ଭୁବନେଶ୍ବର, ୨୪।୧୦ : ବାତ୍ୟା ଦାନା  ଉପକୂଳ ମୁହାଁ ହୋଇ  ମାଡିଆସୁଛି।  ଘଣ୍ଟା ପ୍ରତି ୧୫  କି.ମି ବେଗରେ  ଗତି କରୁଛି।   ବର୍ତ୍ତମାନ ବାତ୍ୟା ପାରାଦ୍ବୀପ ଠାରୁ ୭୦  କି.ମି ଓ   ଧାମରା ଠାରୁ  ୯୦ କି.ମି ଦୂରରେ ରହିଛି। ଉତ୍ତର- ଉତ୍ତର ପଶ୍ଚମ ଦିଗକୁ ଗତି କରୁଛି। ଗୁରୁବାର ମଧ୍ୟରାତ୍ରରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ  ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରୁ ଜଣାପଡିଛି। 

ବାତ୍ୟା ଦାନା ପାଇଁ ଗୁରୁବାର    ୭ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ସେଥିପାଇଁ ଉକ୍ତ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିସବୁ ଜିଲ୍ଲାଗୁଡିକ ହେଲା ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ।

ସେହିପରି  ୫ଟି ଜିଲ୍ଲାକୁ  ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।  ସେହି ସବୁ ଜିଲ୍ଲାଗୁଡିକ ହେଲା ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ ଓ ଢେଙ୍କାନାଳ। ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଏବଂ କନ୍ଧମାଳକୁ ୟେଲୋ ଓ୍ବାର୍ଣ୍ଣିଂ  ଜାରି କରାଯାଇଛି। 

 ଶୁକ୍ରବାର ୯ ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।  ଯାଜପୁର, ଭଦ୍ରକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।