ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗୋଲମରିଚ ଚାଷରୁ ମୁହଁ ମୋଡୁ଼ଛନ୍ତି ଚାଷୀ, ପ୍ରୋସେସିଂ ଓ ବଜାର ବ୍ୟବସ୍ଥା ହେଲେ ବଢିବ ଦର

Published By : Rasmita Pradhan | October 16, 2024 2:36 PM

ଜୟପୁର,୧୬/୧୦ : ଭିତ୍ତିଭୂମି ରହିଛି, କିନ୍ତୁ ପ୍ରୋତ୍ସାହନ ନାହିଁ । ଏହି କାରଣରୁ ଗୋଲମରିଚ ଚାଷରୁ ମୁହଁ ମୋଡୁଛନ୍ତି ଚାଷୀ । ବର୍ତ୍ତମାନ ଜିଲ୍ଲାରେ ଗୋଲମରିଚ ଚାଷର ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ସ୍ୱତନ୍ତ୍ର ଭାବେ ଏହି ଚାଷକୁ ଆଉ ଚାଷୀମାନେ କରୁନାହାନ୍ତି । କେବଳ କଫି ଚାଷୀମାନେ ହିଁ ଛାଇ ପାଇଁ ଏହି ଚାଷ କରୁଛନ୍ତି । ଅନ୍ୟପକ୍ଷରେ ଏହାର ମୂଲ୍ୟ ଦିନକୁ ଦିନ ବଢିଚାଲିଛି । ଏହାର ଔଷଧୀୟ ଗୁଣ ଓ ରୋଷେଇଶାଳରେ ଆବଶ୍ୟକତା ହିସାବରେ ଚାଷ ହେଉନାହିଁ । ବର୍ତ୍ତମାନ ଜିଲ୍ଲାରେ ଗୋଲମରିଚ କେଜି ପିଛା ୬୦୦ ଟଙ୍କା ରହିଛି । ବାହାର ଅଞ୍ଚଳର ବେପାରୀ ଏଠାରୁ ସ୍ୱଳ୍ପ ମୂଲ୍ୟରେ କିଣି ନେଉଛନ୍ତି । ସେମାନେ ତାକୁ ପ୍ରୋସେସିଂ କରି କିଲୋ ପ୍ରତି ହଜାରେରୁ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି । ଜିଲ୍ଲାରେ ସ୍ୱତନ୍ତ୍ର ପ୍ରୋସେସିଂ ୟୁନିଟ୍‌ ସ୍ଥାପନ ସହିତ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ହେଲେ ଚାଷୀ ଲାଭବାନ ହେବେ। ଏଥିପାଇଁ ସ୍ୱତନ୍ତ୍ର ମିଶନ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି ।  

କୋରାପୁଟ ଜିଲ୍ଲାର ଜଳବାୟୁ ବିଭିନ୍ନ ଚାଷ ପାଇଁ ଉତ୍କୃଷ୍ଟ । ବିଭିନ୍ନ ଖାଦ୍ୟ ଶସ୍ୟ, ଡାଲି ଜାତୀୟ ଓ ଉଦ୍ୟାନ କୃଷି ଚାଷ ଏଠାରେ ବହୁ ପରିମାଣରେ ହେଉଛି । ଜିଲ୍ଲାରେ ପ୍ରାୟ ୩ ହଜାର ହେକ୍ଟର ଜମିରେ ଗୋଲମରିଚ ଚାଷ ହେଉଛି । ଏହା କେବେଳ କଫି ବାଡ଼ରେ ଛାଇ ପାଇଁ ହିଁ ଚାଷ ହେଉଛି । ବିଶେଷକରି ଜିଲ୍ଲାର ଦଶମନ୍ତପୁର, ଲକ୍ଷ୍ମୀପୁର, ଲମତାପୁଟ, ନନ୍ଦପୁର, କୋରାପୁଟ ଓ ସେମିଳିଗୁଡ଼ା ବ୍ଲକରେ ବ୍ୟାପକ ପରିମାଣରେ ହେଉଛି । ପେନିୟର-୧, ପେନିୟର-୨, ଗିରିମୁଣ୍ଡା, ଖରିମୁଣ୍ଡା ଆଦି କିସମର ଗୋଲମରିଚ ଚାଷ ହେଉଛି । ପେନିୟର-୧ କିସମ ଅଧିକା ଚାଷ ଓ ଉତ୍ପାଦନ ହେଉଛି । ଫେବ୍ରୁଆରୀ ମାସ ଶେଷ ଓ ମାର୍ଚ୍ଚ ଆରମ୍ଭରୁ ନର୍ସରୀରେ ଚାରା କରାଯାଇ ଜୁଲାଇ ମାସ ସୁଦ୍ଧା ଛାଇ ଚାଷ ସମୟରେ ଏହି ଚାଷ ଆରମ୍ଭ କରାଯାଏ । ପ୍ରାୟ ୪ ବର୍ଷ ପରେ ହିଁ ଉତ୍ପାଦନ ହୋଇଥାଏ । ଗୋଟାଏ ଗଛ ପ୍ରାୟ ୩୫ ଫୁଟ୍‌ ଉପରକୁ ଉଠିଥାଏ । 

