ମୁମ୍ୱାଇ - 'ନଜର କେ ସାମନେ ଜିଗର କେ ପାସ୍' ଭଳି ହୃଦୟସ୍ପର୍ଶୀ ଗୀତ ଲେଖିଥିବା ସମୀର ଅଞ୍ଜାନ ୪୦ ବର୍ଷରୁ ଅଧିକ ସମୟ ଧରି ଲୋକଙ୍କୁ ମନୋରଞ୍ଜନ ଯୋଗାଇ ଆସୁଛନ୍ତି। ନିଜ ଗୀତ ମାଧ୍ୟମରେ ସେ କେତେବେଳେ କନ୍ଦାଇଛନ୍ତି ତ କେତେବେଳେ ପ୍ରେମ କରିବା ଶିଖାଇଛନ୍ତି। ୪୦୦୦ରୁ ଅଧିକ ଗୀତ ଲେଖିଥିବା ସମୀରଙ୍କ ନାମରେ ଅନେକ ଅନନ୍ୟ ରେକର୍ଡ ରହିଛି। ତାଙ୍କ ଲେଖାରେ ଉତ୍ତର ପ୍ରଦେଶର ସଂସ୍କୃତି ସହ ଆଧୁନିକତାର ସ୍ପର୍ଶ ମଧ୍ୟ ଦେଖିବାକୁ ମିଳେ। କିନ୍ତୁ ଆପଣ ସମୀର ଅଞ୍ଜାନଙ୍କ ପ୍ରକୃତ ଜୀବନ ବିଷୟରେ ଜାଣନ୍ତି କି ? ବନାରସରୁ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା ସଫଳ ହୋଇଥିଲେ ମଧ୍ୟ ତାଙ୍କ ମନରୁ ବନାରସୀ ଅନ୍ଦାଜ୍ କେବେ ଯାଇନାହିଁ। ଚାଲନ୍ତୁ ତାଙ୍କ ବିଷୟରେ ଜାଣିବା ...

ସମୀରଙ୍କ ଜନ୍ମ :

ସମୀର ହେଉଛନ୍ତି ପ୍ରଖ୍ୟାତ ଗୀତିକାର ଲାଲଜୀ ପାଣ୍ଡେ ଓରଫ 'ଅଞ୍ଜାନ'ଙ୍କ ପୁଅ। ସେହି ଅଞ୍ଜାନ ଯିଏ ଅମିତାଭ ବଚ୍ଚନଙ୍କ ପାଇଁ 'ଖଇକେ ପାନ ବନାରସ ବାଲା' ଏବଂ 'ମେରେ ଅଙ୍ଗନେ ମେଁ ତୁମହାରା କ୍ୟା କାମ ହୈ' ଭଳି ସଦାବାହାର ଗୀତ ଲେଖି ଥିଲେ। ୧୯୫୮ ଫେବ୍ରୁଆରୀ ମାସରେ ଉତ୍ତର ପ୍ରଦେଶର ବନାରସରେ ଅଞ୍ଜାନଙ୍କ ଘରେ ଶୀତଳା ପାଣ୍ଡେ ଅର୍ଥାତ୍ ସମୀର ଜନ୍ମଗ୍ରହଣ କରି ଥିଲେ।

ଶୀତଳାରୁ ସମୀରହେବାର ଏମିତି ଥିଲାଯାତ୍ରା -

ଶୀତଳାଙ୍କୁ ଘରେ ସ୍ନେହରେ 'ରାଜନ' ବୋଲି ଡକାଯାଉ ଥିଲା। ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ର ଜଗତରେ ପାଦ ଦେବା ପରେ ସେ 'ସମୀର ଅଞ୍ଜାନ' ଭାବେ ପରିଚିତ ହେଲେ। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ଏକ ବ୍ୟାଙ୍କରେ ଚାକିରି କରି ଥିଲେ। ସେଠାରେ ସେ ଅଫିସର ପଦବୀରେ ଥିଲେ। କିଛି ଦିନ ଚାକିରି କରିବା ପରେ ଦିନେ ସେ ସେହି ଚାକିରି ଛାଡି ଦେଲେ। ସେ ସେତେବେଳକୁ ବୁଝି ସାରି ଥିଲେ ଯେ, ସରକାରୀ କାମରେ ତାଙ୍କର ମନ ଲାଗୁନି। ସେ ନିଜ ପିତାଙ୍କ ଭଳି ଜଣେ ଗୀତିକାର ହେବାକୁ ଚାହୁଁ ଥିଲେ। ନିଜର ଏହି ସ୍ୱପ୍ନ ପୂରଣ କରିବା ପାଇଁ ସେ ମୁମ୍ବାଇ ଚାଲି ଆସିଲେ।

ଫିଲ୍ମ ପାଇଁ ଗୀତ ଲେଖିବା ପୂର୍ବରୁ ସମୀର ନିଜ ପିତାଙ୍କ ସହ ଗୀତର ସିଟିଂ ପାଇଁ ଯାଉ ଥିଲେ। ସେଠାରେ ସେ କାମର ଶୈଳୀ ବୁଝି ଗଲେ। ଏହି ସମୟରେ ବଡ଼ ବଡ଼ କଳାକାରଙ୍କ ସହ ତାଙ୍କର ଭେଟ ହୋଇ ଥିଲା। କିଶୋର କୁମାରଙ୍କୁ ଭେଟିବା ସହ ତାଙ୍କ ଶୈଳୀ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ୧୯୮୩ରେ ରିଲିଜ୍ ହୋଇଥିବା ଫିଲ୍ମ 'ଏକ୍ ବାର୍ ଚଲେ ଆଓ' ପାଇଁ ସେ 'ଫିର ଦିଲ୍ ନେ ପୁକାରା' ଏବଂ 'ମୈ ହୁଁ ତେରେ ଲିୟେ' ଭଳି ଗୀତ ଲେଖି ଥିଲେ। ଏହା ପରେ ଫିଲ୍ମ 'ବେଖବର' ଏବଂ ପରେ ଏହି ସିଲସିଲା ଜାରି ରହିଲା।

