ନୂଆଦିଲ୍ଲୀ, ୨୫/୧୦ : ନୂଆ ସାମ୍ରାଜ୍ୟ ଗଢିବାକୁ ଇ-ୱାଲେଟରେ ଚାନ୍ଦା ମାଗୁଛି ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ। ପାକିସ୍ତାନ ଉପରେ ବର୍ଷିଲା ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (FATF)। ଜୈଶର ଫଣ୍ଡ୍ ଯୋଗାଡ଼କୁ ନେଇ ଦେଲା କଡ଼ା ଚେତାବନୀ। ଗ୍ରେ ଲିଷ୍ଟରୁ ବାହାରିବା ଅର୍ଥ ନୁହେଁ ଆତଙ୍କବାଦୀଙ୍କୁ ଫଣ୍ଡିଂ ଏବଂ ଅର୍ଥ ହେରଫେର୍ କରିବାକୁ ଲାଇସେନ୍ସ ମିଳିଗଲା।
ଏଫଏଏଟିଏଫ୍ର ସଭାପତି ଏଲିସା ଦି ଏଣ୍ଡା ମ୍ୟାଡରାଜୋ କହିଛନ୍ତି ଯେ, ଗ୍ରେ ଲିଷ୍ଟରୁ ବାହାରିବା ପରେ ପାକିସ୍ତାନ ଉପରେ ନଜର ରଖାଯାଇଥିଲା। ପାକିସ୍ତାନରେ ଆତଙ୍କୀ ଗତିବିଧି ପାଇଁ ଇ-ୱାଲେଟ୍ ବ୍ୟବହାର ହେଉଥିବା ନେଇ ସୂଚନା ମିଳିଛି। ବିଶ୍ଵରେ ଆତଙ୍କୀ ଗତିବିଧି ପାଇଁ ହେଉଥିବା ଫଣ୍ଡିଂ ଉପରେ ନଜର ରଖିବା ହେଉଛି ଏଫଏଟିଏଫ୍ର କାମ। ପାକିସ୍ତାନକୁ ଗ୍ରେ ଲିଷ୍ଟରୁ ବାହାର କରିବା ଅର୍ଥ ଆତଙ୍କୀ ଗତିବିଧି ପାଇଁ ଲାଇସେନ୍ସ ମିଳିଗଲା। ତେବେ ଉତ୍ତର କୋରିଆ, ଇରାନ ଓ ମିଆଁମାର ଏବେବି ଏଫଏଟିଏଫର ବ୍ଲାକ ଲିଷ୍ଟରେ ଅଛନ୍ତି। ଏହି ଦେଶ ଗୁଡ଼ିକ ବୈଶ୍ଵିକ ଅର୍ଥ ବ୍ୟବସ୍ଥା ପାଇଁ ବିପଦ ବୋଲି ଏଫଏଟିଏଫ୍ କହିଛି। ସେହିପରି ନେପାଳ, ଅଲଜିରିଆ, ଅଙ୍ଗୋଲା, ବୁଲଗେରିଆ, କ୍ୟାମରୁନ, କୋଟ ଡି ଆଇବୋର, ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ, କେନିଆ, ଲାଓସ୍, ମୋନାକୋ, ନାମ୍ବିଆ, ଦକ୍ଷିଣ ସୁଡାନ, ସିରିଆ, ଭେନଜୁଏଲା, ଭିଏତନାମ ସମେତ ୧୮ ଦେଶ ଗ୍ରେ ଲିଷ୍ଟରେ ଅଛନ୍ତି। ଏହି ଦେଶଗୁଡ଼ିକ ସେମାନଙ୍କର ପ୍ରତିଶ୍ରୁତି ପୂରଣ କରିବାରେ କ୍ରମାଗତ ଭାବରେ ବିଫଳ ହୋଇଛନ୍ତି ଏବଂ ଏହା ଅନ୍ତର୍ଜାତୀୟ ଆର୍ଥିକ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରୁଛି ବୋଲି ଏଫଏଟିଏଫ୍ କହିଛି।
ସୂଚନା ଥାଉକି, ଅପରେସନ ସିନ୍ଦୂର ସମୟରେ ଭାରତ ପାକିସ୍ତାନର ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ଠିକଣା ଧ୍ଵଂସ କରି ଦେଇଥିଲା। ଏବେ ପୁଣି ଥରେ ନିଜର ସାମ୍ରାଜ୍ୟ ଠିଆ କରିବାକୁ ମସୁଦ ଅଜହର ଚାନ୍ଦା ମାଗୁଛି। ଡିଜିଟାଲ୍ ୱାଲେଟ୍ ଜରିଆରେ ଜୈଶ ଫଣ୍ଡ୍ ଯୋଗାଡ଼ କରୁଛି। ଇଜିପୈସା ଓ ସଦା ପେ ଭଳି ଇ-ୱାଲେଟ୍ସ ଜରିଆରେ ମସୁଦର ପରିବାର ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି। ଧାର୍ମିକ ଓ ଶିକ୍ଷାନୁଷ୍ଠାନ ସଂସ୍ଥା ନାଁରେ ଆତଙ୍କୀ ସଙ୍ଗଠନ ଏହି ଫଣ୍ଡ୍ ଯୋଗାଡ଼ କରୁଛି। ଅକ୍ଟୋବର ୨୨ରେ ପାକିସ୍ତାନକୁ ଏଫଏଟିଏଫ୍ ଗ୍ରେ ଲିଷ୍ଟରୁ ବାହାର କରାଯାଇଥିଲା। ଏବେ ପାକିସ୍ତାନ ପୁଣି ଆତଙ୍କୀ ଗତିବିଧିରେ ଲିପ୍ତ ଥିବାରୁ FATF ତାଗିଦ୍ କରିଛି।