ପୁରୀ,୧୫/୧୨: ଦେଶରେ ଧନୁସଂକ୍ରାନ୍ତି ଡିସେମ୍ବର ୧୫ ତାରିଖ ରବିବାର ପାଳନ ହେବାକୁ ଯାଉଛି । ମାତ୍ର ଆମ ରାଜ୍ୟରେ ୧୬ ତାରିଖ ସୋମବାର ଧନୁସଂକ୍ରାନ୍ତି ପାଳନ ନେଇ ବିଭିନ୍ନ ପାଞ୍ଜିରେ ଉଲ୍ଲେଖ ରହିଛି । ଏଣୁ କେଉଁ ଦିନ ଧନୁସଂକ୍ରାନ୍ତି ପାଳନ କରାଯିବ ତାହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ କିନ୍ତୁ ୧୬ରେ ଧନୁସଂକାନ୍ତି ପାଳନ ହେବ ବୋଲି ଜଣାପଡ଼ିଛି ।
ଜ୍ୟୋତିର୍ବିଦ୍ୟା ବାଚସ୍ପତି ବୈକୁଣ୍ଠନାଥ ନାୟକ କହିଛନ୍ତି, ଏଭଳି ବିଭ୍ରାଟ ପଠାଣିସାମନ୍ତଙ୍କ ଅମଳରୁ ଲାଗିରହିଛି । ସେଥିଲାଗି ସେ ସିଦ୍ଧାନ୍ତ ଦର୍ପଣ ରଚନା କରିଥିଲେ । ଆଶା ଥିଲା ଏହା ବିଭ୍ରାଟ ଦୂର କରିବ । ମାତ୍ର ହୀନ ଚକ୍ରାନ୍ତରୁ ବିଭ୍ରାନ୍ତ କରିବା ଭଳି ବିଭିନ୍ନ ପଞ୍ଜିକାରେ ସମୟ ପ୍ରକାଶ କରାଯାଉଛି । ଭାରତବର୍ଷର ସର୍ବତ୍ର ପଞ୍ଚାଙ୍ଗ ଗଣନାରେ ସୂର୍ଯ୍ୟ ଧନୁ ରାଶିକୁ ରାତ୍ର ୧୦ଟା ପରେ ଚଳନ କରିବେ । ଏଣୁ ସର୍ବତ୍ର ରବିବାର ଧନୁସଂକ୍ରାନ୍ତି ପାଳନ ହେବ । କେବଳ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଗଣନା ଆଧାରରେ ଓଡ଼ିଶାରେ ପର୍ବପର୍ବାଣି ସ୍ଥିର କରାଗଲେ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୁଅନ୍ତା ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି ।