ଭଞ୍ଜନଗର,୨୫/୪ : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଧ ପଞ୍ଚାୟତ କଳାସୁତା ଗ୍ରାମରେ ଶନିବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୌଣସି କାରଣକୁ କେନ୍ଦ୍ର କରି ଘର ଭିତରେ ଗୋଟିଏ ଦୁଲାରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ବୃଦ୍ଧ ଦମ୍ପତି । ଆତ୍ମହତ୍ୟାର କାରଣ ସ୍ୱଷ୍ଟ ହୋଇ ନ ଥିଲେ ବି ଅନ୍ୟ ଉପରେ ବୋଝ ନ ହେବାକୁ ଚରମ ନିଷ୍ପତ୍ତି ନେଇ ଏଭଳି ଘଟଣା ଘଟାଇଥିବା କୁହାଯାଉଛି। ମୃତ ଦମ୍ପତ୍ତି ହେଲେ ୬୫ ବର୍ଷୀୟ ସୀମାଞ୍ଚଳ ବିଷୋୟୀ(ସ୍ବାମୀ) ଓ ୬୦ ବର୍ଷୀୟ ନମିତା ବିଷୋୟୀ(ସ୍ତ୍ରୀ)। ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ପରିବାର ଲୋକଙ୍କୁ ଅଧିକ ପଚରାଉଚରା କରୁଛି ।

ଗତ ୨୧ତାରିଖ ମଙ୍ଗଳ ବାର ସୀମାଞ୍ଚଳ ଓ ନମିତା ନିଜ ସାନ ଝିଅକୁ ବିବାହ ଦେଇଥିଲେ। ଗତକାଲି ଝିଅର ଶାଗ ମାଛ ଥିଲା। ହେଲେ କାଲିର ସବୁ କାର୍ଯ୍ୟକ୍ରମ ସରିବା ପରେ ବିଳମ୍ବିତ ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ସିମାଞ୍ଚଳ ବିଷୋୟୀଙ୍କ ପ୍ରଥମ ପତ୍ନୀଙ୍କ ୪ଟି ଝିଅ ଥିଲେ। ପିଲାମାନେ ଛୋଟ ଛୋଟ ଥିବା ବେଳେ ତାଙ୍କର ପତ୍ନୀ ବିୟୋଗ ଘଟିଥିଲା। ଏଣୁ ସିମାଞ୍ଚଳ ଏହାପରେ ନମିତାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ସିମାଞ୍ଚଳ ଓ ନମିତାଙ୍କ ପୁଣି ଗୋଟିଏ ପୁଅ ଓ ଗୋଟିଏ ଝିଅ ଏହିପରି ଦୁଇଟି ସନ୍ତାନ ଜନ୍ମ ନେଇଥିଲେ। ୬ ମାସ ପୂର୍ବେ ସିମାଞ୍ଚଳଙ୍କ ଏକମାତ୍ର ପୁଅ ଦାଦନ ଖଟିବାକୁ ଯାଇଥିବାବେଳେ ବାହାର ରାଜ୍ୟ ତାମିଲନାଡୁରେ ଆକସ୍ମିକ ଭାବେ ମୃତ୍ୟୁ ବରଣ କରିଥିଲେ। ଏଥିରେ ଉଭୟ ସିମାଞ୍ଚଳ ଓ ନମିତା ଭାଙ୍ଗି ପଡ଼ିଥିଲେ। ପୂର୍ବରୁ ୪ ଝିଅଙ୍କ ବିବାହ ସରିଥିବାବେଳେ ସାନ ଝିଅର ବିବାହ ଚଳିତ ମାସ ୨୧ତାରିଖରେ କରିଥିଲେ।

ଶୁକ୍ରବାର ସାନଝିଅର ଶାଗମାଛ ବିଧାନ ସାରିବା ପରେ ଉଭୟ ପତିପତ୍ନୀ ବିଳମ୍ବିତ ରାତିରେ ନିଜ ଘର ଭିତରେ ଏକ ରଶି ସାହାଯ୍ୟରେ ଏକାଥରକେ ଝୁଲି ପଡ଼ିଛନ୍ତି। ଏକମାତ୍ର ପୁଅର ଆକସ୍ମିକ ମୃତ୍ୟୁ ପରେ ଝିଅମାନଙ୍କ ଉପରେ ବୋଝ ନହେବାକୁ ହୁଏତ ଉଭୟ ସିମାଞ୍ଚଳ ଓ ନମିତା ଏଭଳି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି ବୋଲି ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ସୂଚନା ଦେଇଛନ୍ତି। ଏଭଳି ଘଟଣା ପରେ କଳା ସୂତା ଗ୍ରାମ ସ୍ତବ୍ଧ ହୋଇଯାଇଛି।