ପ୍ୟାରିସ୍‌,୧୪/୧୨: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ଶୁକ୍ରବାର ୭୩ ବର୍ଷୀୟ ଫ୍ରାଙ୍କୋଇସ୍‌ ବାୟରୁଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଫ୍ରାନ୍ସରେ ଗତ ୬ ମାସରେ ଦ୍ୱିତୀୟ ବଡ଼ ରାଜନୈତିକ ସଙ୍କଟ ଭିତରେ ଫ୍ରାଙ୍କୋଇସ୍‌ ଚଳିତ ବର୍ଷ ଦେଶର ଚତୁର୍ଥ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଗତ ସପ୍ତାହରେ ଫ୍ରାନ୍ସ ସଂସଦରେ ଅନାସ୍ଥା  ପ୍ରସ୍ତାବରେ ହାରିବା ପରେ ଦକ୍ଷିଣପନ୍ଥୀ ନେତା ମିଶେଲ  ବର୍ନିୟରଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟିବାକୁ ପଡ଼ିଥିଲା ।  

ସେଣ୍ଟ୍ରିଷ୍ଟ ନେତା ଫ୍ରାଙ୍କୋଇସ୍‌ ଦକ୍ଷିଣ-ପଶ୍ଚିମ ଫ୍ରାନ୍ସର  ପ୍ରମୁଖ ନେତାଙ୍କ ମଧ୍ୟରୁ ଅନ୍ୟତମ । ସେ ଫ୍ରାନ୍ସର ଶିକ୍ଷାମନ୍ତ୍ରୀ  ସହ ଦକ୍ଷିଣ-ପଶ୍ଚିମ ଫ୍ରାନ୍ସର ପଉ ସହରର ମେୟର  ମଧ୍ୟ ରହିଥିଲେ । ୨୦୧୭ରେ ରାଷ୍ଟ୍ରପତି ମାକ୍ରନ୍‌ଙ୍କ ବିଜୟ  ପରଠାରୁ ସେ ମାକ୍ରନ୍‌ଙ୍କ ବେଶ୍‌ ନିକଟତର ସହଯୋଗୀ  ରହିଛନ୍ତି । ଏବେ ଫ୍ରାଙ୍କୋଇସ୍‌ଙ୍କ ଆଗରେ ବଡ଼ ଚାଲେଞ୍ଜ  ହେଉଛି ୨୨୦୪ ବଜେଟ ଲାଗୁ କରିବା ପାଇଁ ସ୍ୱତନ୍ତ୍ର  ଆଇନ ଆଣିବାକୁ ପଡ଼ିବ । ଏହି ଆଇନ ଉପରେ ପୁଣି  ଶାସକ-ବିରୋଧୀ ମୁହାଁମୁହିଁ ହେବେ । ଏହି ବିଲ୍‌କୁ ନେଇ  ମିଶେଲ ବର୍ନିୟରଙ୍କ ପ୍ରଧାନମନ୍ତ୍ରୀ ପଦ ଯାଇଥିଲା ।