ନୂଆଦିଲ୍ଲୀ, ୧୮/୧୨ :  ରାଜଧାନୀ ଦିଲ୍ଲୀରେ ହୋଇଥିବା ଦଙ୍ଗାର ଯୋଜନା କରିବା ଅଭିଯୋଗରେ ଜେଲରେ ଥିବା ଅଭିଯୁକ୍ତ ଉମର ଖାଲିଦଙ୍କୁ କୋର୍ଟ ଦେଲେ ବଡ଼ ଆଶ୍ବସ୍ତି । ଦିଲ୍ଲୀର କଡ଼କଡ଼ଡୁମା କୋର୍ଟ ଉମର ଖାଲିଦଙ୍କୁ ୭ଦିନର ଅନ୍ତରୀଣ ଜାମିନ ଦେଇଛନ୍ତି । ସୂଚନା ମୁତାବକ, ଉମର ଖାଲିଦ ନିଜ ସମ୍ପର୍କୀୟ ଭାଇ ଏବଂ ଭଉଣୀଙ୍କ ବିବାହରେ ଯୋଗଦେବା ଲାଗି ୧୦ଦିନର ଅନ୍ତରୀଣ ଜାମିନ ମାଗିଥିଲେ । ମାତ୍ର କଡ଼କଡ଼ଡୁମା କୋର୍ଟ ଉମର ଖାଲିଦଙ୍କୁ ୨୮ଡିସେମ୍ବରରୁ ୩ଜାନୁଆରୀ ପର୍ଯ୍ୟନ୍ତ ୭ଦିନର ଅନ୍ତରୀଣ ଜାମିନ ଦେଇଛନ୍ତି । 

ଉମର ଖାଲିଦ ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ଅଟନ୍ତି।  ଉମର ଖାଲିଦଙ୍କ ଉପରେ ଫେବୃଆରୀ ୨୦୨୦ରେ ଦିଲ୍ଲୀରେ  ହୋଇଥିବା ଦଙ୍ଗାର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ ରହିଛି । ‌ପ୍ରକାଶ ଯେ, ଦିଲ୍ଲୀରେ ୨୦୨୦ରେ ନାଗରିକତା ସଂଶୋଧନ ଅଧିନିୟମ(ସିଏଏ) ଏବଂ ନ୍ୟାସନାଲ ନାଗରିକ ରେଜିଷ୍ଟର (ଏନଆରସି)କୁ ବିରୋଧ କରିବା ସମୟରେ ଦଙ୍ଗା ହୋଇଥିଲା । ଏହି ଦଙ୍ଗାରେ ୫୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଦିଲ୍ଲୀ ପୋଲିସ ଖାଲିଦଙ୍କୁ ସେପ୍ଟେମ୍ବର ୨୦୨୦ରେ ଗିରଫ କରିଥିଲା ।