ଢାକା: ସୋମବାର ବାଂଲାଦେଶ ବାୟୁସେନାର ଏକ ଏଫ୍‌-୭ ବିଜିଆଇ ତାଲିମ ବିମାନ ଢାକାର ଉତ୍ତରା ଅଞ୍ଚଳରେ ଥିବା ମାଇଲଷ୍ଟୋନ୍‌ ସ୍କୁଲ ଆଣ୍ଡ୍‌ କଲେଜ ପରିସରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହା ଫଳରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଚୀନ୍‌ ନିର୍ମିତ ଏଫ୍‌-୭ ଜେଟ୍‌ର ସୁରକ୍ଷା ଏବଂ ନିର୍ଭରଯୋଗ୍ୟତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

ବାଂଲାଦେଶ ବାୟୁସେନାର ଏକ ନିୟମିତ ତାଲିମ ଅଭିଯାନ ସମୟରେ ଏହି ବିମାନଟି ସ୍ଥାନୀୟ ସମୟ ଅପରାହ୍ନ ୧:୦୬ରେ କୁର୍ମିତୋଲା ବାୟୁସେନା ଘାଟିରୁ ଉଡ଼ାଣ ଭରିଥିଲା। କିନ୍ତୁ ଉଡ଼ାଣ ପରେ ବିମାନରେ ଏକ "ଯାନ୍ତ୍ରିକ ତ୍ରୁଟି" ଦେଖାଦେଇଥିଲା। ଯାହା ଦୁର୍ଘଟଣାର କାରଣ ହୋଇଥିଲା। ବିମାନଟିର ପାଇଲଟ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ ମହମ୍ମଦ ଟୌକିର ଇସଲାମ ଜନବହୁଳ ଅଞ୍ଚଳରୁ ବିମାନକୁ ଦୂରେଇ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ବିମାନଟି ସ୍କୁଲର ଏକ ଦୁଇମହଲା ଭବନରେ ଧକ୍କା ଖାଇଥିଲା। ଯେଉଁଠାରେ ନର୍ସରୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ଚାଲିଥିଲା।

ଏଫ୍‌-୭ ଜେଟ୍‌ର ପୃଷ୍ଠଭୂମି

ଏଫ୍‌-୭, ଯାହାକୁ ଚୀନ୍‌ରେ ଜେ-୭ ନାମରେ ଜଣାଯାଏ। ସୋଭିଏତ୍‌ ସମୟର ମିଗ୍‌-୨୧ ଜେଟ୍‌ର ଏକ ଚୀନ୍‌ ନିର୍ମିତ କ୍ଲୋନ(ପ୍ରତିଲିପି)। ୧୯୬୨ରେ ସୋଭିଏତ୍‌ ଯୁନିଅନ୍‌ ଚୀନ୍‌କୁ ଏହାର ପ୍ରଯୁକ୍ତି ହସ୍ତାନ୍ତର କରିଥିଲା। କିନ୍ତୁ ଅସମ୍ପୂର୍ଣ୍ଣ ତଥ୍ୟ ହେତୁ ଚୀନ୍‌କୁ ଏହାକୁ ରିଭର୍ସ ଇଞ୍ଜିନିୟରିଂ କରିବାକୁ ପଡ଼ିଥିଲା। ଚୀନ୍‌ ମିଗ୍‌-୨୧ର କିଛି ମୌଳିକ ତ୍ରୁଟି ଯଥା ହାଇଡ୍ରୋଲିକ୍‌ ସିଷ୍ଟମ୍‌ ଏବଂ ଅସ୍ଥିର ଇନ୍ଧନ ଟ୍ୟାଙ୍କ ସ୍ଥାପନକୁ ସୁଧାର କରି ଏଫ୍‌-୭ ବିଜିଆଇ ତିଆରି କରିଥିଲା। ଏହା ଏକ ବଜେଟ୍‌-ଫ୍ରେଣ୍ଡଲି, ମଲ୍ଟି-ରୋଲ ଫାଇଟର ଭାବେ ବାଂଲାଦେଶ ବାୟୁସେନା ପାଇଁ ଡିଜାଇନ୍‌ କରାଯାଇଥିଲା। ଏହି ବିମାନରେ ମାକ୍‌ ୨.୨ ଗତି, କେଏଲ୍‌ଜେ-୬ଏଫ୍‌ ରାଡାର ଏବଂ ଆଧୁନିକ ଗ୍ଲାସ୍‌ କକ୍‌ପିଟ୍‌ ସହିତ ତିନୋଟି ମଲ୍ଟି-ଫଙ୍କସନାଲ ଡିସପ୍ଲେ ଏବଂ ହଟାସ୍‌ (ହ୍ୟାଣ୍ଡସ୍‌-ଅନ୍‌-ଥ୍ରଟଲ୍‌-ଆଣ୍ଡ୍‌-ଷ୍ଟିକ୍‌) ନିୟନ୍ତ୍ରଣ ଅନ୍ତର୍ଭୁକ୍ତ ରହିଛି ବୋଲି ଚୀନ ଦାବି କରିଥାଏ।

