ନୂଆଦିଲ୍ଲୀ, ୨୦/୦୬ : ଡାଟା ପରେ ଏଆଇ କ୍ଷେତ୍ରରେ ହେବ ଜିଓର ପରବର୍ତ୍ତୀ ବଡ଼ ଲମ୍ଫ। ଭାରତ କେବଳ ବିଦେଶରେ ପ୍ରସ୍ତୁତ ଏଆଇ ଟେକ୍ନୋଲୋଜିର ଉପଭୋକ୍ତା ହୋଇ ରହିବ ନାହିଁ ବରଂ ନିଜେ ଏଆଇର କ୍ରିଏଟର ଏବଂ ଗ୍ଲୋବାଲ ଲିଡର ହେବ। ଦେଶର ବହୁ ପ୍ରତୀକ୍ଷିତ ଜିଓ ପ୍ଲାଟଫର୍ମସ୍ ଇନିସିଆଲ ପବ୍ଲିକ ଅଫରିଂ ଘୋଷଣା କରାଯାଇଛି। କମ୍ପାନୀ ପୁଞ୍ଜି ବଜାର ଜରିଆରେ ପାଣ୍ଠି ସଂଗ୍ରହ କରିବା ପାଇଁ ଏହି ଆଇପିଓ ଆଣିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ୪୯ତମ ବାର୍ଷିକ ସାଧାରଣ ବୈଠକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଏହା କହିଛନ୍ତି। କମ୍ପାନୀ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ନିକଟରେ ଆଇପିଓ ସମ୍ପର୍କିତ କାଗଜପତ୍ର ଆଜି ହିଁ ଦାଖଲ କରାଯିବ। କମ୍ପାନୀ ୨୭ କୋଟି ସେୟାର ବିକ୍ରି କରିବ। ତେବେ ଏହି ଆଇପିଓ ଜରିଆରେ କେତେ ପାଣ୍ଠି ସଂଗ୍ରହ ଲକ୍ଷ୍ୟ ରଖିଛି ତାହା ଘୋଷଣା କରାଯାଇ ନାହିଁ।

ଅନ୍ୟ ପକ୍ଷ୍ୟରେ ଜିଓର ମୁଖ୍ୟ ତଥା ମୁକେଶଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ କହିଛନ୍ତି ଯେ, କମ୍ପାନି ଉପଗ୍ରହ ଆଧାରିତ ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନି ଲୋ ଆର୍ଥ ଅର୍ବିଟ୍ ଉପଗ୍ରହ ସ୍ଥାପନ କରିବା ଉପରେ ବିଚାର କରୁଛି। ଏହି ସେବା ଜରିଆରେ ଜିଓ ସିଧାସଳଖ ଭାବେ ବିଶ୍ଵର ଏକ ନମ୍ଵର ଧନୀ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସହ ପ୍ରତିଦ୍ଵନ୍ଦ୍ଵିତା କରିବ। ଭୂପୃଷ୍ଠରେ ଦୃଢ ଟେଲିକମ୍ ନେଟୱର୍କ ସ୍ଥାପନ କରିବା ପରେ କମ୍ପାନି ଆକାଶ ମାର୍ଗରୁ ଡିଜିଟାଲ୍ ସେବା ଯୋଗାଇବା ପାଇଁ ଯୋଜନା ରଖିଛି। ପ୍ରଥମ ଭାରତୀୟ କମ୍ପାନି ଭାବେ ଜିଓ ଉପଗ୍ରହ ଆଧାରିତ ବ୍ରଡବ୍ୟାଣ୍ଡ୍ ଓ ଡାଇରେକ୍ଟ ଟୁ ଡିଭାଇସ୍ ସେବା ପ୍ରଦାନ କରିବ। ଏହା ୧୬୫୦ଟି ଏଲଇଓ ଉପଗ୍ରହ ସ୍ଥାପନ କରିବାକୁ ଯୋଜନା ରଖିଛି। ଯେଉଁ ସବୁ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ପ୍ରତ୍ୟକ୍ଷ ଟେଲିକମ୍ ନେଟୱର୍କ ସ୍ଥାପନ କରିବା ସମ୍ଭବ ହେଉନାହିଁ, ସେହି ସବୁ ଅଞ୍ଚଳ ପାଇଁ ଉପଗ୍ରହ ଆଧାରିତ ଯୋଗାଯୋଗ ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହେବ। ସେମାନେ ମଧ୍ୟ ଏହା ଜରିଆରେ ହାଇସ୍ପିଡ୍ ଡାଟାର ମଜା ନେଇପାରିବେ। କମ୍ପାନିର ଉପଗ୍ରହଗୁଡ଼ିକ ଭୂପୃଷ୍ଠରୁ ୬୫୦ କିଲୋମିଟର ଉଚ୍ଚତାରେ ରହିବ। ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ଏହି ନେଟୱର୍କ ପ୍ରସ୍ତୁତ କରିବାକୁ କମ୍ପାନି ଆଶା ରଖିଛି। ଏହା ବ୍ୟତୀତ ରିଲାଏନ୍ସ ଫାଉଣ୍ଡେସନ ମୟମ୍ଵାଇରେ ୪୧୦ ଏକର ଜମିରେ ଏକ ବିଶ୍ଵସ୍ତରୀୟ ବିଶ୍ଵବିଦ୍ୟାଳୟ ନିର୍ମାଣ କରିବ। ବନତାରା ବିଶ୍ଵବିଦ୍ୟାଳୟ ମଧ୍ୟ ଆରମ୍ଭ ହେବାକୁ ଯାଉଛି। 

୨୦୨୫-୨୬ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରାଜସ୍ଵ ୯.୮ ପ୍ରତିଶତ ବୃଦ୍ଧି ପାଇ ୧୧,୭୫,୯୧୯ କୋଟି ଟଙ୍କା ରହିଛି। ଏହି ସମୟରେ ଏବିଟଡା ୨,୦୭,୯୧୧ କୋଟି ଟଙ୍କାର ପୁଞ୍ଜିବ୍ୟୟ କରିଛି। ଏହା ୨,୭୮,୮୦୮ କୋଟି ଟଙ୍କାର ରପ୍ତାନି କରିଥିବା ବେଳେ ସରକାରଙ୍କ ରାଜକୋଷକୁ ୨,୧୬,୪୭୨ କୋଟି ଟଙ୍କା ଦେଇଛି। ସିଏସଆରରେ ୨,୨୪୮ କୋଟି ଟଙ୍କା ଖର୍ଚ୍ଚ କରିଛି। 

ଆହୁରି ପଢନ୍ତୁ-  ଭାରତର ଆଇଫୋନ ମିଶନକୁ ଝଟକା ? ଟାଟା କାରଖାନା ବିରୋଧରେ ପ୍ରତିବାଦ କରିଛନ୍ତି ଚାଷୀ