ନୂଆଦିଲ୍ଲୀ,୩୦/୦୬; ୨୦୨୬ ଫିଫା ବିଶ୍ୱକପ୍ ପୂର୍ବରୁ ସବୁଠାରୁ ବଡ଼ ପ୍ରଶ୍ନ ଥିଲା କି ୪୮ ଦଳର ଏହି ଟୁର୍ଣ୍ଣାମେଣ୍ଟ ଏହାର ଗୁଣବତ୍ତା ବଜାୟ ରଖିବ କି ? ଅଧିକ ଦଳ ଯୋଡିବା ଦ୍ୱାରା ଛୋଟ ଦେଶମାନଙ୍କର ସଂଖ୍ୟା ବୃଦ୍ଧି ପାଇବ । ପ୍ରମୁଖ ଦଳଗୁଡ଼ିକ ପାଇଁ ପଥ ସହଜ ହେବ ବୋଲି ସମାଲୋଚକ ଦାବି କରିଥିଲେ । କିନ୍ତୁ ପ୍ରାରମ୍ଭିକ ନକଆଉଟ୍ ପର୍ଯ୍ୟାୟ ଏହି ଧାରଣାକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛି । ଏଥର ବିଶ୍ୱକପ ନିଶ୍ଚିତ ଭାବେ ବଡ଼ ହୋଇଛି । କେବଳ ବଡ଼ ନାମ ଥିବା ଟିମ୍ ସୁରକ୍ଷିତ ନାହାନ୍ତି । ହେଭିୱେଟ୍ ଟିମର ବି ପତନ ହୋଇଛି । ବ୍ରାଜିତ୍ ବଞ୍ଚିଯାଇଛି କିନ୍ତୁ ଜର୍ମାନୀ ଏବଂ ନେଦରଲାଣ୍ଡସ ବାଦ ପଡିଛନ୍ତି । ଚଳିତ ବିଶ୍ୱକପ୍‌ରେ ରାଉଣ୍ଡ-୩୨ରେ ଆଜି ୩ଟି ମ୍ୟାଚ ଖେଳାଯାଇଛି । ଭାରତୀୟ ସମୟ ଅନୁଯାୟୀ, ସକାଳ ୬.୩୦ ମିନିଟ୍‌ରେ ନେଦରଲାଣ୍ଡ୍‌ସ ବନାମ ମରକ୍କୋ ମଧ୍ୟ ମ୍ୟାଚ୍ ଖେଳାଯାଇଥିଲା । ଫିଫା ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ ଘଟିଛି । ନେଦରଲାଣ୍ଡସକୁ ବିଦା କରିଛି ମରକ୍କୋ । ୩ ଥରର ଫାନାଲିଷ୍ଟ ନେଦରଲାଣ୍ଡ୍ସକୁ ଶକ୍ତ ଝଟକା ଲାଗିଛି । ପେନାଲ୍ଟି ସୁଟଆଉଟରେ ୨-୩ରେ ମରକ୍କୋଠୁ ହାରିଛି ନେଦରଲାଣ୍ଡ୍ସ । ରାଉଣ୍ଡ ଅଫ୍ ୧୬ରେ ପ୍ରବେଶ କରିଛି ବିପର୍ଯ୍ୟୟ ସୃଷ୍ଟିକାରୀ ମରକ୍କୋ । ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୧-୧ରେ ଅମୀମାଂସିତ ରହିଥିଲା । ସେପଟେ କିଛି ସମୟ ପୂର୍ବରୁ ଖେଳାଯାଇଥିବା ଏକ ମ୍ୟାଚରେ ଜର୍ମାନୀକୁ ପେନାଲ୍ଟି ସୁଟଆଉଟ୍ ୪-୩ରେ ହରାଇଛି ପାରାଗୁଏ । ପେନାଲ୍ଟିରେ ଅପରାଜେୟ ଭାବେ ଜଣାଶୁଣା ଜର୍ମାନୀ ପେନାଲ୍ଟି ସୁଟ୍‌ଆଉଟ୍‌ରେ ହାରିଗଲା । ପାରାଗୁଏ ଜର୍ମାନୀକୁ ହରାଇ ବିଶ୍ୱକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ।

