ଭୁବନେଶ୍ୱର,୨୧/୧୦: ବାତ୍ୟା ଆସିବ କି ନାହିଁ  ଏଯାଏ ସ୍ପଷ୍ଟ ହୋଇନି । କିନ୍ତୁ ବାତ୍ୟା ନାଁରେ ବଜାରରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ପରିବା ଦର  ବଢ଼ାଇଲେଣି ଅସାଧୁବ୍ୟବସାୟୀ । ଯାହା ବି ଖାଇବା ସାମଗ୍ରୀ ଅଛି, ସେସବୁରେ ୨୫ ପ୍ରତିଶତ ମୂଲ୍ୟ ବଢ଼ାଇ ସାରିଲେଣି ।

ରବିବାର ଭୁବନେଶ୍ୱରର ଡୁମୁଡୁମା, ପାତ୍ରପଡ଼ା ଭଳି  କେତେକ ସ୍ଥାନରେ ଥିବା ଖୁଚୁରା ବ୍ୟବସାୟୀମାନେ ଆଳୁ  କିଲୋ ପ୍ରତି ୪୦ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ  ହୋଇଛି । ପିଆଜ ଦର ୬୦ ଟଙ୍କା ଥିବାବେଳେ ତାହା  ୬୫ରୁ ୭୦କୁ ବଢ଼ାଇ ଦେଇଛନ୍ତି । ଏ ବାବଦରେ  ପଚାରିଲେ ବେପାରୀଙ୍କ ଅଜବ ଉତ୍ତର । ‘ବାତ୍ୟା ଆସୁଛି,  ଆଳୁ ଗାଡ଼ି ଆସିନପାରେ । ଯେତିକି ଅଛି ସେତିକିରେ  ବେପାର କରୁଛୁ ।’ ହଠାତ୍‌ ବେପାରୀମାନେ ମନଇଚ୍ଛା  ଏମିତି ଦର ବଢ଼ାଇବାକୁ ନେଇ ଗ୍ରାହକଙ୍କ ମଧ୍ୟରେ  ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । 

ସବୁଦିନ ଭଳି ଶନିବାର ଭୁବନେଶ୍ୱର କୁବେରପୁରୀ  ମଣ୍ଡିକୁ ଆଳୁ, ପିଆଜ ଗାଡ଼ି ଆସିଥିବା ଜଣାପଡ଼ିଛି ।  ଏହାସତ୍ତେ୍ୱ ବାତ୍ୟା ଆଳରେ କଳାବଜାରୀ କରୁଛନ୍ତି  ଅସାଧୁ ବ୍ୟବସାୟୀ । ତେଣୁ ରାଜ୍ୟ ସରକାର ଏଦିଗରେ  କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।  କେବଳ ସେତିକି ନୁହେଁ, ବାତ୍ୟା ଆସିବା ଭୟରେ ଆଜି  ରାଜଧାନୀର ୧ ନମ୍ବର ହାଟରୁ ନେଇ ବିଭିନ୍ନ ସ୍ଥାନରେ  ଥିବା ବଜାରରେ ପରିବା ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ  ସାମଗ୍ରୀ କିଣିବାକୁ ପ୍ରବଳ ଭିଡ଼ ଲାଗିଛି ।  

ଚଳିତ ବର୍ଷ ରାଜ୍ୟବାସୀଙ୍କୁ ଅଧିକ କଷ୍ଟ ଦେଇଛି  ଆଳୁ ଓ ପିଆଜ । ଏହି ଦୁଇ ନିତିଦିନିଆ ଜରୁରି ସାମଗ୍ରୀର  ଦର ଗତ ୬ମାସ ହେବ ନିୟନ୍ତ୍ରଣ ବାହାରେ । ପଶ୍ଚିମବଙ୍ଗ  ସରକାର ଆଳୁ ଗାଡ଼ି ଅଟକାଇବା ପରେ ଆଳୁ ଦର  ପ୍ରଥମେ ୫୦ ଓ ପରେ ୭୦ଟଙ୍କା ପର୍ଯ୍ୟନ୍ତ ଛୁଇଁଥିଲା।  ଖାଉଟିଙ୍କ ଅସନ୍ତୋଷ ଓ ବିରୋଧ ପରେ ରାଜ୍ୟ ସରକାର  ଉତ୍ତରପ୍ରଦେଶରୁ ଆଳୁ ଆଣିଲେ । ନାଫେଡ୍‌ ଜରିଆରେ  ଆଳୁ ବଣ୍ଟନ ହୋଇଥିଲା । ଏହାପରଠୁ ଗତ ୩ମାସ  ହେବ ଆଳୁ କିଲୋ ୩୦ରୁ ୩୫ ଟଙ୍କା ମଧ୍ୟରେ ସୀମିତ  ରହିଛି । ତଥାପି ଏଭଳି ଦର ଖାଉଟିଙ୍କୁ ସୁହାଉନି ।  ସେହିପରି ପିଆଜ ଦର ମଧ୍ୟ ୬୦ଟଙ୍କାରେ ଅଟକିଛି ।  