ସେହିପରି ସେଠାରୁ ୨୫ କେଜି ପର୍ଯ୍ୟନ୍ତ ଗୋଲମରିଚ ବାହାରିଥାଏ । ଉତ୍ପାଦନ ପରେ ଏଠାରେ ପ୍ରୋସେସିଂ ୟୁନିଟ୍‌ ନଥିବାରୁ ଅଳ୍ପ ଦରରେ ଚାଷୀ ବିକ୍ରି କରନ୍ତି । ସ୍ଥାନୀୟ ଅଞ୍ଚଳରେ କେହି ଏହାକୁ ଗୁରୁତ୍ୱ ଦେଉ ନଥିବାରୁ ଏହାର ଫାଇଦା ଉଠାଉଛନ୍ତି ବାହାର ଅଞ୍ଚଳର ବ୍ୟବସାୟୀ । ଜିଲ୍ଲାରୁ କମ୍‌ ମୂଲ୍ୟରେ ଏହାକୁ କିଣି ନେଉଛନ୍ତି । ସରକାର ଏହି ଚାଷକୁ ପ୍ରୋତ୍ସାହନ ଦେଇ ଚାଷୀଙ୍କୁ ସରକାରୀ ସହାୟତା ଦେଲେ ଅଞ୍ଚଳର ବହୁ ଚାଷୀ ଉପକୃତ ହୋଇପାରିବେ । ଏହି ଚାଷ ପ୍ରତି ସେମାନେ ଅଧିକ ଆକୃଷ୍ଟ ହେବେ । ଯାହାକୁ ସହମତି ଜଣାଇଛନ୍ତି କଫି ବୋର୍ଡର ଏସ୍‌ଏଲ୍‌ଓ ଉପେନ୍ଦ୍ର ସାହା ।  

ଲକ୍ଷ୍ମୀପୁର ଅଞ୍ଚଳର ଚାଷୀ ବିକାଶ ବେହେରା କହିଛନ୍ତି, ଏହି ଚାଷ ପାଇଁ କୋରାପୁଟ ଜିଲ୍ଲାରେ ପାଣିପାଗ ଓ ପରିବେଶ ବହୁତ୍‌ ଭଲ ରହିଛି । କିନ୍ତୁ ସରକାରୀସ୍ତରରେ କୌଣସି ପ୍ରୋତ୍ସାହନ ନାହିଁ । ଏହି କାରଣରୁ ଚାଷୀମାନେ ଆଗ୍ରହ ଦେଖାଉନାହାନ୍ତି । ସେ କଫି ଚାଷ କରୁ ଥିବାରୁ ଛାଇ ପାଇଁ ଏହି ଚାଷ କରୁଛନ୍ତି । ସେହିପରି ଲମତାପୁଟ ଅଞ୍ଚଳର ଚାଷୀ ଦୀନବନ୍ଧୁ ଗେମେଲ୍‌ କହିଛନ୍ତି, କଫି ଚାଷ ପାଇଁ ଛାଇ ଜରୁରୀ । ଏଥିପାଇଁ ସେ ଏହି ଚାଷ କରୁଛନ୍ତି । କଫି ପାଇଁ ଯେଉଁଭଳି ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି, ଏହି ଚାଷ ପ୍ରୋତ୍ସାହନ କରାଗଲେ ଚାଷ ବୃଦ୍ଧି ପାଇବ । ସେହିପରି ପ୍ରୋସେସିଂ ୟୁନିଟ୍‌ କରାଯାଇ ବଜାରି କରଣ ବ୍ୟବସ୍ଥା କଲେ ଚାଷୀମାନେ ଉପକୃତ ହେବା ସହ ଏହି ଚାଷ ପ୍ରତି ଆତ୍କୃଷ୍ଟ ହେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.