ମୁମ୍ବାଇ,୫/୩ : ଆଇସିସି ଟି-୨୦ ବିଶ୍ବକପ ୨୦୨୬ରେ ପାକିସ୍ତାନ କ୍ରିକେଟ ଟିମର ବହୁ ନିରାଶଜନକ ପ୍ରଦର୍ଶନ ରହିଛି । ଯେଉଁ କାରଣରୁ ଖେଳାଳୀଙ୍କୁ ବହୁ ଆଲୋଚନାସମାଲୋଚନାର ସାମ୍ନା କରିବାକୁ ପଡ଼ିଛି । ପାକିସ୍ତାନ କ୍ରିକେଟ ବୋର୍ଡ଼(ପିସିବି) ଖେଳାଳୀଙ୍କ ବିପକ୍ଷରେ ଆକ୍ସନ ନେଇ ୫୦-୫୦ଲକ୍ଷ ପାକିସ୍ତାନ ଟଙ୍କାର ଜରିମାନା ଲଗାଇଛି । ଏହି ସବୁ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ପ୍ରକାଶ ଯେ, ପାକିସ୍ତାନ ଟିମ୍ ନିଜ ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା । ଯେଉଁଠାରେ ହୋଟେଲରେ ଏକ ଏଭଳି ଘଟଣା ଘଟିଥିଲା ଯାହା ପାକିସ୍ତାନ ଟିମର ମ୍ୟାନେଜର ନବୀଦ ଚୀମାଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରିଛି ।
ଶ୍ରୀଲଙ୍କାରେ ହୋଟେଲ୍ ଷ୍ଟାଫଙ୍କ ସହ ପାକିସ୍ତାନର ଏକ ଖେଳାଳୀଙ୍କ ଉପରେ ଦୁର୍ବ୍ୟବହାରର ଅଭିଯୋଗ ଲାଗିଛି । ଯାହା ପରେ ଏହି ଖେଳାଳୀଙ୍କ ଉପରେ ଜରିମାନା ବି ଲାଗିଛି । ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ଏହି ଘଟଣା ଶ୍ରୀଲଙ୍କାର କ୍ୟାଣ୍ଡି ସ୍ଥିତ ଗୋଲ୍ଡେନ କ୍ରାଉନ ହୋଟେଲରେ ହୋଇଥିଲା । ଯେଉଁଠାରେ ପାକିସ୍ତାନ ଟିମ୍ ଟି-୨୦ ବିଶ୍ବକପ୍ ଲାଗି ରହିଥିଲେ । ଅଭିଯୋଗ ଅନୁସାରେ ପାକିସ୍ତାନୀ ଟିମର ଜନୈକ ଖେଳାଳୀ ମହିଳା ହାଉସକିପିଂ ଷ୍ଟାଫଙ୍କ ସହ ଖରାପ ଦୁର୍ବ୍ୟବହାର କରିଥିଲେ । ଯାହାପରେ ହୋଟେଲର ଅଧିକାରୀ ଏ ନେଇ ଅଭିଯୋଗ ପାକିସ୍ତାନ ଟିମର ମ୍ୟାନେଜର ନବୀଦ ଚୀମାଙ୍କ ପାଖରେ କରିଥିଲେ। ଏହି ମାମଲାରେ ପରେ ନବୀଦ ଚୀମା ଖେଳାଳୀଙ୍କ ଉପରେ ଜରିମାନା ଲଗାଇଛନ୍ତି ଏବଂ ହୋଟେଲ ମ୍ୟାନେଜମେଣ୍ଟଙ୍କୁ ଭୁଲ୍ ମାଗିଥିଲେ ।
ପାକିସ୍ତାନ କ୍ରିକେଟ ଟିମର ମ୍ୟାନେଜର ନବୀଦ ଚୀମାଙ୍କ ତରଫରୁ ଏହି ମାମଲାକୁ ଖୁବଶୀଘ୍ର ରଫାଦଫା କରାଯାଇଥିଲା । କିନ୍ତୁ ଏବେ ଏହି ଖେଳାଳୀଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ଼(ପିସିବି)ର ଡିସିପ୍ଲିନାରୀ କମିଟିଙ୍କ ସାମ୍ନାରେ ହାଜର ହେବାର ସମ୍ଭାବନା ରହିଛି । ଯେଉଁଠାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଗଣାମାଧ୍ୟମର ରିପୋର୍ଟ ଅନୁସାରେ ଏହି ଘଟଣା ସମୟରେ ମହିଳା ହାଉସକିପିଂ ଷ୍ଟାଫ୍ ଚିଲେଇ ସାହାଯ୍ୟ ମାଗିଥିଲେ । ଯାହାପରେ ହୋଟେଲର ଦ୍ବିତୀୟ କର୍ମଚାରୀ ଏହାର ସାହାଯ୍ୟ ଲାଗି ଆସିଥିଲେ । ମାତ୍ର ଏବେ ପର୍ଯ୍ୟନ୍ତ ଏହି ଖେଳାଳୀଙ୍କ ନାଁ ସାମ୍ନାକୁ ଆସିନାହିଁ।