କୋଲକାତା,୯।୪: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁସଲମାନ ସମ୍ପ୍ରଦାୟର ସମ୍ପତ୍ତିର ସୁରକ୍ଷା କଥା କହିଛନ୍ତି। ସବୁଠାରୁ ଖାସ୍ କଥା ଏହା ଯେ, ତାଙ୍କର ଏହି ବୟାନ ସେହି ସମୟରେ ଆସିଛି, ଯେତେବେଳେ ରାଜ୍ୟରେ ଓ୍ବାକଫ୍ ଆଇନକୁ ନେଇ ଜୋରଦାର ହିଂସାକାଣ୍ଡ ଚାଲିଛି। ମମତା କହିଛନ୍ତି, ମନେ ରଖନ୍ତୁ ଆପଣଙ୍କ ଦିଦି ହିଁ ଆପଣଙ୍କ ସମ୍ପତ୍ତିର ରକ୍ଷା କରିବ।
ସିଏମ୍ ମମତା ବାନାର୍ଜୀ ବିଶ୍ବ ନଭକାର ମହାମନ୍ତ୍ର ଦିବସ କାର୍ଯ୍ୟକ୍ରମରେ ପହଁଞ୍ଚିଥିଲେ। ଏହି ସମୟରେ ସେ ଏକତାର ଅପିଲ କରିଛନ୍ତି ଓ କହିଛନ୍ତି ଧର୍ମ ଆଧାରରେ ପଶ୍ଚିମବଙ୍ଗରେ ବିଭାଜନ ହେବାକୁ ଦେବୁନି। ଇଣ୍ଡିଆ ଟୁଡୋର ରିପୋର୍ଟ ଅନୁସାରେ, ସେ କହିଛନ୍ତି କିଛି ଲୋକ ପଚାରୁଛନ୍ତି ମୁଁ ସବୁ ଧର୍ମର ସ୍ଥାନକୁ କାହିଁକି ଯାଉଛି। ମୁଁ କହୁଛି ମୁଁ ପୁରା ଜୀବନ ସେଠାକୁ ଯିବା ଜାରି ରଖିବି।’

ମମତା କହିଛନ୍ତି, ଆପଣ ପଛେ ମୋତେ ଗୁଳି ମାରି ଦିଅନ୍ତୁ, କିନ୍ତୁ ଆପଣ ମୋତେ ଏକତାରୁ ଅଲଗା କରିପାରିବେ। ପଶ୍ଚିମବଙ୍ଗରେ କୌଣସି ବିଭାଜନ ହେବାକୁ ଦିଆଯିବନି। ବଞ୍ଚ ଓ ବଞ୍ଚିବାକୁ ଦିଅ। ଯଦି କାହାକୁ ମୋର ସମ୍ପତ୍ତି ନେବାର ଅଧିକାର ନାହିଁ, ତେବେ ମୁଁ କିଭଳି କହିପାରିବି ଅନ୍ୟ କାହାର ସମ୍ପତ୍ତି ନିଆଯିବ ? ଆମକୁ ୩୦%କୁ ନେଇ ମଧ୍ୟ ସାଙ୍ଗରେ ଚାଲିବାକୁ ହେବ। ମନେ ରଖନ୍ତୁ ଦିଦି ଆପଣଙ୍କ ସମ୍ପତ୍ତିର ରକ୍ଷା କରିବେ। ଉଲ୍ଲେଖନୀୟ ଯେ, ଓ୍ବାକଫ୍ ଆଇନକୁ ନେଇ ମୁର୍ସିଦାବାଦରେ ଉପଦ୍ରବକାରୀମାନେ ବହୁ ବାହନରେ ନିଆଁ ଲଗାଇ ଦେଇଥିଲେ। ଏହା ସହ ପୋଲିସ ସହ ସଂଘର୍ଷ ହୋଇଥିଲା। ୮ ଅପ୍ରେଲରୁ ଓ୍ବାକଫ୍ ଆଇନ ଲାଗୁ ହୋଇଛି।