ଭୁବନେଶ୍ୱର,୧୪/୦୨: ସହିଦ୍‌ନଗରରେ ରହୁଥିବାର ଜଣେ ବରିଷ୍ଠ ନାଗରିକ ଡିଜିଟାଲ୍‌ ଆରେଷ୍ଟର ଶିକାର ହୋଇ ୧.୩୦ କୋଟି ହରାଇଥିଲେ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ସାଇବର ଠକମାନେ ଡିଜିଟାଲ୍‌ ଆରେଷ୍ଟ କରି ୧୩ ଲକ୍ଷ ଟଙ୍କା ଲୁଟି ନେଲେ । ଗତକାଲି ଉଚ୍ଚଶିକ୍ଷତ ଦମ୍ପତ୍ତି ସାଇବର ଠକଙ୍କ ପଞ୍ଝାରେ ପଡ଼ି ଡିଜିଟାଲ୍‌ ଆରେଷ୍ଟ ହୋଇଥିଲେ । ଅବଶ୍ୟ, ଠକେଇର ଶିକାର ହେବା ପୂର୍ବରୁ ବର୍ତ୍ତିଗଲେ ଦମ୍ପତ୍ତି । ପୁଲିସ୍‌ ଲୋକମାନଙ୍କୁ ସତର୍କ କରାଉଛନ୍ତି । ତଥାପି ଚେତୁନାହାନ୍ତି ଲୋକେ । ପ୍ରତିଦିନ ଡିଜିଟାଲ ଆରେଷ୍ଟ ଫାଶରେ କେହି ନା କେହି ଫସୁଛନ୍ତି ।

ସାଇବର ଅପରାଧୀମାନେ ନିଜକୁ ପୁଲିସ ଅଧିକାରୀ, ଇଡି, ସିବିଆଇ, ଏନଆଇଏ ଅଧିକାରୀ ପରିଚୟ ଦେଇ ଭିଡିଓ କଲ ମାଧ୍ୟମରେ ଲୋକମାନଙ୍କୁ ଭୟଭୀତ କରନ୍ତି । ପୁରା କାହାଣୀକୁ ଅଧିକ ଜୀବନ୍ତ କରିବା ପାଇଁ ସେମାନେ ହ୍ୱାଟସ୍‌ଆପ ଡିପିରେ ନକଲି ପୁଲିସ ଫୋଟୋ ରଖିଥାନ୍ତି । ଏମିତିକି ଭିଡିଓ କଲ ବେଳେ ପ୍ରଛଦପଟ୍ଟକୁ ପୁଲିସ ଥାନା କିମ୍ବା ସରକାରୀ ଅଫିସ ଭଳି ସଜାଇଥାନ୍ତି । କାହାକୁ ବ୍ରାଉନ୍‌ ସୁଗର ମାମଲାରେ ଫସାଇବାକୁ ଧମକ ଦିଅନ୍ତି ତ’ ପୁଣି କାହାକୁ ଦେଶ ଦ୍ରୋହ ମାମଲା ଛନ୍ଦିବାକୁ କହି ବ୍ଲାକମେଲିଂ କରନ୍ତି । ଏମିତି ଧମକ ଶୁଣି ଲୋକମାନେ ପ୍ରଥମେ ଡରି ଯାଆନ୍ତି । ଲୋକଲଜ୍ୟା ଭୟରେ ସେମାନେ ସାଇବର ଠକ ରୂପୀ ପୁଲିସ ଅଧିକାରୀଙ୍କ ଡିମାଣ୍ଡରେ ରାଜି ହୋଇଯାଆନ୍ତି । ଯାହାର ଫାଇଦା ଉଠାନ୍ତି ଅପରାଧୀ । ସେମାନେ ଘଣ୍ଟା ଘଣ୍ଟା ଧରି ଭିଡିଓ କଲ୍‌ରେ ଅଟକାଇ ରଖି ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ କରନ୍ତି ।

ଆହୁରି ପଢନ୍ତୁ- କୋଟିଆର ଔଷଧୀୟ ଚା’ କ୍ୟାମୋମାଇଲ୍‌ର ବଢୁଛି ଚାହିଦା, ଫୁଲରେ ରହିଛି ରୋଗ ଉପଶମ କ୍ଷମତା

ସରକାରୀ ତଥ୍ୟ ଅନୁସାରେ, ୨୦୨୪ ଓ ୨୫ ମସିହାରେ ରାଜ୍ୟରେ ୬ ଶହ ୫୩ ଜଣ ସାଇବର ଠକଙ୍କ ଶିକାର ହୋଇଥିବା ଅଭିଯୋଗ ହୋଇଛି । ୪୩ କୋଟି ଟଙ୍କା ଠକି ନେଇଥିଲେ ସାଇବର ଠକ । ପୁଲିସ୍‌ ମାତ୍ର ୫୨ଟି ମାମଲା ସଫଳ ହୋଇଥିଲା । ୪ କୋଟି ୧୧ ଲକ୍ଷ ଟଙ୍କା ବ୍ଲକ୍‌ କରିଥିଲା । ୯ ଜଣଙ୍କୁ ଗିରଫ କରିବା ସେମାନଙ୍କ ଠାରୁ ମାତ୍ର ୭ ଲକ୍ଷ ଟଙ୍କା ଜବତ କରିଥିଲା ରାଜ୍ୟରେ ଥିବା ସାଇବର ଥାନା । ଠକେଇର ଶିକାର ହେଉଥିବା ଅଧିକାଂଶ ଲୋକ ଉଚ୍ଚ ଶିକ୍ଷତ । ଯେଉଁମାନଙ୍କର ଆଇନ ସଂପର୍କରେ ଜ୍ଞାନ ବି ଅଧିକ । ତଥାପି ନିଜ ମନରେ ଥିବା ଭୟ ଓ ଲୋକଲଜ୍ୟା ଯୋଗୁ ସେମାନେ ଡିଜିଟାଲ ଆରେଷ୍ଟ ଫାଶରେ ଆପେ ଫସି ଯାଉଛନ୍ତି ।   ସାଇବର ବିଶେଷଜ୍ଞ କହିଛନ୍ତି, ପୁଲିସ କିମ୍ୱା ସରକାରୀ ଏଜେନ୍ସି କେବେ ହ୍ୱାଟ୍ସଆପ୍‌ କିମ୍ୱା ଭିଡିଓ କଲ ମାଧ୍ୟମରେ ଗିରଫ କରନ୍ତି ନାହିଁ । ଯଦି ଏପରି କଲ ଆସେ, ତୁରନ୍ତ ସେ କଲ ବନ୍ଦ କରନ୍ତୁ ଓ ୧୯୩୦ ନମ୍ୱରରେ ଅଭିଯୋଗ କରନ୍ତୁ । ନ ହେଲେ ଆଇ୪ସିରେ କେବେ ମଧ୍ୟ ଅଜଣା ଆକାଉଣ୍ଟକୁ ଟଙ୍କା ପଠାନ୍ତୁ ନାହିଁ । ଭିଡିଓ କଲରେ ପରିଚୟ ଦେଉଥିବା ଲୋକଙ୍କୁ ତୁରନ୍ତ ବିଶ୍ୱାସ କରନ୍ତୁ ନାହିଁ ।