ଭୁବନେଶ୍ୱର, ୨୦।୬: ପାଠ୍ୟପୁସ୍ତକ ପ୍ରସ୍ତୁତ ସମୟରେ ଡିଟିପି ହେଲା ପରେ ସମୀକ୍ଷା ହେବା କଥା । ବନାନ ଶୁଦ୍ଧି ସହଜ ହୋଇଥାନ୍ତା । କିନ୍ତୁ ହାତଲେଖା ପାଣ୍ଡୁଲିପିକୁ ସମୀକ୍ଷା କରାଯାଇଛି । କଣ ଥିଲା ହାତଲେଖା ଓ ଡିଟିପି ପରେ ବହିର ସ୍ୱରୂପ କିପରି ହେଲା ତାହା ପ୍ରୁଫ୍ ରିଡିଂ କରାଯାଇନାହିଁ । ଫଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ୧୬୭୮ଟି ଭୁଲ୍ ରହିଗଲା । ସେହିପରି ଏନ୍ସିଆରଟି ବହିରେ ଥିବା ତଥ୍ୟକୁ ଲେଖକମାନେ ସଂପୂର୍ଣ୍ଣ ଭାବେ ଅନୁବାଦ କରିଛନ୍ତି । ଚିତ୍ରଗୁଡ଼ିକ ଏନ୍ସିଆରଟି ବହିରୁ କପି କରାଯାଇଥିବାରୁ ତ୍ରୁଟି ରହିଛି । ଯାହା ମୁଦ୍ରଣ ତଥା ଡିଟିପି ଡିଜାଇନ୍ଠାରେ ହୋଇଛି । ଫଳରେ ଝାଡ଼ଖଣ୍ଡ ରାଜ୍ୟରେ ନିୟମଗିରି ହୋଇଗଲା । ନୂଆ ପାଠ୍ୟପୁସ୍ତକରେ କାହିଁକି ଏତେ ଭୁଲ୍ ରହିଲା ଏହି ଦୁଇଟି ହେଲା ପ୍ରମୁଖ କାରଣ । ସୂଚନାଯୋଗ୍ୟ ବହି ପ୍ରସ୍ତୁତ ହେବା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୯ ଜଣିଆ ଷ୍ଟିୟରିଂ କମିଟି ଗଠନ କରିଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ମୋଟ୍ ୫୫ଟି ବହି ଛାପିବା ପାଇଁ ନିଷ୍ପତ୍ତି ହେଲା ।
ଷ୍ଟିୟରିଂ କମିଟି ପାଠ୍ୟକ୍ରମ ପ୍ରସ୍ତୁତର ରୂପରେଖ କିପରି ରହିବ, କ’ଣ ନୂଆ ବିଷୟ ରଖାଯିବ, କ’ଣ ଭଲ ହୋଇପାରିବ ତାକୁ ନେଇ ମାନସ ମନ୍ଥନ କଲେ । ସିଲାବସ୍ ଓ କୋର୍ କମିଟି ମଧ୍ୟ ହେଲା କିନ୍ତୁ ସିଲାବସ୍ ପ୍ରସ୍ତୁତ ହେଲାନି । ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାର ଯେଉଁ ସବୁ ସ୍ତର ରହିବା କଥା ସେସବୁ ମଧ୍ୟ ଠିକ୍ ଭାବେ ହୋଇନି । ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି, ପାଠ୍ୟପୁସ୍ତକ ପ୍ରସ୍ତୁତି ପୂର୍ବରୁ ଏନ୍ସିଆରଟି ଢାଞ୍ଚାରେ ପାଠ୍ୟପୁସ୍ତକ ବଦଳରେ ଗଣଶିକ୍ଷା ବିଭାଗ ଅନୁବାଦକୁ ଗୁରୁତ୍ୱ ଦେଲେ । ଯେଉଁ ସବୁ ସ୍ତରରେ ଏନ୍ସିଆରଟି ପାଠ୍ୟପୁସ୍ତକ ପ୍ରସ୍ତୁତ କରେ ତାକୁ କରାଯାଇନାହିଁ । ତରବରିଆ ଭାବେ ପ୍ରସ୍ତୁତ ହୋଇଛି । ଏନ୍ସିଆରଟି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତି ପୂର୍ବରୁ ବହୁତ ପର୍ଯ୍ୟାୟ ରହିଛି । ପ୍ରତ୍ୟେକ ଶ୍ରେଣୀ ଏବଂ ପ୍ରତି ବିଷୟ ପାଇଁ ପୃଥକ ଭାବେ କମିଟି ତଥା ଟିମ୍ ଗଠନ କରାଯାଏ । ସିଲାବସ ପ୍ରସ୍ତୁତି ସମୟରେ ସେମାନଙ୍କୁ ସିଲାବସ୍ ଆଉଟ୍ ଲାଇନ୍ ମଧ୍ୟ ପ୍ରଦାନ କରାଯାଇଥାଏ । ପରେ ପାଠ୍ୟପୁସ୍ତକ ବିକାଶ କମିଟି ଗଠନ କରାଯାଏ ।ଏଥିରେ ଶିକ୍ଷାବିତ୍, ବିଶେଷଜ୍ଞ, ଶିକ୍ଷାଦାନ ପଦ୍ଧତି, ପାଠ୍ୟକ୍ରମ ଚିଠା ପ୍ରସ୍ତୁତକାରୀ ବିଶେଷଜ୍ଞ, ବିଷୟ ନିର୍ଦ୍ଦିଷ୍ଟ ବିଶେଷଜ୍ଞ ଓ ଶିଳ୍ପ କ୍ଷେତ୍ରର ବିଶେଷଜ୍ଞଙ୍କୁ ଏହି କମିଟିରେ ସାମିଲ କରାଯାଏ । ବହି ପ୍ରସ୍ତୁତ ସମୟରେ କର୍ମାଶାଳା ମଧ୍ୟ କରାଯାଏ । ଯେଉଁଥିରେ କେଉଁ ବିଷୟ ରହିଲେ ଭଲ ହେବ ତାକୁ ମଧ୍ୟ ରିସୋର୍ସ ପର୍ସନ ମତ ପରାମର୍ଶ ଦେଇଥାନ୍ତି । ଏହା ବହି ପ୍ରସ୍ତୁତ ସମୟରେ ଚାଲିଥାଏ । ଏହାପରେ ଡ୍ରାଫ୍ଟିଂ ଓ ସମୀକ୍ଷା ହୁଏ ।
ପାଠ୍ୟପୁସ୍ତକ ବିକାଶ କମିଟି ଦ୍ୱାରା ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଚାପ୍ଟରକୁ ଅନୁମୋଦନ ହେବା ପୂର୍ବରୁ ବିଭିନ୍ନ ସ୍ତରରେ ସମୀକ୍ଷା ହୁଏ । ଏହି ସମୟରେ ଅନେକ ବିଷୟବସ୍ତୁକୁ ଯୋଡ଼ାଯାଏ, ଡିଲିଟ୍ କରାଯାଏ ଏହି ପ୍ରକ୍ରିୟା ବହୁ ସମୟ ଧରି ହୁଏ । ଶୈକ୍ଷିକ ଦୃଷ୍ଟିକୋଣରୁ ଏହି ପ୍ରକ୍ରିୟା ଅତ୍ୟନ୍ତ କଷ୍ଟକର ବୋଲି ଅଧିକାରୀ ଜଣକ କହିଛନ୍ତି । ପର୍ଯ୍ୟାୟ ଅନୁଯାୟୀ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଏ । ଯେପରିକି ପ୍ରଥମରେ ତୃତୀୟ ଶ୍ରେଣୀ ପଞ୍ଚମ ଶ୍ରେଣୀର ପୁସ୍ତକକୁ ପ୍ରସ୍ତୁତ କରାଯାଏ । ପାଠ୍ୟପୁସ୍ତକ ପ୍ରସ୍ତୁତ କରି ଛାପିବା ପାଇଁ ସର୍ବନିମ୍ନ ୨ରୁ ୩ ବର୍ଷ ଲାଗିଥାଏ । ମାତ୍ର ରାଜ୍ୟରେ ପାଠ୍ୟପୁସ୍ତକ ପ୍ରସ୍ତୁତ ସହ ଜଡ଼ିତ ଥିବା ଜଣେ ଅଧିକାରୀ କହିଛନ୍ତି, ଏନ୍ସିଆରଟି ଯେଉଁ ପ୍ରକ୍ରିୟାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥାଏ ସେପରି ଏସ୍ସିଇଆର୍ଟି କରିନାହିଁ । ଆଗରୁ ୨୦୦୩-୦୪ ମସିହାରେ ଯେତେବେଳେ ପାଠ୍ୟପୁସ୍ତକ ପ୍ରସ୍ତୁତ ହୋଇଥିଲା ସେତେବେଳେ ସିଲାବସ୍ ଆଗୁଆ ପ୍ରସ୍ତୁତ ହୋଇଥିଲା । ଏହାପରେ ଶ୍ରେଣୀ ୱାରୀ ପାଠ୍ୟକ୍ରମରେ କ'ଣ ରହିବା ତାକୁ ଚୂଡ଼ାନ୍ତ କରାଯାଏ । ଏହାକୁ ବିକଶିତ ସହ ଗବେଷଣା ମଧ୍ୟ ହୁଏ । ଏହାକୁ ଯାଞ୍ଚ କରିବାକୁ ଏକ କମିଟି ମଧ୍ୟ ରହିଥାଏ । ଏହାପରେ ବାରମ୍ବାର ସମୀକ୍ଷା ହୁଏ । ଏହାପରେ ପ୍ରସ୍ତୁତ କରି ଛପା ହେବାକୁ ଯାଏ । ଏପରିକି ଗୋଟିଏ ବର୍ଷରେ ସବୁ ଶ୍ରେଣୀର ବହିକୁ ପ୍ରସ୍ତୁତ କରାଯାଏ ନାହିଁ । ଏହାକୁ ବିଭିନ୍ନ ସ୍ତର ଅନୁଯାୟୀ କରାଯାଏ ।
ଏହା ବି ପଢ଼ନ୍ତୁ... ପାଠ୍ୟପୁସ୍ତକରେ ତ୍ରୁଟି ମାମଲା: ମଇଦାନକୁ ଓହ୍ଲାଇଲେ ଉନ୍ନୟନ କମିଶନର, ତଥ୍ୟ ରଖିଲେ ଗଣଶିକ୍ଷା ସଚିବ
ଯଦି ପ୍ରଥମ ବର୍ଷ ପ୍ରଥମ ଶ୍ରେଣୀ ଓ ତୃତୀୟ ଶ୍ରେଣୀର ବହି ପ୍ରସ୍ତୁତ ହୁଏ ତେବେ ଦ୍ୱିତୀୟ ବର୍ଷରେ ଚତୁର୍ଥ ଓ ଷଷ୍ଠର ବହି ପ୍ରସ୍ତୁତ ହୁଏ । ଏପରି ସ୍ତର ଭାବେ ବହି ପ୍ରସ୍ତୁତ ହୁଏ । ହେଲେ ଏବର୍ଷ କୌଣସି ସ୍ତରକୁ ଠିକ୍ ଭାବେ ଅନୁସରଣ କରାଯାଇନାହିଁ । ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକ ୬ ମାସ ଭିତରେ ତରବରିଆ ଭାବେ ପ୍ରସ୍ତୁତ କରାଯାଇଛି । ଖୁବ୍ କମ୍ ସମୟ ମଧ୍ୟରେ କେବେ ପୁସ୍ତକ ତିଆରି ହେବା ସମ୍ଭବ ନୁହେଁ । ଏହା ଏକ ସାଧନା ଓ ପିଲାଙ୍କ ଭବିଷ୍ୟତ । ହେଲେ ଏହାକୁ କିଛି ବରିଷ୍ଠ ଅଧିକାରୀ ଜୋରଜବରଦସ୍ତ ଚାପ ଦେଇ ସିଧାସଳଖ ଏନ୍ସିଆରଟି ବହିରୁ କପି କରି ଶୀଘ୍ର ସାରିବାକୁ କହିଥିଲେ । ଏପରିକି ବହି ଡ୍ରାଫ୍ଟ ହୋଇ ପ୍ରିଣ୍ଟିଂ ହୋଇଗଲା ପଛେ ସମୀକ୍ଷା କରିବାକୁ ଠିକ୍ ଭାବେ ଦିଆଗଲାନି । ଯାହା ପରିଣାମ ଆଜି ଦେଖିବାକୁ ମିଳୁଛି ।