ଯନ୍ତ୍ରଣା ଏତିକିରେ ସରିନି । ଗତ ମାସେ ହେବ  ପରିବା ଦର ଅନିୟନ୍ତ୍ରିତ ରହିଛି । ସ୍ଥାନୀୟ ଅଞ୍ଚଳରେ  ପରିବା ଉତ୍ପାଦନ ହେଉନଥିବାରୁ ରାଜ୍ୟ ବାହାରୁ ପରିବା  ଆସୁଥିବା ଦର୍ଶାଇ ଦର ବଢ଼ାଉଛନ୍ତି ବ୍ୟବସାୟୀ । କାର୍ତ୍ତିକ  ମାସ ହେତୁ ସବୁ ପରିବା ଦର ପ୍ରାୟ ୬୦ ଉପରେ । ତା  ସାଙ୍ଗକୁ ସମ୍ଭାବ୍ୟ ବାତ୍ୟା ନାଁରେ ଦୋକାନୀଙ୍କ କଳାବଜାରୀ  ଗ୍ରାହକଙ୍କ କଟା ଘାରେ ଚୂନ ଲଗାଇବା ଭଳି ହୋଇଛି ।  ଯଦି ପରିବା ଦର ଆହୁରି ବଢ଼େ ସ୍ଥିତି ଶୋଚନୀୟ  ହୋଇପଡ଼ିବ । ବ୍ୟବସାୟୀ ମହାସଂଘଙ୍କ କହିବା କଥା,  ସବୁ କିଛି ଠିକ୍‌ଠାକ୍‌ ଚାଲିଛି । ଦର ବଢ଼ିବାର କୌଣସି  କାରଣ ନାହିଁ । ହେଲେ କେତେକ ଅସାଧୁ ବ୍ୟବସାୟୀଙ୍କ  ଯୋଗୁ ସମସ୍ତଙ୍କୁ କ୍ଷତି ସହିବାକୁ ନପଡ଼ୁ ବୋଲି ଅନ୍ୟ  ବ୍ୟବସାୟୀମାନେ କହିଛନ୍ତି ।  

ଏ ସଂକ୍ରାନ୍ତରେ କୁବେରପୁରୀ ବ୍ୟବସାୟୀ ସଂଘର  ସଭାପତି ଶକ୍ତିଶଙ୍କର ମିଶ୍ର କହିଛନ୍ତି, କଳାବଜାରୀ  ହେବା କଥା ସମ୍ପୂର୍ଣ୍ଣ ମିଛ । ଯଦି ବି ଏଭଳି ହେଉଥାଏ  ତେବେ ତାହା ଭୁଲ । ଭୁବନେଶ୍ୱରକୁ ଦୈନିକ ୪ଶହ  ଟନ୍‌ ଆଳୁ ଦରକାର । ସେଥିପାଇଁ ପଶ୍ଚିମବଙ୍ଗ ସହ  ଉତ୍ତରପ୍ରଦେଶରୁ ୧୨ଗାଡ଼ି ଆଳୁ ଆସୁଛି । ଏବେ ଆମ  ପାଖରେ ପର୍ଯ୍ୟାପ୍ତ ଆଳୁ ଅଛି । ସେହିପରି ଆନ୍ଧ୍ରପ୍ରଦେଶରୁ  ପିଆଜ ଆସୁଛି । ତେଣୁ କଳାବଜାରୀର ପ୍ରଶ୍ନ ଉଠୁନି ।  ଯିଏ ବି ଅଧିକ ଦର ନେଉଛନ୍ତି, ଏଥିରୁ କ୍ଷାନ୍ତ ରହନ୍ତୁ  ବୋଲି ସେ କହିଛନ୍ତି ।