ଭୁବନେଶ୍ୱର, ୨୦।୬: ବାପା ସମ୍ବଲପୁରର ଏକ ରାଷ୍ଟ୍ରାୟତ୍ତ କମ୍ପାନୀରେ କର୍ମଚାରୀ ଥିଲେ । ତାଙ୍କ ମୃତ୍ୟୁ ପରେ ଯୁବାବସ୍ଥାରେ ବନାରସରୁ ଓଡ଼ିଶା ଆସି ସେହି କମ୍ପାନୀରେ ଚାକିରି କଲେ । ପରିବାର କହିଲେ, ଦୁଇପୁଅ ଓ ସ୍ତ୍ରୀ । ବହୁ କଷ୍ଟ କରି ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରାଇଥିଲେ । ଜଣେ ଏମବିବିଏସ୍‌ ଓ ଆଉଜଣେ ଆଇଆଇଟିରେ ପଢୁଥିଲେ । ହେଲେ ସବୁ ଛଡ଼ାଇନେଲା କରୋନା । ସ୍ତ୍ରୀ ଚାଲିଗଲେ, ପିଲାମାନେ ବି ଡକାଡକି ହୋଇ ଚାଲିଗଲେ । ବଞ୍ଚିବା ପାଇଁ ଯେଉଁ ଟିକକ ରାହା ଥିଲା, ତାହା ବି ସରିଗଲା । ପକ୍ଷାଘାତର ଶିକାର ହୋଇ ଭୁବନେଶ୍ୱର ଆସିଲେ । ଠକମାନେ ମୋବାଇଲ ଓ ଟଙ୍କା ଲୁଟିନେଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ବୃଦ୍ଧାଶ୍ରମକୁ ନିଆଯାଇଥିଲା । ୩ବର୍ଷ ହେଲାଣି, ଆଉ ଭିଟାମାଟିକୁ ଫେରିପାରୁନାହାନ୍ତି ବୃଦ୍ଧ ଅଜୟ ଗୁପ୍ତା । ଭୁବନେଶ୍ୱର ଏବେ ତାଙ୍କର ପରିଚୟ । ବୃଦ୍ଧାଶ୍ରମର ଅନ୍ୟ ଅନ୍ତେବାସୀ ତାଙ୍କ ପରିବାର ବୋଲି ସେ ମାନିନେଇଛନ୍ତି ।  ବନାରସ ସହରର ବାସିନ୍ଦା ହେଉଛନ୍ତି ଅଜୟ(୮୦) । ୧୯୮୦ ମସିହାରୁ ସେ ଆସି ଓଡ଼ିଶାରେ ରହୁଛନ୍ତି । ପରିବାର ସହ ସେ ସମ୍ବଲପୁରରେ ହିଁ ରହୁଥିଲେ । ପିଲା ବଡ଼ହେବା ପରେ ସେମାନଙ୍କ ପାଠ ପଢ଼ା ପାଇଁ ସ୍ତ୍ରୀଙ୍କୁ ନେଇ ସେ ବନରାସରେ ଛାଡ଼ିଥିଲେ ।

ଅଜୟଙ୍କ ଦୁଇ ପୁଅ ମଧ୍ୟରୁ ବଡ଼ପୁଅ ଆନନ୍ଦ ଖଡଗପୁର ଆଇଆଇଟିରେ ପାଠ ପଢୁଥିବା ବେଳେ ସାନପୁଅ ଆକାଶ ବନାରସର ଏକ ମେଡିକାଲ କଲେଜରେ ଏମବିବିଏସ୍‌ କରୁଥିଲେ । ଏଣେ ଅଜୟଙ୍କ ବୟସ ବଢ଼ୁଥିବା ବେଳେ ଓଡ଼ିଶା ଛାଡ଼ି ସେ ବନାରସ ଯିବାକୁ ବାହାରିଥିଲେ । ହେଲେ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା କରୋନା । ୨୦୨୦ରେ କରୋନା କଟକଣା ପାଇଁ ସେ ଆଉ ବନାରସ ଫେରିପାରିନଥିଲେ । ବର୍ଷେ ପରେ ହଠାତ୍‌ ଦିନେ ଘରୁ ଫୋନ୍‌ ଆସିଲା ଯେ, କରୋନାରେ ସ୍ତ୍ରୀ ଆଶାଙ୍କ ପରଲୋକ ଘଟିଛି । ଏହା ଶୁଣି ସେ ଘରକୁ ଯିବାକୁ ବାହାରିଥିଲେ । ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ପୁଅମାନଙ୍କୁ ଫୋନ୍‌ କରିଥିଲେ । ହେଲେ ମା’ଙ୍କ ପାଖରେ ଥିବା ସାନପୁଅ ଆକାଶ କରୋନାରେ ସଂକ୍ରମଣ ହୋଇଥିବା ଖବର ମିଳିଥିଲା । ସେପଟେ ବଡ଼ପୁଅ ଆନନ୍ଦ କଟକଣା ପାଇଁ ଆସିପାରିନଥିଲେ । ବହୁ କଷ୍ଟରେ ସେ ଧାରକରଜ କରି ମାଲବୋଝେଇ ଟ୍ରକରେ ଉତ୍ତରପ୍ରଦେଶ ଯାଇଥିଲେ । ସେଠାରେ ପହଞ୍ଚିବା ବେଳକୁ ସାନ ପୁଅର ଦେହାନ୍ତ ହୋଇସାରିଥିବା ଜାଣିବାକୁ ପାଇଲେ । ଶୁଦ୍ଧି ପରେ ସେ ୨ ବର୍ଷ ବନାରସରେ ରହିଥିଲେ । ପରେ ଆସବାବପତ୍ର ଆଣିବା ପାଇଁ ପୁନର୍ବାର ଓଡ଼ିଶା ଆସିବାକୁ ବାହାରିଥିଲେ । ସେତେବେଳକୁ କରୋନାରେ ବଡ଼ପୁଅ ଚାଲିଗଲେ । ଅଜୟଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ଏହା ବି ପଢ଼ନ୍ତୁ... ନା ସିଲାବସ୍ ଅଛି, ନା ସଂଶୋଧନ ହେଲା: ଏନ୍‌ସିଇଆର୍‌ଟି ବହିକୁ ସିଧା ଅନୁବାଦ କରି ଛାପିଦେଲେ !

ବଡ଼ପୁଅର ଶୁଦ୍ଧି ପରେ ୨୦୨୩ରେ ଓଡ଼ିଶା ଫେରିଲେ । ଟ୍ରେନରେ ଆସୁଥିବା ବେଳେ ଅଜୟ ପକ୍ଷାଘାତର ଶିକାର ହେଲେ । ଫଳରେ ବାମହାତ ଓ ଗୋଡ ଅଚଳ ହୋଇଯାଇଥିଲା । ଭୁବନେଶ୍ୱରରେ ଓହ୍ଲାଇ ସେ ବହୁ କଷ୍ଟରେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ହେଲେ ସେଠାରେ ତାଙ୍କ ମୋବାଇଲ ଓ ଟଙ୍କା ଚୋରି ହୋଇଯାଇଥିଲା । ଏହି ସମୟରେ ତାଙ୍କୁ ଏକ ସଙ୍ଗଠନ ଉଦ୍ଧାର କରି ଯାଆଁଳାରେ ଥିବା ବୃଦ୍ଧାଶ୍ରମରେ ଥଇଥାନ କରିଥିଲା । ସେହିଦିନଠୁ ସେ ଭୁବନେଶ୍ୱରରେ ରହି ଚିକିତ୍ସିତ ହେଉଛନ୍ତି । ଆଶ୍ରମରେ ତାଙ୍କୁ ଯୋଗ ଶିକ୍ଷା ବି ମିଳିଲା । ସଭିଙ୍କ ସହ ରହି ସେ ପକ୍ଷାଘାତରୁ ମୁକ୍ତି ପାଇଲେ ସିନା କିନ୍ତୁ ପରିବାରକୁ ଫେରିବାର ଆଉ ବାଟ ନଥିଲା । ଏବେ ସେ ଆଶ୍ରମରେ ଅନ୍ୟ ଅନ୍ତେବାସୀଙ୍କୁ ଗଙ୍ଗା ନଦୀର କାହାଣୀ, ରାମାୟଣ, ମହାଭାରତ ଆଦି ଶୁଣାଉଛନ୍ତି । ସେ କହିଛନ୍ତି, ମୈ ମରୁଙ୍ଗା ତୋ ୟେହିଁପେ ଅର୍ଥାତ୍ ମୁଁ ମରିବି ତ ଏଇଠି ମରିବି ।