ବାରାଣସୀ: ଦେବ ଦୀପାବଳିକୁ ନେଇ ବାରାଣସୀ ଉତ୍ସବମୁଖର ।   ୨୫ ଲକ୍ଷ ଦୀପରେ ଝଲସୁଛି ବାରାଣସୀର ୮୪ଟି ଘାଟ । କାଶୀ ସହରରେ ଦେବ ଦୀପାବଳିକୁ ଖୁବ ଧୁମଧାମରେ ପାଳନ କରାଯାଇଛି । ଭବ୍ୟ ଓ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି । ଲୋକେ ଭାବ ଭକ୍ତିରେ ବୁଡ଼ି ଯାଇଛନ୍ତି । ସବୁଠି ଭକ୍ତିର ପରିବେଶ ସୃଷ୍ଟି ହୋଇଛି । 

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ କାଶୀରେ ଦେବ-ଦୀପାବଳିର ପବିତ୍ର ପର୍ବ ପାଳିତ ହେଉଛି। ଭାରତ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ କାଶୀର ଘାଟରେ ଏକତ୍ରିତ ହେଉଛନ୍ତି। ୮୪ଟି ଘାଟରେ ୨୫ ଲକ୍ଷ ଦୀପ ଜଳାଯାଇଛି । ୨୦୨୪ ମସିହାରେ ୨୦ ଲକ୍ଷ ଦୀପ ଜଳାଯାଇଥିଲା। ଏହି ବର୍ଷ କାଶୀର ୮୪ଟି  ଘାଟରେ ୫ ଲକ୍ଷ ଅଧିକ ଦୀପ ଜଳୁଛି ।

 

ଏକ୍ସ ଆକାଉଣ୍ଟରେ ଦେବ ଦୀପାବଳିର ଫଟୋ ସେୟାର କରି ସାଂସଦ ରବି କିଶନ ଲେଖିଛନ୍ତି, ‘କାଶୀର ଦେବ ଦୀପାବଳି ଆଉ କେବଳ ଏକ ସ୍ଥାନୀୟ ଉତ୍ସବ ନୁହେଁ, ବରଂ ଭାରତର ଆଧ୍ୟାତ୍ମିକ ଶକ୍ତିର ଏକ ବିଶ୍ୱବ୍ୟାପୀ ପ୍ରଦର୍ଶନ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି। କେବଳ କାଶୀରେ ନୁହେଁ ବରଂ ପ୍ରୟାଗରାଜ ଓ ମଥୁରାରେ ମଧ୍ୟ ଦେବ ଦୀପାବଳି ପାଳନ କରାଯାଉଛି। ପ୍ରୟାଗରାଜରେ ପାଞ୍ଚ ଲକ୍ଷ ଏବଂ ମଥୁରାରେ ଦୁଇ ଲକ୍ଷ ଦୀପ ଜଳାଯାଇଛି ।’ ତେବେ ଏହା ପୂର୍ବରୁ ଅଯୋଧ୍ୟାରେ ଦୀପାବଳି ପାଳନ କରାଯାଇଥିଲା ।