ଏମିତି ମିଳିଥିଲା ପରିଚୟ :

ସମୀରଙ୍କୁ ପ୍ରକୃତ ପରିଚୟ ମିଳିଥିଲା ଗୋବିନ୍ଦା ଏବଂ ରାଜେଶ ଖାନ୍ନାଙ୍କ ଫିଲ୍ମ 'ସ୍ୱର୍ଗ'ର 'ଏ ମେରେ ଦୋସ୍ତ ଲୌଟ୍ କେ ଆଜା' ଗୀତରୁ। ଏହି ଫିଲ୍ମର ସମସ୍ତ ଗୀତ ସମୀର ଲେଖିଥିଲେ। କିନ୍ତୁ ତାଙ୍କ ଭାଗ୍ୟ ଚମକାଇଥିଲା ଆମିର ଖାନ୍ ଏବଂ ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ 'ଦିଲ୍'। ୧୯୯୦ରେ ଆସିଥିବା ଏହି ଫିଲ୍ମ ସେହି ସମୟର ସବୁଠାରୁ ବଡ଼ ହିଟ୍ ଫିଲ୍ମ ଥିଲା। ଏହାର ସବୁ ଗୀତ ଯେମିତିକି 'ମୁଝେ ନିନ୍ଦ ନା ଆଏ', 'ହମ୍ ପ୍ୟାର୍ କରନେ ୱାଲେ ହୈ' ଆଦି ସମୀର ହିଁ ଲେଖିଥିଲେ।

ଏହାସହ ମଧ୍ୟ ପଢନ୍ତୁ : ଏହିଥର ତ ରକ୍ଷା କରି ଦେଲି , ସବୁ ଥର ରକ୍ଷା କରି ପାରିବି ନାହିଁ : ପ୍ରଶଂସକଙ୍କୁ କାହିଁକି କହିଲେ ସୋନୁ ନିଗମ ?

୧୯୯୦ ମସିହାରେ ଆସିଥିବା ଫିଲ୍ମ 'ଆଶିକି' ପାଇଁ ସମୀର ୭ଟି ଗୀତ ଲେଖିଥିଲେ। ସେଗୁଡିକ ଥିଲା- 'ଜାନ୍-ଏ-ଜିଗର ଜାନେମନ', 'ମୈ ଦୁନିଆ ଭୁଲା ଦୁଙ୍ଗା', 'ତୁ ମେରି ଜିନ୍ଦେଗୀ ହୈ' ଏବଂ 'ନଜର କେ ସାମନେ ଜିଗର କେ ପାସ୍'। ଏହି ଗୀତ ପାଇଁ ସମୀର ଫିଲ୍ମଫେୟାର ଆୱାର୍ଡ ଜିତିଥିଲେ।

ସମୀର ନିଜ କ୍ୟାରିୟରରେ ୫୦୦ରୁ ଅଧିକ ଫିଲ୍ମ ପାଇଁ ୪୦୦୦ରୁ ଅଧିକ ଗୀତ ଲେଖିଛନ୍ତି। ସବୁଠାରୁ ଅଧିକ ଗୀତ ଲେଖିଥିବା ଗୀତିକାର ଭାବେ ତାଙ୍କ ନାମ 'ଗିନିଜ୍ ୱାର୍ଲ୍ଡ ରେକର୍ଡ'ରେ ସ୍ଥାନ ପାଇଛି। ସେ ରାଜା ହିନ୍ଦୁସ୍ତାନୀ, ହିରୋ ନମ୍ବର ୧, କୁଛ୍ କୁଛ୍ ହୋତା ହୈ, ଧଡକନ୍, କଭି ଖୁସି କଭି ଗମ୍ ଭଳି ଅନେକ ସୁପରହିଟ୍ ଫିଲ୍ମରେ ଗୀତ ଦେଇଛନ୍ତି।

ବ୍ୟକ୍ତିଗତ ଜୀବନ କଥା କହିଲେ, ସମୀର ଅନୀତା ପାଣ୍ଡେଙ୍କୁ ବିବାହ କରିଛନ୍ତି। ତାଙ୍କର ତିନିଜଣ ସନ୍ତାନ ଅଛନ୍ତି- ଦୁଇ ଝିଅ ସଞ୍ଚିତା ଓ ସୁଚିତା ଏବଂ ପୁଅ ସିଦ୍ଧେଶ। ପିତା ଅଞ୍ଜାନଙ୍କ ଦେହାନ୍ତ ପରେ ତାଙ୍କ ମା' ଇନ୍ଦିରା ପାଣ୍ଡେ ମଧ୍ୟ ତାଙ୍କ ସହ ରୁହନ୍ତି।

ଏହାସହ ମଧ୍ୟ ପଢନ୍ତୁ : ସମୀରଙ୍କ ଲେଖା ଏହି ଗୀତର ଗୋଟିଏ ଧାଡ଼ି ଗୀତିକାର ଆନନ୍ଦ ବକ୍ସିଙ୍କ ମନକୁ ଛୁଇଁଥିଲା , ରାତି ଅଧରେ କରି ଥିଲେ ଫୋନ୍