଲି  ଦର୍ଶାଇଥିଲେ । ସେ ମଧ୍ୟ ଜୋରଦେଇ କହିଥିଲେ ଯେ  କେବଳ ରାଜନୈତିକ ଗଣତନ୍ତ୍ର ଯଥେଷ୍ଟ ନୁହେଁ³ଏହା  ସାମାଜିକ ଏବଂ ଅର୍ଥନୈତିକ ଗଣତନ୍ତ୍ରକୁ ବ୍ୟାପ୍ତ  ହେବା ଆବଶ୍ୟକ । 

ଏହି ଲକ୍ଷ୍ୟରେ ସେ ଏବଂ ତାଙ୍କର  ସହଯୋଗୀଗଣ ‘ଡାଇରେକ୍ଟିଭ ପ୍ରିନ୍ସିପିଲସ୍‌ ଅଫ ଷ୍ଟେଟ୍‌  ପଲିସି’ ପ୍ରସ୍ତୁତ କରିଥିଲେ । ଯାହା ଜରିଆରେ ରାଷ୍ଟ୍ରକୁ ଏ  ଦିଗରେ ଦିଗଦର୍ଶନ ମିଳିପାରିଥିଲା । କେନ୍ଦ୍ର ଏବଂ ରାଜ୍ୟ  ସରକାରମାନେ ମଧ୍ୟ ବିଭିନ୍ନ ସମାଜ କଲ୍ୟାଣ ଯୋଜନା  ମାଧ୍ୟମରେ ସାମାଜିକ ତଥା ଆର୍ଥିକସ୍ତରରେ ଗଣତନ୍ତ୍ରର  ପ୍ରତିଷ୍ଠା ପାଇଁ ପ୍ରୟାସରତ ଅଛନ୍ତି । ଉଦାହରଣତଃ  ମୋଦି ସରକାରଙ୍କ ଦ୍ୱାରା ଘରେ ଘରେ ଏଲପିଜି ଗ୍ୟାସ୍‌  ସିଲିଣ୍ଡର ଯୋଗାଣ, ପ୍ରତି ଘରେ ପାଇଖାନା ବ୍ୟବସ୍ଥା,  ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟବୀମା ଯୋଜନା,ପ୍ରଧାନମନ୍ତ୍ରୀ  ସଡ଼କ ଯୋଜନା ଇତ୍ୟାଦି ସମାଜ କଲ୍ୟାଣମୂଳକ  ଯୋଜନାର ଅନ୍ତର୍ଭୁକ୍ତ । ଆମ ସରକାରମାନେ  ଡ.ଆମ୍ବେଦକରଙ୍କ ପରାମର୍ଶ କିପରି ଭାବେ ଅନୁସରଣ  କରି ସମସ୍ତ ନାଗରିକଙ୍କୁ ସମାନ ସୁବିଧାସୁଯୋଗ ପ୍ରଦାନ  କରୁଛନ୍ତି ତାହା ଏହି ଯୋଜନାଗୁଡ଼ିକରୁ ସୁସ୍ପଷ୍ଟ । 

 ୮୦ରୁ ଅଧିକ ରାଷ୍ଟ୍ରର ସମ୍ବିଧାନକୁ ତନ୍ନତନ୍ନ  ଅନୁଶୀଳନ କରିସାରିଥିବା ଏହି ଲେଖକ ଗଣତନ୍ତ୍ରର  ଏକ ସୂଚକାଙ୍କ ପ୍ରସ୍ତୁତ କରିଛି । ଯାହାର ରହିଛି  ୮ଟି ମାନଦଣ୍ଡ । ଏହି ୮ଟି ମାନଦଣ୍ଡକୁ ଯେଉଁମାନେ  ପରିପୂରଣ କରିପାରିଛନ୍ତି ସେହି ରାଷ୍ଟ୍ରମାନେ ହିଁ ପ୍ରକୃତ  ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି ଆମର ମତ । ଏହି ୮ଟିକିଆ  ମାନଦଣ୍ଡ ଉଲ୍ଳେଖନୀୟ ।  


  • ୧- ଅଭିବ୍ୟକ୍ତିର ସ୍ୱାଧୀନତା,ଅନ୍ତଃକରଣର ସ୍ୱାତନ୍ତ୍ୟ,  ମୌଳିକ ତଥା ମୂଳ ଅଧିକାରଗୁଡ଼ିକର ପରିପୂରଣ ପ୍ରତି  ପ୍ରତିବଦ୍ଧତା । 
  • ୨- ନିରପେକ୍ଷତା ପ୍ରତି ପ୍ରତିବଦ୍ଧତା 
  • ୩- ଧର୍ମ ଏବଂ ରାଷ୍ଟ୍ର ମଧ୍ୟରେ ଦୂରତା 
  • ୪- ପ୍ରଜାତାନ୍ତ୍ରିକ ବ୍ୟବସ୍ଥାଯୁକ୍ତ ସରକାର 
  • ୫- ଆଇନ ଆଖିରେ ସମସ୍ତେ ସମାନ ଏବଂ ଆଇନ  ଦ୍ୱାରା ସମସ୍ତଙ୍କୁ ସମାନ ନ୍ୟାୟ,ସୁରକ୍ଷା 
  • ୬- ଜୀବନ ଏବଂ ବ୍ୟକ୍ତି ସ୍ୱାତନ୍ତ୍ୟ ପ୍ରତି ଦାୟବଦ୍ଧ ରହିବା 
  • ୭- ଲିଙ୍ଗଭେଦରେ ସମାନତା 
  • ୮- ସାର୍ବଜନୀନ ସାବାଳକ ମତାଧିକାର 

ଗର୍ବର ସହ ଏହି ଲେଖକ କହିପାରେଯେ  ଗଣତନ୍ତ୍ରର ଏ ସମସ୍ତ ମାନଦଣ୍ଡ ଆମ ସମ୍ବିଧାନରେ ସନ୍ନିବେସିତ । ସେଥିପାଇଁ ଅନ୍ୟମାନଙ୍କ ସମ୍ବିଧାନଠାରୁ  ଭାରତର ସମ୍ବିଧାନର ସ୍ଥାନ ଉପରେ ରହିଛି । 

ତେବେ ଆମେ ସମ୍ବିଧାନର ୭୫ତମ ବାର୍ଷିକୀ  ଉତ୍ସବ ପାଳନ କରିବାବେଳେ ୧୯୪୯ ମସିହାରେ  ଡ.ଅମ୍ବେଦକର ଦେଶବାସୀଙ୍କ ପ୍ରତି ଯେଉଁ ସତର୍କ  ସୂଚନା ଦେଇଥିଲେ ତାହା ଭୁଲିଯିବା ଉଚିତ ହେବ  ନାହିଁ । ସେ ଆମକୁ ଅସମ୍ବିଧାନିକ ଉପାୟ ଅବଲମ୍ବନ  ନକରିବାକୁ ପରାମର୍ଶ ଦେଇଥିବାବେଳେ ସର୍ବସାଧାରଣ  ଆଇନ ଅମାନ୍ୟ,ବିଦ୍ରୋହରୁ ଦୂରେଇ ରହିବାକୁ ସତର୍କ  କରିଥିଲେ । ସମ୍ବିଧାନ ଆମର ଏତେବେଶି ଦକ୍ଷ,ନମନୀୟ  ଏବଂ ଦୃଢ଼ଯେ ଦେଶକୁ ଏକାଠି ରଖିବାକୁ ସମ୍ପୂର୍ଣ୍ଣ ସକ୍ଷମ  ବୋଲି ଡ.ଆମ୍ବେଦକରଙ୍କ ପୁରା ଭରସା ରହିଥିଲା । ଏଣୁ  ସେ କହିଥିଲେ ‘ଯଦି କିଛି ବ୍ୟତିକ୍ରମ ଘଟେ ତେବେ  ଏହାର କାରଣ କେବେହେଁ ଆମର ସମ୍ବିଧାନ ଭ୍ରାନ୍ତିପୂର୍ଣ୍ଣ  ବା ଖରାପ ବୋଲି ନୁହେଁ, ବରଂ ଆମକୁ କହିବାକୁ  ହେବ ଯେ ସେହି ମଣିଷ ହିଁ ଦୁଷ୍ଟବୁଦ୍ଧିଯୁକ୍ତ ।’ ଏହି ବେଦ  ବାକ୍ୟକୁ ନିହାତି ଆମକୁ ମନେ ରଖିବାକୁ ହେବ । ଦେଶର  ରାଜନୀତିରେ କିଛି ବ୍ୟକ୍ତିବିଶେଷ ଆମକୁ ଜାତିଭେଦରେ  ବାଣ୍ଟିବାକୁ ପ୍ରୟାସ ଚଳାଇଛନ୍ତି । ଦେଶ ହାସଲ କରିଥିବା  ସମସ୍ତ ସାମାଜିକ ରାଜନୈତିକ ଏବଂ ଅର୍ଥନୈତିକ  ସଫଳତାକୁ ଟାଳିଦେବାକୁ ସେମାନେ ପ୍ରୟାସରତ ।