ଭୁବନେଶ୍ୱର ୧୧/୦୪: ବ୍ୟାୟାମ ପରେ ମାଂସପେଶୀରେ ଯନ୍ତ୍ରଣା ବା ଟାଣି ହେବା ସାଧାରଣ କଥା । ବିଶେଷକରି ନୂଆ ନୂଆ ବ୍ୟାୟାମ ଆରମ୍ଭ କରୁଥିଲେ କିମ୍ବା ଦୀର୍ଘ ସମୟ ପରେ ବ୍ୟାୟାମ ଆରମ୍ଭ କରୁଥିଲେ । ଏହି ସ୍ଥିତି ୱର୍କଆଉଟ୍‌ର ୧୨ରୁ ୨୪ ଘଣ୍ଟା ପରେ ଆସିଥାଏ । ଆଉ ୪୮ରୁ ୭୨ ଘଣ୍ଟା ଯାଏ ଯନ୍ତ୍ରଣା ରହିଥାଏ । ଏହି ଯନ୍ତ୍ରଣା ସଙ୍କେତ ଦିଏ ଯେ ମାଂସପେଶୀ କ୍ରମଶଃ ସୁସ୍ଥ ହେବା ପ୍ରକ୍ରିୟା ଆଡକୁ ଚାଲିଛି ଓ ଧୀରେ ଧୀରେ ମଜଭୁତ ହେଉଛି । ଏହା କୌଣସି ନକାରାତ୍ମକ ସଙ୍କେତ ନୁହେଁ । ତଥାପି ଏହା ଉପରେ ଧ୍ୟାନ ଦେବା ଜରୁରି । ନଚେତ୍‌ ନିୟମିତ ଜୀବନଶୈଳୀ ପ୍ରଭାବିତ ହେବା ସହ ୱର୍କଆଉଟ୍‌ରେ ବାଧା ଆସିପାରେ । ତେଣୁ ବ୍ୟାୟାମ ପରେ ମାଂସପେଶୀରେ ଥିବା ଯନ୍ତ୍ରଣାକୁ ସହଜରେ ନିୟନ୍ତ୍ରିତ କରିବାକୁ ପ୍ରୟାସ କରିବା ଉଚିତ୍‌ । 

ଆବଶ୍ୟକ ପାଣି ପିଇବା ସହ ନିଦ ପୁରା କରନ୍ତୁ :

ପାଣିର ଅଭାବ ମାଂସପେଶୀ ଯନ୍ତ୍ରଣାକୁ ବଢାଇଥାଏ । ତେଣୁ ବ୍ୟାୟାମ ପରେ ଶରୀର ପାଇଁ ଆବଶ୍ୟକ ପାଣି ନିଶ୍ଚୟ ପିଅନ୍ତୁ । ତା’ ସହିତ ଭଲ ନିଦରେ ଶୋଇବା ଦ୍ୱାରା ମାଂସପେଶୀକୁ ପୁର୍ନଃ ନିର୍ମାଣର ସୁଯୋଗ ମିଳିଥାଏ । ପାଣି ସାଙ୍ଗକୁ ନଡିଆ ପାଣି ଓ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରକୁ ଇଲେକ୍ଟ୍ରେଲାଇଟସ୍‌ ମଧ୍ୟ ମିଳିଯାଇଥାଏ । 

ଷ୍ଟ୍ରେଚିଂ କରନ୍ତୁ :

ୱର୍କ ଆଉଟ୍‌ ପରେ ହାଲ୍‌କା ଷ୍ଟ୍ରେଚିଂ କରନ୍ତୁ । ମାଂସପେଶୀ ରିଲାକ୍ସ ହେବାରେ ସହଯୋଗ ମିଳିବ । ଷ୍ଟ୍ରେଚିଂ କରିବା ଦ୍ୱାରା ରକ୍ତ ସଞ୍ଚାଳନା ତୀବ୍ର ହୋଇଥାଏ । ଫଳରେ କୋଷଗୁଡିକର ପୁନଃ ନିର୍ମାଣ ହୋଇଥାଏ । ଷ୍ଟ୍ରେଚିଂ କରିବା ଦ୍ୱାରା ମାଂସପେଶୀର ନମନୀୟତା ବଢିଥାଏ । ତେଣୁ ଆଘାତ ଲାଗିବାର ଆଶଙ୍କା କମ୍‌ ରହିଥାଏ । 

କୋଲ୍ଡ ଥେରାପୀ ଆପଣାନ୍ତୁ :

ଯାହାର ମାଂସପେଶୀରେ ଜ୍ୱଳନ ବା ଯନ୍ତ୍ରଣା ଅନୁଭବ ହେଉଥିବ, ସେମାନଙ୍କ ପାଇଁ କୋଲ୍ଡ ଥେରାପୀ ବା ଶୀତଳ ଉପଚାର ଖୁବ୍‌ ଲାଭଦାୟକ ହୋଇଥାଏ । ବିଶେଷକରି ୱର୍କଆଉଟ୍‌ ପରେ ହାଲ୍‌କା ଯନ୍ତ୍ରଣାକୁ ଦୂର କରିବା ପାଇଁ କୋଲ୍ଡ ଥେରାପୀ ବେଶ୍‌ ଉପଯୋଗୀ ।