ଏହା ବି ପଢନ୍ତୁ...Aymen Hussein: ବାପାଙ୍କୁ ହତ୍ୟା ମାରିଥିଲେ ଅଲ-କାଏଦା, ଭାଇକୁ ଅପହରଣ କରିଛନ୍ତି ISIS; କନ୍ଦାଇ ଦେବ ଇରାକୀ ଷ୍ଟ୍ରାଇକର ହୁସେନଙ୍କ କାହାଣୀ  

ବଞ୍ଚିଗଲା ବ୍ରାଜିଲ- ଚଳିତ ବିଶ୍ୱକପରେ ବ୍ରାଜିଲ୍ ଓ କାନାଡ଼ା ବିଜୟ ଜାରି ରଖି ପ୍ରି-କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି । ରାଉଣ୍ଡ-୩୨ର ପ୍ରଥମ ମ୍ୟାଚ୍ରେ କାନାଡ଼ା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଉଭୟ ଦଳ ପ୍ରଥମ କରି ବିଶ୍ୱକପ ନକ୍ ଆଉଟ୍ ରାଉଣ୍ଡରେ ପ୍ରବେଶ କରିଥିଲେ । ଦ୍ୱିତୀୟ ମ୍ୟାଚରେ ବ୍ରାଜିଲ୍ ୨-୧ ଗୋଲ୍‌ରେ ଜାପାନକୁ ହରାଇଥିଲା । ପ୍ରଥମାର୍ଦ୍ଧରେ ଜାପାନ ଅଗ୍ରଣୀ ରହିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ବ୍ରାଜିଲ୍ ୨ଟି ଗୋଲ୍ କରି ବିଜୟୀ ହୋଇଥିଲା । ମ୍ୟାଚଟି ସଂଘର୍ଷପୂର୍ଣ୍ଣ ରହିବା ନିଶ୍ଚିତ ।

ସେହିପରି ରାତି ୧୦.୩୦ ମିନିଟ୍‌ରେ ଡାଲାସ ଷ୍ଟାଡିୟମ୍‌ରେ ଆଇଭରୀ କୋଷ୍ଟ ଓ ନରୱେ ସାମ୍ନା ସାମ୍ନି ହେବେ । ଏହି ମ୍ୟାଚରେ ନରୱେର ତାରକା ଖେଳାଳି ଏର୍ଲିଂ ହାଲାଣ୍ଡଙ୍କ ଉପରେ ଦର୍ଶକଙ୍କ ନଜର ରହିବା ସ୍ୱାଭାବିକ । ମାତ୍ର ଆଇଭରୀ କୋଷ୍ଟ ୱିଙ୍ଗର ୟାନ ଡିୟୋମଣ୍ଡେ ନରୱେ ପାଇଁ ଚିନ୍ତାର କାରଣ ସାଜିବେ । ରାତି ୨.୩୦ ମିନିଟ୍‌ରେ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା । ୨୦୧୮ ବିଶ୍ୱକପ୍ ଚାମ୍ପିଅନ୍ ଫ୍ରାନ୍ସ ନ୍ୟୁ ଜର୍ସି ଷ୍ଟାଡ଼ିୟମ୍ରେ ସ୍ୱିଡେନକୁ ଭେଟିବ । ବିଶ୍ୱକପ୍‌ରେ ୧୬ଟି ଗୋଲ୍ ସ୍କୋର କରିସାରିଥିବା କିଲିଆନ୍ ଏମବାପେ ଓ ନରୱେ ବିପକ୍ଷରେ ହ୍ୟାଟ୍ରିକ ଗୋଲ କରିଥିବା ଓସମାନ ଡେମ୍ବଲ ମୁଖ୍ୟ ଆକର୍ଷଣ ସାଜିବେ ।

ଏହା ବି ପଢନ୍ତୁ...Asian Games 2026: ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା; ୨ ପରିବର୍ତ୍ତନ, ହରମନଙ୍କ କାନ୍ଧରେ ଗୋଲ୍ଡ ରକ୍ଷା ଦାୟିତ୍ୱ