ପ୍ରମୂଖ ଖବର
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅନ୍ଧାରରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ, ଆଲୋକୀକରଣ ପାଇଁ ଖର୍ଚ୍ଚ ହୋଇଥିଲା ଦେଢ଼ କୋଟିରୁ ଅଧିକ

Published By : Rasmita Pradhan | October 10, 2024 12:35 PM

କେନ୍ଦ୍ରାପଡ଼ା, ୧୦/୧୦ : ପାର୍ବଣ ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ଦିନ କେଇଟା ପରେ କେନ୍ଦ୍ରାପଡ଼ାର ଗଣପର୍ବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ପୂଜା ଉପଲକ୍ଷେ ପ୍ରବଳ ଜନସମାଗମ ଆଶା କରାଯାଉଥିବା ବେଳେ ବିପର୍ଯ୍ୟସ୍ତ ଆଲୋକୀକରଣ ସ୍ଥାନୀୟ ପ୍ରଶାସନ ପାଇଁ ଆହ୍ୱାନ ଭାବେ ଉଭା ହୋଇଛି । କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଉଜ୍ଜ୍ୱଳ ଆଲୋକୀକରଣ ପ୍ରକଳ୍ପ ଫେଲ୍‌ ମାରିଛି । କେଉଁଠି ଫାଳେ ଜଳିଲେ ଆର ଫାଳକ ଅନ୍ଧାର ହୋଇ ପଡ଼ିଛି । ପୁଣି କେତେକ ସ୍ଥାନରେ ଆଦୌ ଜଳୁନଥିବା ସାଧାରଣରେ ଅଭିଯୋଗ ହୋଇଛି । ପ୍ରକଳ୍ପ ଅଧୀନ କେନ୍ଦ୍ରାପଡ଼ା ସହର ଉପକଣ୍ଠ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଦୁହୁରିଆଠାରୁ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଥିଲେ ହେଁ ସେଥିରୁ ଅଧିକାଂଶ ଜଳୁନାହିଁ । ଦେଢ଼ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଉଜ୍ଜ୍ୱଳ ଆଲୋକୀକରଣ ପ୍ରକଳ୍ପର କେତେକ ସ୍ଥାନରେ ଷ୍ଟ୍ରିଟ୍‌ଲାଇଟ୍‌ ଆଦୌ ଜଳୁନାହିଁ । ଆଲୁଅ ସିନା ଲାଗିଗଲା । ହେଲେ ତା’ର ରକ୍ଷଣାବେକ୍ଷଣ ଓ ବିଦ୍ୟୁତ ବିଲ୍‌ ଦେୟ ନେଇ କୌଣସି ସ୍ଥାୟୀ ବନ୍ଦୋବସ୍ତ କରାଗଲା ନାହିଁ । ଫଳରେ ପ୍ରକଳ୍ପ ଉଦ୍‌ଘାଟନକୁ ୫ ବର୍ଷ ପୂରିନାହିଁ ଅର୍ଦ୍ଧାଧିକ ସ୍ଥାନରେ ଆଲୁଅ ଜଳୁନାହିଁ । ମିଳିଥିବା ସୂଚନା ଅନୁସାରେ, ୨୦୧୯ ମସିହା ଡିସେମ୍ବର ୩ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଜଗତପୁରଚାନ୍ଦବାଲି ରାସ୍ତାର ୪୯/୧୬୦ କିଲୋମିଟରଠାରୁ ୫୪/୯୦୨ କିଲୋମିଟର ଯାଏ ସହର ଉପକଣ୍ଠ ତଥା ସହରାଞ୍ଚଳରେ ସର୍ବସାଧାରଣ ଯାତାୟାତ ସୁବିଧା ନିମିତ୍ତ ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅର୍ଥାତ ପ୍ରାୟ ୬ ମାସ ପରେ ୨୦୨୦ ମସିହା ଜୁନ୍‌ ମାସ ୨୩ ତାରିଖରେ ଏହି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲା । ୨୦୧୯-୨୦ ଆର୍ଥିକ ବର୍ଷରେ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ୧ କୋଟି ୬୮ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ତେବେ ଏହାର