ଭୁବନେଶ୍ୱର, ୨୨।୩: ରାଜ୍ୟର ମେଡିକାଲ କଲେଜଗୁଡ଼ିକରୁ ସର୍ବୋତ୍କୃଷ୍ଟ ଡାକ୍ତର ସୃଷ୍ଟି କରିବା ପାଇଁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ, ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ରୋଗୀଙ୍କ ପ୍ରତି ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ ସମ୍ପର୍କରେ ଶିକ୍ଷା ଦିଆଯିବ । ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ପାଇଁ ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବାତାବରଣ ସୃଷ୍ଟି କରାଯିବ । ରାଜ୍ୟରେ କିଛିକାଂଶରେ ମେଡିକାଲ କଲେଜରେ ଡାକ୍ତର ପଦବି ଖାଲିପଡ଼ିଛି । ଆମ ରାଜ୍ୟରୁ ବହୁ ଦକ୍ଷ ଓ ସ୍ୱନାମଧନ୍ୟ ଡାକ୍ତର ବାହାରେ ରହି କାର୍ଯ୍ୟ କରୁଛନ୍ତି ।
ସେମାନେ ନିଜ ମାଟି ଓ ନିଜ ଲୋକଙ୍କ ପାଇଁ ଆସି ସେବା ଯୋଗାନ୍ତୁ ବୋଲି ଡିରେକ୍ଟୋରେଟ୍ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ଟ୍ରେନିଂ(ଡିଏମ୍ଇଟି)ର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଥିବା ପ୍ରଫେସର ଡାକ୍ତର ଦୁର୍ଗା ମାଧବ ଶତପଥୀ କହିଛନ୍ତି । ସେ କହିଛନ୍ତି, ରାଜ୍ୟରେ ନର୍ସଙ୍କଠାରୁ ପାରାମେଡିକାଲ, ଫାର୍ମାସିଷ୍ଟ ଓ ଲାବୋରେଟୋରୀ ଟେକ୍ନିସିଆନ୍ଙ୍କ ପର୍ଯ୍ୟନ୍ତ ଅଭାବ ରହିଛି । ରାଜ୍ୟ ସରକାର ଏହି ସବୁ ପଦବି ପୂରଣ ଲାଗି ପଦକ୍ଷେପ ନେଉଛନ୍ତି । ତଥାପି ଏସବୁ ପଦବି ଶୀଘ୍ର ପୂରଣ ପାଇଁ ଧ୍ୟାନ ଦିଆଯିବ । ଫଳରେ ଚିକିତ୍ସା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ।
ଆହୁରି ପଢନ୍ତୁ-ବୀରମିତ୍ରପୁରରେ ପ୍ରବୀଣଭାଇ ତୋଗାଡ଼ିଆ: ହିନ୍ଦୁମାନଙ୍କୁ ୩ ସନ୍ତାନ ପରିବାର ଓ ଜାଗ୍ରତ ହେବାକୁ ଦେଲେ ପରାମର୍ଶ
ରାଜ୍ୟରେ ଆଇସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ରାଜ୍ୟରେ ପିଜି ଛାତ୍ରଛାତ୍ରୀମାନେ ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ସେବା ଯୋଗାଉଛନ୍ତି । ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ପଦକ୍ଷେପ ନିଆଯିବ । ଫଳରେ ସେମାନେ ସୁସ୍ଥ ମାନସିକତା ନେଇ କାର୍ଯ୍ୟ କରିପାରିବେ । ରାଜ୍ୟ ସରକାର ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ଯାଉଛନ୍ତି । ଏଥିରେ ଏମ୍ବିବିଏସ୍ ସହିତ ପିଜି ସିଟ୍ ମିଳିବା ନେଇ ପଦକ୍ଷେପ ନିଆଯିବ । ବର୍ତ୍ତମାନ ଥିବା ମେଡିକାଲ କଲେଜରେ ନୂଆ ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ଆରମ୍ଭ କରିବାକୁ ପଦକ୍ଷେପ ନିଆଯିବ । ଏଥିପାଇଁ ନ୍ୟାସନାଲ ମେଡିକାଲ କମିଶନଙ୍କ ସହ ଯୋଗାଯୋଗ କରାଯିବ । ରାଜ୍ୟ ସରକାର ଯେଉଁ ଭରସା ଦେଇ ଡିଏମ୍ଇଟି ଦାୟିତ୍ୱ ଦେଇଛନ୍ତି, ତାହାକୁ ଠିକ୍ ଭାବେ ନିର୍ବାହ କରିବା ଲାଗି ରାଜ୍ୟବାସୀଙ୍କ ସହଯୋଗ ଆବଶ୍ୟକ ବୋଲି ପ୍ରଫେସର ଡା.ଶତପଥୀ କହିଛନ୍ତି ।