ସୁରକ୍ଷା ସମ୍ପର୍କିତ ଚିନ୍ତା

ଏଫ୍‌-୭ ବିଜିଆଇ ମିଗ୍‌-୨୧ ଅପେକ୍ଷା ଉନ୍ନତ ହେଲେ ମଧ୍ୟ, ଏହାର ପୁରୁଣା ଏୟାରଫ୍ରେମ୍‌ ଡିଜାଇନ୍‌ ଏବଂ "ସଂକୀର୍ଣ୍ଣ ସୁରକ୍ଷା ମାର୍ଜିନ୍‌" ହେତୁ ଏହା ଅନ୍ୟ ଆଧୁନିକ ଜେଟ୍‌ଗୁଡ଼ିକ ତୁଳନାରେ ଅଧିକ ଦୁର୍ଘଟଣା ହାର ଦେଖାଯାଇଥାଏ। ଯାହା ପାଇଲଟମାନଙ୍କୁ ଏହି ବିମାନ ଉଡାଣରେ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। ବିଶେଷ କରି ତାଲିମ ସମୟରେ ଅଧିକ ସାବଧାନତା ଅବଲମ୍ୱନ କରାଯାଇଥାଏ। ଏହି ବିମାନ ନିର୍ମାଣ କରୁଥିବା  ଚୀନ୍‌ର ମୂଳ ନିର୍ମାତା କମ୍ପାନିଗୁଡିକର ଆଫ୍ଟର-ସେଲ୍ ସେବା ଏବଂ ରକ୍ଷଣାବେକ୍ଷଣ ସମର୍ଥନ ମଧ୍ୟ ବାଂଲାଦେଶ ବାୟୁସେନା ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ୨୦୨୫ରେ ଏହା ଦ୍ୱିତୀୟ ଏଫ୍‌-୭ ଦୁର୍ଘଟଣା, ଯେଉଁଠାରେ ଜୁନ୍‌ ମାସରେ ବଙ୍ଗୋପସାଗରରେ ଏକ ସମାନ ଘଟଣା ଘଟିଥିଲା।

ତଦନ୍ତ ଓ ପ୍ରତିକ୍ରିୟା

ବାଂଲାଦେଶ ସେନା ଏହି ଦୁର୍ଘଟଣାର କାରଣ ଅନୁସନ୍ଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ଦୁର୍ଘଟଣାସ୍ଥଳରୁ ଉଦ୍ଧାର ଓ ଅଗ୍ନିନିର୍ବାପଣ କାର୍ଯ୍ୟ ଜାରି ରହିଛି। ଯେଉଁଠାରେ ଅଗ୍ନିଶମ ବାହିନୀ ଏବଂ ସୁରକ୍ଷା କର୍ମୀମାନେ କାର୍ଯ୍ୟ କରୁଛନ୍ତି। ବାଂଲାଦେଶ ସରକାର ମଙ୍ଗଳବାର ଦିନ ଏକ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

ଏହି ଘଟଣା ଚୀନ୍‌ ନିର୍ମିତ ସାମରିକ ଉପକରଣର ଗୁଣବତ୍ତା ଏବଂ ଢାକା ପରି ଜନବହୁଳ ସହରୀ ଅଞ୍ଚଳରେ ନିମ୍ନ-ଉଚ୍ଚତାରେ ତାଲିମ ଅଭିଯାନର ସୁରକ୍ଷା ଉପରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।