ରକ୍ଷଣାବେକ୍ଷଣ ଓ ବିଜୁଳ ବିଲ୍‌ ପଇଠ ନେଇ କୌଣସି ବ୍ୟବସ୍ଥା କରାଗଲା ନାହିଁ । କିଛି ମାସର ବ୍ୟବଧାନ ପରେ ଷ୍ଟ୍ରିଟ୍‌ ଲାଇଟ୍‌ ସେବା ପ୍ରଭାବିତ ହେବା ପରେ ଏହାକୁ ନେଇ ବିବାଦ ସାମ୍‌ନାକୁ ଆସିଥିଲା । ପୂର୍ତ୍ତ ବିଭାଗ କହିବା କଥା, ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ରାପଡ଼ା ପୌରପାଳିକା ଓ ଯେଉଁ ପଞ୍ଚାୟତ ଦେଇ ରାଜପଥରେ ଆଲୋକୀକରଣ ସେବା ଯାଇଛି, ତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଯାହାକୁ ନେଇ ପଞ୍ଚାୟତର ସରପଞ୍ଚ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ମଧ୍ୟରେ ଟଣାଓଟରା ଦେଖା ଦେଇଛି । ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚମାନଙ୍କ କହିବା କଥା, ରାଜପଥ ଦେଇ ଯେତେବେଳେ ଆଲୋକୀକରଣ କରାଗଲା ସେତେବେଳେ କିଏ ଏହାର ରକ୍ଷଣାବେକ୍ଷଣ କରିବ ଓ ବିଦ୍ୟୁତ୍‌ ବିଲ୍‌ ଦେବ ସ୍ଥିର କରାଯାଇନଥିଲା । ହେଲେ ପ୍ରକଳ୍ପ ଉଦ୍‌ଘାଟନର ଅନେକ ଦିନ ପରେ ପଞ୍ଚାୟତ ଉପରେ ବିଦ୍ୟୁତ ବିଲ୍‌ ଓ ରକ୍ଷଣାବେକ୍ଷଣ ବୋଝ ଲଦି ଦିଆଯାଇଛି । ଯେତେବେଳେ କି ଏଥିପାଇଁ ପଞ୍ଚାୟତ ପାଖରେ ନିଜର କୌଣସି ସ୍ୱତନ୍ତ୍ର ପାଣ୍ଠି ଅବା ସାଧନ ନାହିଁ । ଆଲୋକୀରଣ ହୋଇ ମଧ୍ୟ ରାଜପଥ ଅନ୍ଧକାର ହୋଇପଡ଼ିଛି । କପାଳେଶ୍ୱର ପଞ୍ଚାୟତ କୋଠି ଛକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରଠାରୁ ଜଜାଙ୍ଗ ସର୍କିଟ୍‌ ହାଉସ୍‌ ଯାଏ ଅନେକ ସ୍ଥାନରେ ଆଦୌ ଲାଇଟ୍‌ ଜଳୁନାହିଁ । ଜଳୁଥିବା ଆଲୁଅ ପାଇଁ ବିଦ୍ୟୁତ୍‌ ବିଲ୍‌ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ତରବରିଆ ଭାବେ ପୌରପାଳିକା ଓ ୪ରୁ ୫ ପଞ୍ଚାୟତକୁ ନ୍ୟସ୍ତ କରାଯିବା ପରେ ଏଭଳି ସମସ୍ୟା ଉପୁଜିଛି । ପୌରପାଳିକା ପାଖରେ ବିଜୁଳି ବିଲ୍‌ ଭରିବା ଓ ରକ୍ଷଣାବେକ୍ଷଣ ପାଇଁ ସାଧନ ଥିବା ବେଳେ ପଞ୍ଚାୟତ ପାଖରେ ଏସବୁର ସୁଯୋଗ ନାହିଁ । ଫଳରେ କେନ୍ଦ୍ରାପଡ଼ା ସହର ହେଉ ଅବା ସହରକୁ ସଂଯୋଗ କରୁଥିବା ଉପକଣ୍ଠ ଅଞ୍ଚଳରେ ରାଜପଥରେ ଲାଗିଥିବା ନିରବଚ୍ଛିନ୍ନ ଆଲୋକୀକରଣ ସେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ଧାର ଯୋଗୁଁ ଚୋରି, ଲୁଟ୍‌, ଛିନ୍‌ତାଇ ଭଳି ଅପରାଧିକ କାର୍ଯ୍ୟକଳାପ ଲୋକଙ୍କ ଭୟ ବଢ଼ାଇ ଦେଇଛି । କେନ୍ଦ୍ରାପଡ଼ା ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗ-୧ ଏସ୍‌ଡିଓ ଅଜାମୁଦ୍ଦିନ ଖାନ୍‌ଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିବା ସମ୍ଭବ ହୋଇନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.