ମୁମ୍ବାଇ, ୨୦।୬: ବିଗତ ସପ୍ତାହରେ ଶେୟାର ବଜାରରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି, ହେଲେ ଏହି ମାନ୍ଦାବସ୍ଥା ମଧ୍ୟରେ କିଛି କମ୍ପାନୀର ଷ୍ଟକ୍ ବଜାରରେ କମାଲ୍ କରିଛନ୍ତି। ଆସନ୍ତା ସପ୍ତାହରେ ମଧ୍ୟ ବଜାରରେ ଏଭଳି କିଛି ହଲଚଲ ଦେଖିବାକୁ ମିଳିପାରେ। ବିଶେଷ କରି ପ୍ରତିରକ୍ଷା କ୍ଷେତ୍ରର ପ୍ରମୁଖ କମ୍ପାନୀ ଭାରତ ଫୋର୍ଜର ଶେୟାର ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହାର ମୁଖ୍ୟ କାରଣ ହେଉଛି କମ୍ପାନୀକୁ ସରକାରଙ୍କ ତରଫରୁ ମିଳିଥିବା ଏକ ବଡ଼ ଅର୍ଡର, ଯାହାର ମୂଲ୍ୟ ପ୍ରାୟ ୪୨୫ କୋଟି ଟଙ୍କା।
ନିବେଶକଙ୍କ ପାଇଁ ‘ମଲ୍ଟିବ୍ୟାଗର’ ସାବ୍ୟସ୍ତ ହେଲା ଏହି ଡିଫେନ୍ସ ଷ୍ଟକ୍:
ପ୍ରତିରକ୍ଷା କ୍ଷେତ୍ରର ଏହି କମ୍ପାନୀ ନିଜ ନିବେଶକମାନଙ୍କୁ ଦୀର୍ଘ ଅବଧିରେ ବମ୍ପର ରିଟର୍ଣ୍ଣ ଦେଇ ମାଲେମାଲ କରିଛି । ୯ ଅପ୍ରେଲ ୨୦୨୦ରେ କମ୍ପାନୀର ଗୋଟିଏ ଶେୟାରର ମୂଲ୍ୟ ମାତ୍ର ୨୪୫ ଟଙ୍କା ଥିଲା । ବିଗତ ଶୁକ୍ରବାର (ମାର୍କେଟ୍ କ୍ଲୋଜିଂ) ଏହି ଶେୟାରର ମୂଲ୍ୟ ବୃଦ୍ଧି ପାଇ ୨,୦୩୬ ଟଙ୍କାରେ ବନ୍ଦ ହୋଇଛି । ଏହି ଅବଧି ମଧ୍ୟରେ ନିବେଶକମାନଙ୍କୁ ପ୍ରାୟ ୭୨୯ ପ୍ରତିଶତର ଜବରଦସ୍ତ ରିଟର୍ଣ୍ଣ ମିଳିଛି, ଅର୍ଥାତ୍ ନିବେଶକଙ୍କ ଟଙ୍କା ୮ ଗୁଣରୁ ଅଧିକ ବୃଦ୍ଧି ପାଇଛି । ବିଗତ ୬ ମାସ ହେବ ଜାରି ରହିଛି ଦେଶୀ ଷ୍ଟକର ଦବଦବା । ଭାରତ ଫୋର୍ଜର ବଜାର ପୁଞ୍ଜି ଏବେ ୯୭,୩୪୦ କୋଟି ଟଙ୍କାରେ ପହଞ୍ଚିଛି । ୫୨ ସପ୍ତାହର ସର୍ବୋଚ୍ଚ ସ୍ତର ୨,୦୫୯.୫୦ ଟଙ୍କା, ୫୨ ସପ୍ତାହର ସର୍ବନିମ୍ନ ସ୍ତର ୧,୧୦୦.୫୦ ଟଙ୍କା, ବିଗତ ୬ ମାସ ମଧ୍ୟରେ ଏହି ଷ୍ଟକ୍ ଗ୍ରାହକମାନଙ୍କୁ ପ୍ରାୟ ୪୦ ପ୍ରତିଶତ ରିଟର୍ଣ୍ଣ ଦେଇଛି । ସେହିପରି ବିଗତ ୫ ବର୍ଷରେ ଏହାର ରିଟର୍ଣ୍ଣ ୧୮୦ ପ୍ରତିଶତ ରହିଛି ।
ଏହା ବି ପଢ଼ନ୍ତୁ... Warren Buffett Donation: ଜନକଲ୍ୟାଣ ଲାଗି ତାଙ୍କର ୯୯% ସମ୍ପତ୍ତି ଦାନ କରିବେ ୱାରେନ ବଫେଟ୍
କାହିଁକି ଚର୍ଚ୍ଚାରେ ଅଛି Bharat Forge ଶେୟାର ?
ପିଟିଆଇ ରିପୋର୍ଟ ଅନୁଯାୟୀ, କମ୍ପାନୀ ପକ୍ଷରୁ ଷ୍ଟକ୍ ଏକ୍ସଚେଞ୍ଜ ଫାଇଲିଂରେ ଦିଆଯାଇଥିବା ସୂଚନା ଅନୁସାରେ, ସେମାନଙ୍କୁ ରକ୍ଷା ମନ୍ତ୍ରଣାଳୟ ତରଫରୁ ଭାରତୀୟ ନୌସେନା ପାଇଁ ଏକ ବଡ଼ କଣ୍ଟ୍ରାକ୍ଟ ମିଳିଛି । କଣ୍ଟ୍ରାକ୍ଟର ମୁଖ୍ୟ ପ୍ରସଙ୍ଗ ଭାରତୀୟ ନୌସେନା ପାଇଁ ଗ୍ୟାସ୍ ଟର୍ବାଇନ୍ ଜେନେରେଟର ଯୋଗାଇବା, ମୋଟ ମୂଲ୍ୟ ୪୨୫ କୋଟି ଟଙ୍କା, ଏହି କଣ୍ଟ୍ରାକ୍ଟକୁ ଶେଷ କରିବା ପାଇଁ ଭାରତ ଫୋର୍ଜକୁ ୫ ବର୍ଷ ସମୟ ଦିଆଯାଇଛି, କମ୍ପାନୀ ୧.୨୫ ମେଗାୱାଟ କ୍ଷମତା ବିଶିଷ୍ଟ ୧୨ଟି ମରାଇନ୍ ଗ୍ୟାସ୍ ଟର୍ବାଇନ୍ ଜେନେରେଟର ସେଟ୍ ପ୍ରସ୍ତୁତ କରିବ । ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂଙ୍କ ଉପସ୍ଥିତିରେ ରକ୍ଷା ମନ୍ତ୍ରଣାଳୟ ଏବଂ ପୁଣେ ସ୍ଥିତ ଭାରତ ଫୋର୍ଜ ଲିମିଟେଡ୍ ମଧ୍ୟରେ ଏହି ଚୁକ୍ତି ସ୍ଵାକ୍ଷରିତ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନକୁ ପ୍ରୋତ୍ସାହନ ଦେଇ ଏହି ଜେନେରେଟରଗୁଡ଼ିକରେ ଅନ୍ୟୂନ ୬୦ ପ୍ରତିଶତ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯିବ । ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ପରେ ଆସନ୍ତା ସପ୍ତାହରେ ଭାରତ ଫୋର୍ଜର ଶେୟାର ଆହୁରି ଉପରକୁ ଯାଇପାରେ ବୋଲି ବଜାର ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।